ଘରପୋଡ଼ିର ୭ ବର୍ଷ ପରେ ମଧ୍ୟ ଘର ମିଳୁନି

ଢେଙ୍କାନାଳ, (ତାପସଦାସ):ଘରପୋଡ଼ିର ୭ ବର୍ଷ ପରେ ମଧ୍ୟ ଘର ଖଣ୍ଡେ ମିଳୁନାହିଁ l ଏଥିରୁ ଜଣାପଡୁଛି ଜିଲ୍ଲା ପ୍ରଶାସନ ଏବଂ ସରକାର ମାନଙ୍କର ଦକ୍ଷତା l ଜିଲ୍ଲାରେ ଲାଞ୍ଚ କାରବାର ହେଉଛି କି ନାହିଁ, ହେରାଫରି ହେଉଛି କି ନାହିଁ ଏହା ହେଉଛି ତାର ଜ୍ୱଳନ୍ତ ଉଦାହରଣ l ପ୍ରକାଶ ଥାଉକି ସାରଳା ସାହୁ ଏବଂ ନିରାକାର ସାହୁଙ୍କ ଚାଳ ଛପର ଘର ଖଣ୍ଡିକ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଗତ ୨୦୧୭ ମସିହାରେ ପୋଡ଼ି ନଷ୍ଟ ହୋଇଯାଇଥିଲା l ସେତେବେଳେ ରାଜସ୍ବ ନିରୀକ୍ଷକ ତଦନ୍ତ କରି ଜରି ପାଲ ଖଣ୍ଡେ ଏବଂ ଦୁଇ ହଜାର ଟଙ୍କା ଦେଇଥିଲେ ଓ ଘର ପାଇବ ବୋଲି କହିଥିଲେ l ଘର ଖଣ୍ଡିଏ ସାହାଯ୍ୟ ପାଇବାପାଇଁ ସଦର ବ୍ଲକ ନାଗିଆପଶି ପଞ୍ଚାୟତ ଅନ୍ତର୍ଗତ ଛଣବୋଲୁଅ ଗ୍ରାମର ସାରଳା ସାହୁ ଏବଂ ସ୍ୱାମୀ ନିରାକାର ସାହୁ ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ଚପଲ ଛିଣ୍ଡି ଗଲାଣି l ନିରାକାର ଜଣେ ଦିନ ମଜୁରିଆ l ରାଜସ୍ବ ନିରୀକ୍ଷକ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୁଡି଼କୁ ଯାତାୟାତରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ନିରାକାର l ତଥାପି ଆବାସ ଯୋଜନାରେ ଘର ଖଣ୍ଡିଏ ସାହାଯ୍ୟ ପାଇବାପାଇଁ ଆଶା ରଖିଛନ୍ତି l ହିମ୍ମତ ହରିନାହାନ୍ତି l ଆଜି ପୁଣି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀଙ୍କୁ ଆବାସ ପାଇଁ ଦରଖାସ୍ତ ଦେଇଛନ୍ତି l ସରକାରଙ୍କର ଏତେ ଯୋଜନା ଥାଇ ମଧ୍ୟ, ଏତେ ସଂସ୍ଥା ଥାଇ ମଧ୍ୟ ନିରାକାରଙ୍କୁ ଘର ଖଣ୍ଡେ ମିଳିବ ବୋଲି କେହି ଆଶ୍ୱାସନା ଦେଇନାହାନ୍ତି l ସାତ ବର୍ଷ ହେଲା ଘର ମିଳିବା ଲିଷ୍ଟ ପଞ୍ଚାୟତରୁ ଆସୁଛି l ସ୍ଥାନୀୟ ସରପଞ୍ଚ ସର୍ଭେ କରୁଛନ୍ତି, ବିଡ଼ିଓ କହୁଛନ୍ତି ଏଥର ମିଳିଯିବ l ଆଜି ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଆଶ୍ୱାସନା ଦେଇ କହିଲେ ଏଥର ଘର ମିଳିଯିବ l ଏବେ ଦେଖିବାକୁ ବାକି ରହିଲା ନିରାକାରଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ କେବେ ମିଳିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ