ଶ୍ରୀ ଶ୍ରୀ ହନୁମାନଜୀ ମହାରାଜଙ୍କ ଜୟନ୍ତୀ ମହୋତ୍ସବ ପାଳିତ

ଆସିକା (ୱାଇଏନ୍‍ଏସ୍‍) : ବିଗତବର୍ଷ ମାନଙ୍କ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ବାଣୀବିହାର ସ୍ଥିତ ଶ୍ରୀ ଶ୍ରୀ ଗୁୁରୁକୃପା ଆଶ୍ରମରେ ଶ୍ରୀ ଶ୍ରୀ ହନୁମାନଜୀ ମହାରାଜଙ୍କ ଜୟନ୍ତୀ ମହୋତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ଭୋର ସମୟରୁ ରାତ୍ର ପର୍ଯ୍ୟନ୍ତ ଗୁରୁକୃପା ଆଶ୍ରମରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିବା ସାଙ୍ଗକୁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡିଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ହନୁମାନ ଚାଳିଶା ସାମୁହିକ ପଠନ ସାଙ୍ଗକୁ ଏକଲକ୍ଷ ଆଠ ବେଲପତ୍ରରେ ରାମନାମ ଲେଖି ସଂକଟ ମୋଚନ ହନୁମାନଙ୍କ ସମର୍ପଣ ପୂର୍ବକ ପୂଜାର୍ଚ୍ଚନା କରିଥିଲେ । ଗୁରୁକୃପା ଆଶ୍ରମର ପ୍ରତିଷ୍ଠାତା ତଥା ଶ୍ରୀ ଶ୍ରୀ ହନୁମାନଜୀ ମହାରାଜଙ୍କ ଜୟନ୍ତୀ ମହୋତ୍ସବ ପାଳନର ମୁଖ୍ୟ ପ୍ରାତଃ ସ୍ମରଣୀୟ ଗୁରୁଦେବ ଶ୍ରୀ ଶ୍ରୀ ଆତ୍ମାରାମଜୀ ମହାରାଜଙ୍କ ଦିଗଦର୍ଶନରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ଆତ୍ମନିର୍ମାଣ ଓ ବିଶ୍ୱକଲ୍ୟାଣ ନିମନ୍ତେ ରାମନାମ ଲେଖାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଥିବାବେଳେ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ବିଭିନ୍ନ ଭାଷାରେ ରାମନାମ ଲେଖି ଏହି ଆଶ୍ରମକୁ ପ୍ରେରଣ କରିଥାନ୍ତି । ଉକ୍ତ ରାମନାମ ଲେଖାକୁ ସଂଗୃହୀତ କରାଯାଇ ତାକୁ ଏକ ପ୍ୟାକେଟ୍ କରାଯାଇଥାଏ । ସେଥିରେ ନାମମନ୍ଦିର ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଗୁରୁକୃପା ଆଶ୍ରମ ପକ୍ଷରୁ ଅହରହ ଉଦ୍ୟମ ଜାରି ରହିଛି । ଭଗବାନଙ୍କ ସାନିଧ୍ୟ ଓ ଗୁରୁକୃପା ପ୍ରାପ୍ତି ନିମନ୍ତେ ଜପ, ତପ ଓ ଧ୍ୟାନର ପନ୍ଥାକୁ ସାଧୁସନ୍ଥମାନେ ଆପଣେଇ ନେଇଛନ୍ତି । ଏଥିରୁ ମନୁଷ୍ୟ ବିଚ୍ୟୁତ ହେବାରୁ ରାମନାମକୁ ଲେଖା ମାଧ୍ୟମରେ ପରିବର୍ତ୍ତନର ସୂତ୍ର ସାଧୁସନ୍ଥମାନେ ଆଣି ଲୋକଙ୍କୁ ସଂଯତ ଓ ସଚେତନ କରିବାର ପ୍ରୟାସ ଜାରି ରଖିଛନ୍ତି । ଯଦିଓ ଏହା ବିଶ୍ୱରେକର୍ଡ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏହି ନାମ ପତ୍ରିକା ଉନ୍ମୋଚନ କରାଯାଇ ନାହିଁ କିନ୍ତୁ ମଧ୍ୟପ୍ରଦେଶର ସତନା ଠାରେ ମାନସଂଘର ରାମବନ ପରିସରରେ ଏକ ମନ୍ଦିର ରହିଛି । ଯେଉଁଠାରେ ୧୫୦ କୋଟିର ନାମ ସ୍ଥାପନ କରାଯାଇଛି । କୋଲକତାର ଲୋହାଘାଟରେ ଅଖଣ୍ଡ ହରିନାମ ସଂକୀର୍ତ୍ତନ ଭବନ ଠାରେ ନାମପତ୍ରିକା ସ୍ଥାପନ ହୋଇ ପୂଜା ପାଉଥିବା ବେଳେ ନେପାଳର ପଶୁପତି ଠାରେ ନାମପତ୍ରିକାର ସ୍ତୁପ ଦେଖିବାକୁ ମିଳୁଛି । ଗୁଜରାଟର ସନ୍ଥ ବାପାଜୀଙ୍କ ଦ୍ୱାରା ଦକ୍ଷିଣ ଆଫ୍ରିକାର ଉଗେଣ୍ଡା ଓ ନାଇରୋବିର କେତେକ ସ୍ଥାନରେ ୧୨୫ କୋଟିର ନାମପତ୍ର ସଂଗୃହୀତ ହୋଇ ମନ୍ଦିର ପ୍ରତିଷ୍ଠା ହେଉଛି । କିନ୍ତୁ ଆସିକା ବାଣୀବିହାରର ଗୁରୁକୃପା ଆଶ୍ରମରେ ସର୍ବାଧିକ ଏକ ହଜାର କୋଟିରୁ ଉର୍ଦ୍ଧ୍ୱ ନାମପତ୍ର ସଂଗୃହୀତ ହୋଇ ଅତୀତର ସମସ୍ତ ରେକର୍ଡକୁ ଭାଙ୍ଗିପାରିଛି ବୋଲି ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଆଲୋଚିତ ହେଉଛି । କଳିଯୁଗରେ ନାମ ହିଁ ଏକମାତ୍ର ମୁକ୍ତିର ବାଟ ହୋଇଥିବାରୁ ଗୁରୁକୃପା ଆଶ୍ରମର ହଜାର ହଜାର ଭକ୍ତ ଭଗବାନଙ୍କ ସାନିଧ୍ୟ ଓ କୃପା ନିମନ୍ତେ ଜପ, ତପ ଓ ଧ୍ୟାନର ପନ୍ଥାକୁ ଅଗ୍ରାଧିକାର ଦେଇ ରାମନାମକୁ ଭକ୍ତିମାର୍ଗରେ ପଥପ୍ରଦର୍ଶକ ସାଜିଛନ୍ତି । ହନୁମାନ ଜୟନ୍ତୀ ଅବସରରେ ଗୁରୁକୃପା ଆଶ୍ରମରେ ଏକ କୋଟି ରୁଦ୍ରାକ୍ଷରେ ହନୁମାନ ବିଗ୍ରହ ସ୍ଥାପନ ସହ ୯୦୦ କୋଟିରୁ ଉର୍ଦ୍ଧ୍ୱ ନାମ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ୧ ଲକ୍ଷ ୮ ବେଲପତ୍ରରେ ଶହ ଶହ ଭକ୍ତ ରାମନାମ ଲେଖି ସମର୍ପଣ କରିଥିଲେ । ଶ୍ରୀ ଶ୍ରୀ ହନୁମାନଜୀ ମହାରାଜଙ୍କ ଜୟନ୍ତୀ ମହୋତ୍ସବ ପାଳନ ଅବସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ନାମ ଆଳତୀ ଓ ଆନନ୍ଦସଭା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ