ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ଜିଲ୍ଲା ସଭାନେତ୍ରୀ ଡ. ଜେନା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଇଚ୍ଛାପୁରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ. ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦଳୀୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ବିପୁଳ ଭୋଟରେ ବିଜୟୀ ହେବ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ମଜବୁତ କରାଯାଇପାରିବ, ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ପଞ୍ଚାୟତ ନିର୍ବାଚନ ପାଇଁ ଡ. ଜ୍ୟୋତ୍ସ୍ନାରାଣୀ ଜେନା କର୍ମକର୍ତ୍ତାମାନଙ୍କୁ ବିଶେଷ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ସେ କହିଥିଲେ ଯେ ନିର୍ବାଚନୀ ରଣନୀତିକୁ ସଫଳ କରିବାରେ ମହିଳା ମୋର୍ଚ୍ଚାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ବୁଥ୍ ଏବଂ ପଞ୍ଚାୟତ ସ୍ତରରେ ମହିଳାମାନଙ୍କୁ ସଙ୍ଗଠିତ କରିବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତାକୁ ଘରେ ଘରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲାର ପ୍ରତ୍ୟେକ ବ୍ଲକର ସମସ୍ତ ପଞ୍ଚାୟତରେ ଦଳ ଯେପରି ବାଜିମାତ କରିବା ସହ ଜିଲ୍ଲା ପରିଷଦରେ ବୋର୍ଡ ଗଠନ କରିପାରିବ ସେଥିପାଇଁ ଏବେଠାରୁ ନିଷ୍ଠାର ସହ ଲାଗିପଡ଼ିବାକୁ ଡ. ଜେନା ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ। ଏହି ସାଂଗଠନିକ ବୈଠକରେ ଜିଲ୍ଲା ଉପସଭାନେତ୍ରୀ ମୀରାରାଣୀ ମହାନ୍ତି, ରଶ୍ମିତା ସାହୁ, ରୀନାରାଣୀ ଦାଶ, ଲକ୍ଷ୍ମୀପ୍ରିୟା ଜେନା, ପ୍ରମିଳା ସିଂହ ଓ ପ୍ରମିଳା ମିଶ୍ର, ସାଧାରଣ ସମ୍ପାଦିକା ବନ୍ଦନାରାଣୀ ରାଉତରାୟ ଓ ପ୍ରିୟଙ୍କା ଶତପଥୀ, ସମ୍ପାଦିକା ସନ୍ଧ୍ୟାରାଣୀ ଜେନା, ରଶ୍ମିତା ନାୟକ, ମାଳତୀ ପତି, ସସ୍ମିତା ସାମଲ, ମନୋରମା ପୁହାଣ ଓ ଭଗବତୀ ମଣ୍ଡଳ ଏବଂ କୋଷାଧ୍ୟକ୍ଷା ମଞ୍ଜୁଲତା ସେଠୀ ପ୍ରମୁଖ ସାମିଲ ହୋଇ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ସାଂଗଠନିକ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ପରେ କର୍ମକର୍ତ୍ତାମାନେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରକୁ ଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ।


