୩ବର୍ଷରେ ଋଷ-ୟୁକ୍ରେନ ଯୁଦ୍ଧ
ଋଷ-ୟୁକ୍ରେନ ଯୁଦ୍ଧ ତିିନି ବର୍ଷ ପୁରିଯାଇଥିବାବେଳେ କେବେ ଏହାର ଅନ୍ତଘଟିବ ଏହି କହିବା ମୁସ୍କିଲ କିନ୍ତୁ ଏହା ନିସନ୍ଦେହ ଯେ, ଏହା ହେଉଛି, ଭୂଭାଗ ନେଇ ସବୁଠାରୁ ବଡ ମାନବିକ ଟ୍ରାଜେଡି । ନିଜ ଭୂଖଣ୍ଡର ସୁରକ୍ଷା ପାଇଁ ଏବଂ ଆତ୍ମ ସମ୍ନାନ ସୁରକ୍ଷା ପାଇଁ ଏହି ଯୁଦ୍ଧ ଲାଗିଛି । ଯୁଦ୍ଧରେ ପ୍ରାୟ ୧ନିୟତରୁ ଉର୍ଦ୍ଧ୍ୱ ନିହତ ଓ ଆହତ ହୋଇଥିବାବେଳେ ଏକଦା ବିଶ୍ୱର ସବୁଠୁ ସୌନ୍ଦର୍ଯ୍ୟମୟୀ ନଗର ଭାବେ ପରିଚିତ ଥିବା ୟୁକ୍ରେନର ରାଜଧାନୀ କିଭ୍ ଏବେ ଶ୍ରୀହୀନ ହୋଇ ଯାଇଛି । କେବଳ ଏତିକି ନୁହେଁ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ୟୁରୋପ ମହାଦେଶର ସବୁଠାରୁ ରକ୍ତପାତର ଲଢେଇ । ରୁଷର ଅହରହ ଆକାଶମାର୍ଗରୁ ବୋମାମାଡ ଏବଂ ଡ୍ରୋନ ଆକ୍ରମଣରେ ଯୁକ୍ରେନର ବହୁ ସହର କ୍ଷତିଗ୍ରସ୍ତ ହୋଇଛି । ଲକ୍ଷ ଲକ୍ଷ ଲୋକ ଯେଉଁମାନଙ୍କ ମଧ୍ୟରେ ବହୁ ଶିଶୁ ଓ ମହିଳା ଅଛନ୍ତି, ମୃତ୍ୟୁବରଣ କରିସାରିଲେଣି । ହଜାର ହଜାର ୟୁକ୍ରେନବାସୀ ଦେଶ ଛାଡି ପଡୋଶୀ ଦେଶଗୁଡିକ ଶରଣାର୍ଥୀ ଭାବେ ଆଶ୍ରୟ ନେଇଛନ୍ତି । ରୁଷ ଆକ୍ରମଣରୁ ୟୁକ୍ରେନର ହସ୍ପିଟାଲ ଓ ସ୍କୁଲଗୁଡିକ ମଧ୍ୟ ବାଦ ପଡିନାହିଁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଆଣବିକ ଶକ୍ତିର ଅଧିକାରୀ ରୁଷ ବାରମ୍ବାର ଆଣବିକ ଆକ୍ରମଣ ଧମକ ଦେଇଥିବା ସତ୍ୱେ ବର୍ତମାନ ସୁଦ୍ଧା ଆଣବିକ ଯୁଦ୍ଧ କରିନାହିଁ । ସେହିପରି ରୁଷର ଶକ୍ତି, ସାମର୍ଥ୍ୟ ତୁଳନାରେ ଯୁକ୍ରେନ ସମ୍ପୂର୍ଣ୍ଣ ନଗଣ୍ୟ ଥିବାବେଳେ ଆମେରିକାର ଆର୍ଥୀକ ସହାୟତା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକର ସମର୍ଥନରେ ଦୀର୍ଘ ୩ବର୍ଷ ବୃହତ ସାମରିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ରୁଷ ସହ ଲଢେଇ କରି ଆସିଛି । ନିକଟରେ ଆମେରିକାରେ କ୍ଷମତା ପରିବର୍ତନ ପରିବର୍ତେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ୟୁକ୍ରେନକୁ ସମସ୍ତ ସାମରିକ ଓ ଆର୍ଥୀକ ସହାୟତା ବନ୍ଦ କରିବାକୁ ଘୋଷଣା କରିଛନ୍ତି ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକ ସହ ଏକ ପ୍ରକାର ସମ୍ପର୍କ ଛିନ୍ନ କରିବା ଚେତାବନୀ ଦେଇଛନ୍ତି । ଯାହାକି ଯୁକ୍ରେନର ପରାଜୟକୁ ଏକ ପ୍ରକାର ସୁନିଶ୍ଚିତ କରିଦେବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ସମ୍ଭବତଃ ଆସନ୍ତା ସପ୍ତାହରେ ରୁଷ ନିଜର ବିଜୟ ଘୋଷଣା କରିବା ବିଶ୍ୱାସ କରାଯାଏ । ଏହା ସତ୍ୟ ଯେ, ରୁଷ-ଯୁକ୍ରେନ ମଧ୍ୟରେ ଗଭୀର ଧାର୍ମିକ, ଜାତିଗତ, ସାଂସ୍କୃତିକ ସମ୍ପର୍କ ରହିଛି । ନବେଦଶକ ପୂର୍ବରୁ ଯୁକ୍ରେନ ସୋଭିଏତ ୟୁନିୟନର ଅଂଶ ବିଶେଷ ଥିଲା । ସୋଭିଏତ ୟୁନିୟନର ବିଲୟ ପରେ ଯୁକ୍ରେନ ଏକ ସ୍ୱାଧୀନ ଓ ସାର୍ବଭୌମତ୍ୱ ରାଷ୍ଟ୍ର ଭାବେ ଘୋଷଣା କରିଥିଲା । ମାତ୍ର ଯୁକ୍ରେନ ଏକ ସ୍ୱାଧୀନ ଓ ସାର୍ବଭୌମତ୍ୱ ରାଷ୍ଟ୍ର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁ ଏହା ରୁଷ ଚାହେଁ ନାହିଁ । ଆହୁରି ମଧ୍ୟ ଯୁକ୍ରେନ ନାଟୋ’ର ସଦସ୍ୟତା ଆବେଦନକୁ ବିରୋଧ କରି ରୁଷ ନିଜ ଆଡୁ ହଠାତ ଆକ୍ରମଣ କରିଥିଲା । ‘କିଚକ ବାହୁବଳେ ବିରାଟ ରାଜା’ ପରି ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡିକରେ ସହାୟତା ଓ ସମର୍ଥନରେ ଯୁକ୍ରେନ ରୁଷ ସହ ଦୀର୍ଘ ୩ବର୍ଷ ଧରି ଲଢେଇ ଜାରି ରଖିଛି । ଏବେ ଆମେରିକା ୟୁକ୍ରେନର ହାତ ଛାଡିଦେଇଥିବାବେଳେ ୟୁରୋପୀୟ ରାଷ୍ଟ୍ରଗୁଡିକ ମଧ୍ୟରେ ବିଭେଦ ଦେଖାଦେଇଛି । ଯୁକ୍ତରାଷ୍ଟ୍ର ଆମେରିକା ଯେ କି ୟୁକ୍ରେନର ପ୍ରତିରକ୍ଷା ଉପରେ ବିପୁଳ ସମ୍ବଳ ଦେଇଥିବା ବେଳେ ଆନ୍ତର୍ଜାତିକ ସମର୍ଥନ ପାଇଁ ଉଦ୍ୟମ ଜାରି ରଖିଥିଲା । କିନ୍ତୁ ୱାଂଶିଟନରେ କ୍ଷମତା ପରିବର୍ତନ ପରେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପ୍ରଶାସନ ତା’ର ଆଭିମୁଖ୍ୟ ପରିବର୍ତନ କରିଛି । ଉଲ୍ଳେଖଯୋଗ୍ୟ ଯେ ୟୁକ୍ରେନର ରାଷ୍ଟ୍ରପତି ଭୋଲେଡମିର େଜେଲେନସ୍କି ଆମେରିକା ଏକଦା ଲଢୁଆ ବୀର ଭାବେ ଉପସ୍ଥାପିତ କରିଥିବାବେଳେ ଟ୍ରମ୍ପ ପ୍ରଶାସନ ତାଙ୍କୁ ଆମେରିକାର ପାଣ୍ଠିର ଅପବ୍ୟବହାରୀକାରୀ ଜଣେ ଦୁର୍ନୀତିଗ୍ରସ୍ତ ରାଜନେତା ଭାବେ ଦୁର୍ନମ ରଚନା କରିଛି । ଇତି ମଧ୍ୟରେ ମଧ୍ୟ ଯୁଦ୍ଧକୁ ଉସକାଇଥିବା ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା କରିବା ପାଇଁ ରୁଷ ଆଗ୍ରହ ପ୍ରକାଶ କରିଛି । କେବଳ ଏତିକି ନୁହେଁ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା-ରୁଷ ମଧ୍ୟରେ ଯେଉଁ ସହଯୋଗିତାର ଯୁଗ ଆରମ୍ଭ ହୋଇଥିଲା, ତାହାକୁ ପୁର୍ନଜୀବୀତ କରାଇବା ପାଇଁ ରୁଷର ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ଆଗ୍ରହ ପ୍ରକାଶ କରିଛନ୍ତି । କୌଣସି ସମୟରେ ଯୁଦ୍ଧର ଅବସାନ ଘଟିବା ଆଶଙ୍କା ସୃଷ୍ଟି ହୋଇଛି ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ