ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବର୍ଦ୍ଧନା
ବାଲେଶ୍ୱର,(ସରୋଜ ପଣ୍ଡା):ଫକୀରମୋହନ ମେଡିକାଲ୍ କଲେଜରୁ ୨ୟ ବ୍ୟାଚରେ କୃତିତ୍ୱର ସହ ଡାକ୍ତରୀ ଶିକ୍ଷା ସମାପ୍ତ କରିଥିବା ୧୦୦ ଜଣ ଛାତ୍ର ଛାତ୍ରୀମାନଙ୍କୁ ବାଲେଶ୍ୱର ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶନିବାର ଅପରାହ୍ନରେ ଏକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବରେ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ଅଧ୍ୟକ୍ଷତା କରିଥିଲେ। ସ୍ୱାସ୍ଥ୍ୟସେବାରେ ଏହି ଯୁବ ଡାକ୍ତରମାନେ ଅତ୍ୟନ୍ତ କର୍ତ୍ତବ୍ୟନିଷ୍ଠ ଓ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ସମସ୍ତ ଅତିଥି ଓ ବକ୍ତାମାନେ ଉପଦେଶ ଦେଇଥିଲେ। ସ୍ୱାସ୍ଥ୍ୟସେବାରେ ଅଧିକ ପାରଦର୍ଶିତା ପ୍ରଦର୍ଶନ କରି ଡାକ୍ତରମାନଙ୍କୁ ଦ୍ୱିତୀୟ ଈଶ୍ୱର ଭାବେ କୁହାଯାଉଥିବା ଆପ୍ତବାକ୍ୟକୁ ଯୁବଡାକ୍ତରମାନେ ସାର୍ଥକ କରିବେ ବୋଲି ବହୁ ବକ୍ତା ଆଶା ପ୍ରକାଶ କରିଥିଲେ। ସାଧାରଣ ସଂପାଦକ ପ୍ରଦୀପ ଦାସ ଯୁବ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇ ବାଲେଶ୍ୱରରେ ସରକାରୀ ମେଡିକାଲ୍ କଲେଜ ପ୍ରତିଷ୍ଠାପାଇଁ ଗତ ୨୦୦୫ ମସିହାରୁ ଜିଲ୍ଲାବାସୀଙ୍କ ସଂଗ୍ରାମର ଏହା ଏକ ଫଳପ୍ରଦ ମୁହୂର୍ତ୍ତ ବୋଲି ପ୍ରକାଶକରିଥିଲେ। ଜିଲ୍ଲାବାସୀଙ୍କୁ ଉନ୍ନତ ସରକାରୀ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଥିବା ତ୍ରୁଟିକୁ ଶ୍ରୀ ଦାସ ସ୍ୱୀକାର କରି ଏହାର ଆଶାୁ ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଧିକ ସହଯୋଗ କାମନା କରିଥିଲେ। ଅତିଥି ଓ ବକ୍ତାଭାବେ ଜିଲ୍ଲା ପରିଷଦର ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ବାଲେଶ୍ୱର ଓକିଲ ସଂଘର ସଂପାଦକ ସମ୍ବିତ୍ ନନ୍ଦୀ, ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତି, କ୍ରିୟାନୁଷ୍ଠାନ କମିଟିର ପ୍ରାକ୍ତନ ସଭାପତି ପ୍ରଫେସର ଅନନ୍ତ ପ୍ରଧାନ ଓ ମମତା ମହାପାତ୍ର, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ, କ୍ରିୟାନୁଷ୍ଠାନ କମିଟିର ମହିଳା ସାମ୍ମୁଖ୍ୟ ନେତ୍ରୀ କାଞ୍ଚନବାଳା ପାତ୍ର ଓ ସରସ୍ୱତୀ ପଣ୍ଡା ପ୍ରମୁଖ ଯୁବ ଡାକ୍ତରମାନଙ୍କୁ ମାନପତ୍ର ଓ ପୁଷ୍ପ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ। ଉତ୍ସବ ଆରମ୍ଭରେ କ୍ରିୟାନୁଷ୍ଠ।।ନ କମିଟିର ଉପସଭାପତି ନିରଞ୍ଜନ ରାଉତ ଉପସ୍ଥିତମାନଙ୍କୁ ସ୍ୱାଗତ ଜଣାଇ ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ। କଲ୍ୟାଣୀ ନନ୍ଦ ବେଦପାଠ କରିଥିଲେ। ଏହି ଉତ୍ସବରେ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ଓ ବିଭିନ୍ନ ବ୍ଲକ୍ କମିଟି ପକ୍ଷରୁ ଦିଲ୍ଲୀପ ଗିରି, ଅଜିତ୍ ମହାନ୍ତି, ଡ. କ୍ଷିତୀଶ୍ୱର ଦାଶ, କୁମୁଦ ରଂଜନ ଗିରି, ସୀତାରାମ ପ୍ରଧାନ ଓ କୁରୁଡ଼ା ସ୍ଥିତ ଓଡ଼ିଶା ଫଲୋ ଅପ୍ର ମୁଖ୍ୟ ବିଶପ୍ ହୃଦୟ ପ୍ରମୁଖ ଡାକ୍ତରୀ ଶିକ୍ଷା ସମାପ୍ତ କରିଥିବା ଯୁବ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅଧ୍ୟାପକ ଜଗତାନନ୍ଦ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ କୁମାର ଦାସ, ଶ୍ୟାମସୁନ୍ଦର ଜେନା, ଯୋଗେନ୍ଦ୍ର ମାହାନ୍ନା, କ୍ରିଷ୍ଣା ସାହା ଓ ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ସହଯୋଗ କରିଥିଲେ।