ଘାଟିଶୁଳା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ବିଧାୟକ ନିର୍ଦ୍ଦେଶ ପରେ କାର୍ଯ୍ୟାରମ୍ଭ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ୨୦୨୪ ବିଧାନସଭା ନିର୍ବାଚନରେ ଭଞ୍ଜନଗର ବିଧାୟକ ଭାବେ ନିର୍ବାଚିତ ହେବା ପରଠୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ଐତିହ୍ୟ ସମ୍ପନ୍ନ ସ୍ଥାନ ଏବଂ ବିଭିନ୍ନ ଅପନ୍ତରିଆ ଗ୍ରାମାଞ୍ଚଳର ବିକାଶ ପାଇଁ ଅଗ୍ରସର ହୋଇଛନ୍ତି ଭଞ୍ଜନଗର ବିଧାୟକ । ନିର୍ବାଚନ ପରେ ପରେ ଚକ୍ରଘାଟି ଅଞ୍ଚଳକୁ ଯାଇ ବନଖଣ୍ଡ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରି ଚକ୍ରଘାଟି ଅଞ୍ଚଳର ବିକାଶ କରିବା ପାଇଁ ଆଗଭର ହୋଇଥିଲେ ବିଧାୟକ । କିଛିଦିନ ପୂର୍ବେ ଦୋମୁହାଁଣି ପଞ୍ଚାୟତର ଗପଦର ଗ୍ରାମକୁ ପାହାଡିଆ ରାସ୍ତା ଚଢ଼ି ନିଜେ ବିଧାୟକ ଅନ୍ୟ ମାନଙ୍କୁ ଧରି ପହଞ୍ଚିଥିଲେ । ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ପାନୀୟ ଜଳ, ଶିକ୍ଷା, ସ୍ଵାସ୍ଥ୍ୟ, ବିଜୁଳି, ରାସ୍ତାଘାଟ ଆଦି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲେ ।ଗତ ରବିବାର ଦିନ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ବ୍ରାହ୍ମଣପଦର ପଞ୍ଚାୟତ ଅଧୀନ ଘାଟିଶୁଳା ଭଗବତୀ ପୀଠ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି । ଉକ୍ତ ପର୍ଯ୍ୟଟନ ସ୍ଥଳୀ ୨୦୦ ରୁ ଉର୍ଦ୍ଧ୍ବ ବର୍ଷ ପୁରୁଣା ଏବଂ ସ୍ଵାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ଇତିହାସ ସହ ଜଡ଼ିତ ଅଟେ । ଏକ ପାହାଡ ଗୁମ୍ଫା ମଧ୍ୟରେ ଦେବୀ ପୂଜା ପାଇଥାନ୍ତି । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଏବଂ ବିଭିନ୍ନ ପର୍ବ ପର୍ବାଣୀ ସମୟରେ ଏହି ପର୍ଯ୍ୟଟନ ସ୍ଥଳୀ ଜନାରଣ୍ୟରେ ପରିଣତ ହୁଏ । ବହୁ ଦୂରରୁ ମଧ୍ୟ ଲୋକେ ପିକନିକ ପାଇଁ ଏଠାକୁ ଆସନ୍ତି । ଲୋକେ ପ୍ରାୟତଃ ଭଞ୍ଜନଗର – ଗାଲେରୀ ମୁଖ୍ୟ ରାସ୍ତାର ଝାଲିଆଗୋଛା ଗ୍ରାମ ମଧ୍ୟ ଦେଇ କିମ୍ବା ଭଞ୍ଜନଗର – ଗାଲେରୀ ମୁଖ୍ୟ ରାସ୍ତାରୁ ବିଲୁଆପଡ଼ା – ରାଣୀକିଆରୀ ଦେଇ ଘାଟିଶୁଳା ଶକ୍ତି ପୀଠକୁ ଯାଇଥାନ୍ତି । ରାଣୀକିଆରୀ ପର୍ଯ୍ୟନ୍ତ ରାସ୍ତା ପକ୍କା ଏବଂ ଓସାରିଆ ଥିବା ବେଳେ ସେଠାରୁ ଭଗବତୀ ପୀଠ ପର୍ଯ୍ୟନ୍ତ ରାସ୍ତା ସଂକୀର୍ଣ୍ଣ ଏବଂ ଜଙ୍ଗଲି ରାସ୍ତା ଅଟେ । ପର୍ଯ୍ୟଟନ ସ୍ଥଳୀରେ ଗାଡି ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ବିଜୁଳି ବ୍ୟବସ୍ଥାର ସ୍ଥାୟୀ ସମାଧାନ ନାହିଁ । ସ୍ଥାୟୀ ସମାଧାନ ନିମନ୍ତେ ଭଞ୍ଜନଗର ବିଧାୟକ ବିଭାଗୀୟ ଅଧିକାରୀ ମାନଙ୍କ ଆଲୋଚନା କରି ଘାଟିଶୁଳା ମନ୍ଦିର ପରିଚାଳନା କମିଟି ସଭାପତି ସାରଥୀ ମଳିକ, ସମ୍ପାଦକ ତଥା କୋଷାଧ୍ୟକ୍ଷ ରବିନାରାୟଣ ପାତ୍ର, ଉପସଭାପତି ସୁଦୁରୁ ଗୌଡ଼, ସଦସ୍ୟ ଶିବଶଙ୍କର ଗୌଡ଼ଙ୍କ ସହ ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ଭଞ୍ଜନଗର ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ଏବଂ ତୁରନ୍ତ କାର୍ଯ୍ୟାରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୋମବାର ସୋଲାର ପ୍ୟାନେଲ କାର୍ଯ୍ୟ ଏବଂ ସ୍ଥାୟୀ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ବିଧାୟକଙ୍କ ସହ ଯୁବନେତା ଶିବଶଙ୍କର ପ୍ରଧାନ, ଗାଲେରୀ ସରପଞ୍ଚ ପ୍ରତିନିଧି ଶଙ୍କର୍ଷଣ ମହରଥା ଏବଂ ଅନ୍ୟାନ୍ୟ କର୍ମୀ ମଧ୍ୟରେ ସୁଜିତ୍ ବିଷୋୟୀ, ସନ୍ତୁ ନାୟକ, ବିଶ୍ବରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଘାଟିଶୁଳା ଭଗବତୀ ପୀଠରେ ସନ୍ଧ୍ୟା ୫.୧୦ ସମୟରେ ଶୁଭାଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହେବ । ମାର୍ଚ୍ଚ ୧୨ ତାରିଖ ପୂର୍ବାହ୍ନ ୭.୧୫ ସମୟ ରୁ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ ଏବଂ ଅନ୍ନଯଜ୍ଞ ଆରମ୍ଭ ହୋଇ ମାର୍ଚ୍ଚ ୧୫ ତାରିଖ ପୂର୍ବାହ୍ନ ୭.୧୫ ସମୟରେ ପୂର୍ଣ୍ଣାହୁତି ଦିଆଯିବ । ଉକ୍ତ ଦିନ ନଗର ଭ୍ରମଣ, ଦଧିଭାଣ୍ଡ ଭଞ୍ଜନ, ଯମୁନା ସ୍ନାନ ହୋଇ ଯଜ୍ଞ ଉଦଯାପନ ହେବ । ଯଜ୍ଞ ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି । ସେଥିପାଇଁ ଘାଟିଶୁଳା ଭଗବତୀ ପୀଠ ଅଞ୍ଚଳ ପୁଣି ଚଳ ଚଞ୍ଚଳ ହୋଇ ଉଠିଛି ।