ମା ମଙ୍ଗଳା ମହୋତ୍ସବ ଉଦଘାଟିତ
ନିମାପଡା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା କାକଟପୁର ର ହାଇସ୍କୁଲ ପଡିଆ ଠାରେ ମା ମଙ୍ଗଳା ମହୋତ୍ସବ ଉଦଘାଟିତ ହୋଇ ଯାଇଛି। କମିଟି ପକ୍ଷରୁ ମା ମଙ୍ଗଳା ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଘଣ୍ଟ ଘଣ୍ଟା ଏବଂ ପାରମ୍ପରିକ ବାଦ୍ୟର ତାଳେ ତାଳେ ଉତ୍ସବ ସ୍ଥଳକୁ ଆଜ୍ଞାମାଳ ଏବଂ ମଶାଲ ଅଣାଯିବାପରେ ମା ମଙ୍ଗଳା ମହୋତ୍ସବ ଉଦଘାଟିତ ହୋଇଥିଲା।ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ,କାକଟପୁର ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ତଥା କମିଟି ର ସମ୍ପାଦକ ସ୍ୱାଧୀନ କୁମାର ନାୟକ, ବିଶିଷ୍ଟ ଶିକ୍ଷାବିତ ତଥା ମହୋତ୍ସବ କମିଟି ର କାର୍ଯ୍ୟକାରୀ ସଭାପତି ସ୍ଵପ୍ନେଶ୍ଵର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଶିକ୍ଷାବିତ ପ୍ରତାପ କୁମାର ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଓଡ଼ିଶା ସିନେ ଜଗତର ପ୍ରସିଦ୍ଧ ହାସ୍ୟାଭିନେତା ପପୁ ପମପମ ଙ୍କ କମେଡି ସୋ ଏବଂ ଭୁବନେଶ୍ୱରର ନୁପୁର ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଅନୁଷ୍ଠିତ ଓଡିଶୀ ନୃତ୍ୟ ଉଦଘାଟନୀ ସନ୍ଧ୍ୟାକୁ ବେଶ ମନମୁଗ୍ଧକର କରିଦେଇଥିଲା । ସେହିପରି ଦ୍ବିତୀୟ ଦିନ ଅତିଥି ଭାବେ ନୟାଗଡ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇ ରାଜ୍ୟର ପ୍ରମୁଖ ମହୋତ୍ସବ ମଧ୍ୟରେ ମା ମଙ୍ଗଳା ମହୋତ୍ସବ ସ୍ଥାନ ପାଇବ ବୋଲି ମତବ୍ୟକ୍ତ କରିବା ସହିତ ଏଭଳି ଭବ୍ୟ ଆୟୋଜନ କରିଥିବାରୁ ଆୟୋଜକ କମିଟି କୁ ଭୁୟସୀ ପ୍ରଶଂସା କରିଥିଲେ । ଓଡ଼ିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଏବଂ ସାଥିଙ୍କ ଦ୍ୱାରା ସଂଗୀତ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଉଭୟ ସଂଧ୍ୟା ରେ ହଜାର ହଜାର ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମ ସବୁକୁ ବେଶ ଉପଭୋଗ କରିଥିଲେ ।
ଏହି ମହୋତ୍ସବ ୩ ଦିନ ଧରି ଚାଲିବ ବୋଲି ଆୟୋଜକ କମିଟି ପକ୍ଷରୁ ସୁଚନା ଦିଆ ଯାଇଛି।