ଅବ୍ୟବସ୍ଥା ଭିତରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ଆୟୋଜିତ ଏହି ଶିବିରରେ ମୌଳିକ ବ୍ୟବସ୍ଥାର ଅଭାବ ଯୋଗୁଁ ଦୂରଦୂରାନ୍ତରୁ ଆସିଥିବା ଭିନ୍ନକ୍ଷମ ଓ ସେମାନଙ୍କ ସମ୍ପର୍କୀୟମାନେ ନାନା ହଇରାଣ ହରକତର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଶିବିର ସକାଳ ୧୦ଟାରେ ଆରମ୍ଭ ହେବ ବୋଲି ପ୍ରଚାର କରାଯାଇଥିଲା। ଏହାକୁ ନେଇ ବହୁ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାର ଲୋକେ ସକାଳ ୮ଟା ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଯାଇଥିଲେ। ବହୁ ଦୂର ଦୁରାନ୍ତରୁ ଲୋକମାନେ ଆସୁଥିବାରୁ ଆଗ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପଳାଇବେ ବୋଲି ଆଶା ରଖିଥିଲେ। ହେଲେ ଧାର୍ଯ୍ୟ ସମୟରେ ଶିବିର ଆରମ୍ଭ ନହୋଇ ଦିନ ସାଢେ ୧୨ଟା ପରେ ଆରମ୍ଭ ହୋଇଥିବାରୁ ଦୀର୍ଘ ସମୟ ଧରି ଲୋକମାନଙ୍କୁ ଅପେକ୍ଷା କରିବାକୁ ପଡିଥିଲା। ଅନ୍ୟପକ୍ଷରେ, ଶିବିର ପାଇଁ ଛାମୁଡା ମରାଯାଇଥିବା ସ୍ଥାନରେ ବର୍ଷା ପାଣି ଜମି ରହିଥିଲା। ଫଳରେ ଭିନ୍ନକ୍ଷମ ବ୍ୟକ୍ତିମାନେ ଛାମୁଡା ତଳେ ବସିବାର ସୁବିଧା ପାଇନଥିଲେ। ଅତ୍ୟଧିକ ଲୋକ ହୋଇ ଯିବାରୁ ଲୋକମାନେ ବାହାରେ ବସିଥିଲେ। ହେଲେ ପ୍ରଥମେ ଟାଣ ଖରା ଓ ପୁଣି ଜୋରଦାର ବର୍ଷା ହେବାରୁ ଭିନ୍ନକ୍ଷମ ମାନେ ନାନା ଅସୁବିଧାର ସମୁଖୀନ ହୋଇଥିଲେ। କିଏ ଚେୟାର ମୁଣ୍ଡାଇ ଠିଆ ହୋଇଛି ତ ଆଉ କେଉଁଠି ଗୋଟିଏ ଛତା ତଳେ ୪/୫ ଜଣ ମୁଣ୍ଡ ଗୁଞ୍ଜି ଥିବା ଦେଖିବାକୁ ମିଳିଥିଲା। ସେହିପରି ଶିବିରରେ ବିଦ୍ୟୁତ ବ୍ୟବସ୍ଥା ନଥିବା ମଧ୍ୟ ଅନ୍ୟତମ ଅବ୍ୟବସ୍ଥା ଭାବେ ଦେଖାଦେଇଥିଲା। ଅନ୍ଧାର ମଧ୍ୟରେ ଡାକ୍ତରମାନେ ଟର୍ଚ୍ଚ ଲାଇଟ୍ର ସାହାଯ୍ୟ ନେଇ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପରୀକ୍ଷା କରୁଥିବା ଦେଖାଯାଇଥିଲା। ଚିକିତ୍ସା ଓ ଯାଞ୍ଚ ଭଳି ଗୁରୁତ୍ୱପୂର୍ଣ୍ଣ କାମ ଅନ୍ଧାର ଭିତରେ ହେବା ଯୋଗୁଁ ଡାକ୍ତର ଓ ହିତାଧିକାରୀ ଉଭୟଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏପରିକି ଅନ୍ଧାର ଭିତରେ ଯାତାୟାତ ମଧ୍ୟ କରି ହେଉ ନଥିଲା। ସରକାର ଏପରି ଶିବିର ପାଇଁ ପର୍ଯ୍ୟାପ୍ତ ସହାୟତା ଓ ଅନୁଦାନ ଯୋଗାଇ ଦେଉଥିଲେ ବି ଏଠାରେ ତାହାକୁ ଠିକ ଭାବେ ପରିଚାଳନା କରାଯାଉ ନଥିବାରୁ ଏପରି ଅସୁବିଧା ଉପୁଜୁଛି ବୋଲି ଅନେକ ଭିନ୍ନକ୍ଷମ ମତ ଦେଇଛନ୍ତି। ଏଭଳି ଅବ୍ୟବସ୍ଥାକୁ ନେଇ ଶିବିରକୁ ଆସିଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ବି ଏସ ଏସ ଓ ସ୍ଵାତି ସିଂଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଶିବିର ୧୦ଟା ବେଳେ ଆରମ୍ଭ ହେବା କଥା ଡାକ୍ତର ମାନେ ୧୨ଟାରେ ପହଞ୍ଚିଲେ, ତେଣୁ ଶିବିର ବିଳମ୍ବ ଘଟିଲା ବୋଲି କହିଛନ୍ତି। ଏ ସମ୍ପର୍କ ରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପ୍ରତିକୂଳ ପାଗ ଯୋଗୁଁ ଏପରି ଅସୁବିଧା ଉପୁଜିଲା ବୋଲି କହିଛନ୍ତି।


