ଗାଁ ଦାଣ୍ଡରେ ସଧବା ମହିଳା କଲେ ପନ୍ଥେଇ ପୂଜା
ନିମାପଡ଼ା, (ସନ୍ତୋଷ କୁମାର ଦାଶ): ଆଜି ଥିଲା ପବିତ୍ର ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ପାରମ୍ପରିକ ପ୍ରଥାନୁସାରେ ପୁରୀ ଜିଲ୍ଲା ର ପ୍ରତ୍ୟେକ ଗ୍ରାମ ମାନଙ୍କରେ ଚୈତ୍ର ମଙ୍ଗଳବାର ଓଷା (ବ୍ରତ) ରଖିଥିବା ସଧବା ମହିଳା ମାନେ ଗାଁ ଦାଣ୍ଡରେ ପନ୍ଥେଇ ପୂଜା କରିଥିଲେ। ପ୍ରାତଃ ରୁ ସ୍ନାନ କରି ମହିଳା ମାନେ ଗାଁଦାଣ୍ଡରେ ପନ୍ଥେଇ ଖୋଳି ତାକୁ ଗୋବର ପାଣି ରେ ଲିପିଥିଲେ ।ପରେ ଓଷା ବ୍ରତ ରଖିଥିବା ସବୁ ମହିଳା ଏକତ୍ର ହୋଇ ହଳଦି ଓ ଚୁଆ ମିଶ୍ରିତ ପାଣି ପନ୍ଥେଇ ରେ ଢ଼ାଳିବା ସହିତ ପନ୍ଥେଇ ରେ ସିନ୍ଦୂର, କଜଳ ଲଗାଇ ଫୁଲ, ଆମ୍ବ କଷି ଦେଇ ପନ୍ଥେଇ ନିକଟରେ ନଡ଼ିଆ ଓ ବିଭିନ୍ନ ପ୍ରକାର ଫଳମୂଳ ଭୋଗ ଲାଗି କରିଥିଲେ। ସମସ୍ତ ଓଷା ବ୍ରତ ରଖିଥିବା ସଧବା ମହିଳା ଏକତ୍ର ଭାବେ ପନ୍ଥେଇ କୁ ବନ୍ଦାପନା କରି ନିଜ ପରିବାରର ଓ ସନ୍ତାନ ମାନଙ୍କ ର ମଙ୍ଗଳ କାମନା କରି ଥିଲେ। ପନ୍ଥେଇ ପୂଜା ସରିବା ପରେ ଓଷା ବ୍ରତ ରଖିଥିବା ସଧବା ମହିଳା ମାନେ ପନ୍ଥେଇ ର ହଳଦି, ଚୁଆ ପାଣି ଓ ପୂଜା କରାଯାଇଥିବା ଫଳ ମୂଳ ଖାଇ ଘରକୁ ଫେରିଥିଲେ।ଚୈତ୍ର ମାସ ର ପ୍ରତ୍ୟେକ ମଙ୍ଗଳବାର ମହିଳା ମାନେ ଏହି ପନ୍ଥେଇ ପୂଜା କରି ପଞ୍ଚମ ମଙ୍ଗଳବାର ଦିନ ଓଷା ବ୍ରତ କୁ ଉଦଯାପନ କରିବା ନିୟମ ରହିଛି। ଏହି ପନ୍ଥେଇ ପୂଜା ପ୍ରକୃତ ରେ ମା ମଙ୍ଗଳା ଙ୍କ ପୂଜା ବୋଲି ପ୍ରାଚୀ ଗବେଷକ ପଣ୍ତିତ ତ୍ରିଲୋଚନ ମିଶ୍ର ପ୍ରକାଶ କରିଥିବା ବେଳେ ଏହା ବୌଦ୍ଧ ଧର୍ମାବଲମ୍ବୀ ମାନ ଙ୍କ ପୁଜା ଓ ପରେ ଏହାକୁ ହିନ୍ଦୁ ଧର୍ମାବଲମ୍ବୀ ମାନେ ମା ମଙ୍ଗଳା ଙ୍କ ପୂଜା ଭାବେ ଗ୍ରହଣ କରିନେଇଥିବା ଐତିହାସିକ ସ୍ଵର୍ଗତ ଶ୍ୟାମ ସୁନ୍ଦର ତ୍ରିପାଠୀ ତାଙ୍କ ଗବେଷଣାତ୍ମକ ଗ୍ରନ୍ଥ ରେ ସୂଚନା ଦେଇଛନ୍ତି। ସେ ଯାହା ହେଉନା କାହିଁକି ନିଜ ସ୍ଵାମୀ ଓ ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ଚୈତ୍ର ମାସ ର ପ୍ରତି ମଙ୍ଗଳବାର ଦିନ ସଧବା ମହିଳା ମାନଙ୍କ ଗାଁ ଦାଣ୍ଡରେ ପନ୍ଥେଇ ପୂଜା ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ରହିଆସିଛି କାହିଁ କେତେ କାଳରୁ।