ଟିପି-ଲିଙ୍କ୍ ପକ୍ଷରୁ ଭଞ୍ଜନଗରରେ ଭିଜି ସର୍ଭିଲାନ୍ସ ର ବୈଷୟିକ ଏବଂ ଉତ୍ପାଦ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ ଜେନା ): ନିଜର ଘରୋଇ ଏବଂ ବ୍ୟବସାୟ କ୍ଷେତ୍ରର ସୁରକ୍ଷା ସମସ୍ତଙ୍କ ପାଇଁ ପ୍ରାଥମିକତା ହୋଇ ରହିଛି । ସୁରକ୍ଷା କ୍ଷେତ୍ରରେ ସମସ୍ତଙ୍କ ମନରେ ଆସୁଥିବା ପ୍ରଥମ ଉପକରଣଟି ହେଉଛି ସିସି ଟିଭି । ସୁରକ୍ଷା ଦୃଷ୍ଟିରୁ ସିସି ଟିଭି ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି। ସିସି ଟିଭି ଲଗାଇବା ପୂର୍ବରୁ ଗ୍ରାହକ ମାନଙ୍କ ମନରେ ସବୁଠାରୁ ବଡ ପ୍ରଶ୍ନ ଆସେ କେଉଁ ବ୍ରାଣ୍ଡର ଏବଂ କେଉଁ ମଡେଲର ସିସି ଟିଭି ଲଗାଇବେ, ୱାରାଣ୍ଟି ଓ ସର୍ଭିସ୍ ମିଳିବ କି ନାହିଁ ଇତ୍ୟାଦି ଇତ୍ୟାଦି । ଏସବୁ ପ୍ରଶ୍ନର ସମାଧାନ ତଥା ଟେକ୍ନିସିଆନ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଟିପି-ଲିଙ୍କ୍ ଇଣ୍ଡିଆ ପ୍ରା. ଲି. ପକ୍ଷରୁ ଗତ ବୁଧବାର ଦିନ ଭଞ୍ଜନଗର ସ୍ଵିସ କିଚେନ୍ ରେଷ୍ଟୁରାଣ୍ଟ ପରିସରରେ ଭିଜି ସର୍ଭିଲାନ୍ସ ର ବୈଷୟିକ ଏବଂ ଉତ୍ପାଦ ପ୍ରଶିକ୍ଷଣ କର୍ମଶାଳା ବିଶ୍ଵରୂପ ସଲ୍ୟୁସନ୍ ସହଯୋଗରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଘୁମୁସର ଅଞ୍ଚଳର ବହୁ କମ୍ପ୍ୟୁଟର ସମ୍ବନ୍ଧୀୟ ଉତ୍ପାଦ ବିକ୍ରୟ କରୁଥିବା ବ୍ୟବସାୟୀ, ଯାନ୍ତ୍ରୀକ କର୍ମୀ ଏବଂ ନୂତନ ପ୍ରଯୁକ୍ତି ବିଦ୍ୟା ଉପରେ ରୁଚି ରଖୁଥିବା ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ । ଉପସ୍ଥିତ ଟିପି-ଲିଙ୍କ୍ ଇଣ୍ଡିଆ ପ୍ରା. ଲି. ର ଉପସ୍ଥାପକ ତଥା ଏଏସଏମ ଶ୍ରୀ ସୁବୋଧ ନାୟକ, ସୋନମ୍ ଏବଂ ରାଜା ପ୍ରେଜେଣ୍ଟେସନ୍ ମାଧ୍ୟମରେ ଭିଜି ସର୍ଭିଲାନ୍ସର ଉତ୍ପାଦ ଏବଂ ଯାନ୍ତ୍ରୀକ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥି ସହିତ କାର୍ଯ୍ୟକ୍ରମରେ ସିସି ଟିଭି ର ବଜାର ଚାହିଦା, ଯାନ୍ତ୍ରୀକ କର୍ମୀ ଏବଂ ଗ୍ରାହକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଥିଲା ।
ସୂଚନା ଥାଉ କି ସିସି ଟିଭି ହେଉଛି ଏକ ଭିଡିଓ ନିରୀକ୍ଷଣ ପ୍ରଣାଳୀ, ଯାହା ମନିଟର କୁ ସିଗ୍ନାଲ ପଠାଇବା ପାଇଁ କ୍ୟାମେରାର ଉପଯୋଗ କରେ। ସିସି ଟିଭି ପ୍ରଣାଳୀ ସାଧାରଣତଃ ପଏଣ୍ଟ-ଟୁ-ପଏଣ୍ଟ, ପଏଣ୍ଟ-ଟୁ-ମଲ୍ଟି ପଏଣ୍ଟ, ୱାୟାର୍ଲେସ ଅଥବା ମେସ ୱାୟାର୍ଡ ହୋଇଥାଏ । ଅପରାଧିକ ଗତିବିଧି କୁ ନଜର ରଖିବା ଏବଂ ରୋକିବା ତଥା ବ୍ୟବସାୟ କ୍ଷେତ୍ରରେ ସର୍ବସାଧାରଣ ତଥା ସଦସ୍ୟ ମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସିସି ଟିଭି ବ୍ୟବହାର କରାଯାଏ । ବଜାରରେ ବର୍ତ୍ତମାନ ଆଇପି କ୍ୟାମେରା ଉପଲବ୍ଧ ହେଉଛି । ଯାହାକି ଭିଡିଓ ଫୁଟେଜ ରେକର୍ଡିଂ କରି ଆଇପି ନେଟୱର୍କ ରେ ହିଁ ଫୁଟେଜ ସନ୍ଦେଶ ପଠାଇଥାଏ । ଆନାଲୋଗ ସିସି ଟିଭି ଭଳି ଏଥିରେ ଲୋକାଲ ରେକର୍ଡ଼ିଂ ଉପକରଣ ଆବଶ୍ୟକ ନଥାଏ । କେବଳ ଲୋକାଲ ନେଟୱର୍କ ଆବଶ୍ୟକ ହୋଇଥାଏ । ଆଇପି କ୍ୟାମେରା ଗୁଡ଼ିକ ଫୋନ୍ ଏବଂ ମୋବାଇଲ ନେଟୱର୍କ ସହ ସଂଯୋଗ ହେବା ପରି ଏହା ନେଟୱର୍କ କୁ ସଂଯୋଗ ହୋଇଥାଏ । ଆନାଲୋଗ ସିସି ଟିଭି କ୍ୟାମେରା ଗୁଡ଼ିକ ଏକ କୋ-ଏକ୍ସିଆଲ ଭିଡିଓ କେବଲ୍ ସାହାଯ୍ୟରେ ଡିଭିଆର କୁ ଫୁଟେଜ ପଠାଉଥିବା ବେଳେ ଆଇପି କ୍ୟାମେରା ଗୁଡ଼ିକ ୱାଇଫାଇ, ଇଥରନେଟ କିମ୍ବା ୟୁଏସବି ସାହାଯ୍ୟରେ ଏନଭିଆର ସହ ସଂଯୋଗ ହୋଇ ଫୁଟେଜ ପଠାଇଥାଏ । ଆଇପି କ୍ୟାମେରାରେ ଉତ୍ତୋଳନ ହେଉଥିବା ଭିଡିଓ ଗୁଡ଼ିକ ହାଇକ୍ୱାଲିଟି ର ହୋଇଥାଏ । ତେଣୁ ଆଇପି କ୍ୟାମେରା ବର୍ତ୍ତମାନ ସମୟରେ ଗ୍ରାହକ ମାନଙ୍କ ଏକ ପ୍ରକାର ପସନ୍ଦ ହୋଇଯାଇଛି । କାର୍ଯ୍ୟକ୍ରମ ଶେଷରେ ଟିପି-ଲିଙ୍କ୍ ଇଣ୍ଡିଆ ପ୍ରା. ଲି. ପକ୍ଷରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ସ୍ୱିସ କିଚେନ ପରିସରରେ ଉପସ୍ଥିତ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।