ଟିୟୁଏସିସି ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବାଲେଶ୍ୱର(ସରୋଜ ପଣ୍ଡା): ଆସନ୍ତା ୨୫ ତାରିଖ ଶୁକ୍ରବାର ଦିନ ଟିୟୁଏସିସି ଆହ୍ୱାନରେ ସହସ୍ରାଧିକ ଶ୍ରମଜୀବୀ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆଇନ୍ ଅମାନ୍ୟ ଆନ୍ଦୋଳନରେ ଯୋଗ ଦେବେ। ଟିୟୁଏସିସି ପକ୍ଷରୁ ବାଲେଶ୍ୱର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କୁ ସାକ୍ଷାତ କରି ଏ ସଂପର୍କରେ ଲିଖିତ ଭାବେ ଜଣାଇଛନ୍ତି। ବିରଳା ଟାୟାର୍ସ କାରଖାନାରେ ଦୀର୍ଘବର୍ଷ କାମ କରିଥିବା ସମସ୍ତ ବର୍ଗର ଶ୍ରମିକ/କର୍ମଚାରୀମାନଙ୍କୁ ସେମାନଙ୍କର ଆଇନଗତ ବେତନ ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ ଏବଂ ପୁନଃନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନୋଡ଼ାଲ୍ ଅଫିସରଭାବେ ଗତ ଜାନୁଆରୀ ୪ ତାରିଖ ଦିନ ଦ୍ୱିପାକ୍ଷିକ ଆଲୋଚନାରେ ଦାୟିତ୍ୱ ଦେଇଥିଲେ। କିନ୍ତୁ ଜିଲ୍ଲାପାଳ ଦ୍ୱିପାକ୍ଷିକ ଆଲୋଚନାର କୌଣସି ସର୍ତ୍ତକୁ ନମାନି ଶାନ୍ତିପୂର୍ଣ୍ଣ ଗଣଧାରଣାରେ ବସିଥିବା ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ପୋଲିସ୍ ଦ୍ୱାରା ଉଠାଇନେଇଥିଲେ। ନିଜର ଆଇନଗତ ପ୍ରାପ୍ୟ ଦାବି କରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ୩ଜଣ ଶ୍ରମିକଙ୍କୁ ବିଭିନ୍ନ ମିଥ୍ୟା ଅଭିଯୋଗରେ ଜେଲ୍‌କୁ ପଠାଇଦେଇଥିଲେ। ତେଣୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନ୍‌କୁ ସୁରକ୍ଷା ଦେବା ଦାୟିତ୍ୱରେ ଥିବା ଜିଲ୍ଲା ପ୍ରଶାସନର ଅଗଣତାନ୍ତ୍ରିକ କାର୍ଯ୍ୟ ବିରୋଧରେ ଓ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏହି ଆଇନ୍ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଟିୟୁଏସିସି ପକ୍ଷରୁ ଲିଖିତ ଭାବେ ଜିଲ୍ଲାପାଳ ଓ ସରକାରଙ୍କୁ ପ୍ରଦାନ କରାଯାଇଛି। ଟିୟୁଏସିସିର ଉପାଧ୍ୟକ୍ଷ ଶାନ୍ତନୁ ଦାସ, ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ମାୟାଧର ନାୟକ, ଭରତ ଚନ୍ଦ୍ର ସେଠୀ, ଦୁକୁଲ ଚନ୍ଦ୍ର ଘଡ଼ାଇ, ଶ୍ୟାମସୁନ୍ଦର ଜେନା, ଅଜୟ ଦାସ, ସୁବାସ ପାଣିଗ୍ରାହୀ, ତପନ ଭୂୟାଁ, ଚନ୍ଦ୍ରକାନ୍ତ ମାଝି, ମାନସ ନାୟକ ଓ ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକଙ୍କୁ ସାକ୍ଷାତ କରି ତୁରନ୍ତ ସମସ୍ୟାର ସୁସମାଧାନ ପାଇଁ ଅବଗତ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ