ଗଛ ଡାଳ ପଡି ଜଣେ ମୃତ
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଏରେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମକୁ ଜଣେ ବ୍ୟକ୍ତି ଗଛ କାଟିବାକୁ ଆସି ଗଛ ତଳେ ଛିଡା ହୋଇଥିବା ବେଳେ ଗଛ ଡାଳ ପଡିବା ହେତୁ ମୃତ୍ୟୁବରଣ କରିଥିବା ଜଣାଯାଇଛି। ମୃତକ ଜଣକ ହେଲେ ନିଆଳି ଥାନା ଅନ୍ତର୍ଗତ ନାଟି ଗ୍ରାମର କୁଶନି ଖଟୁଆଙ୍କ ପୁଅ ଲିଙ୍ଗା (୪୫) ବୋଲି ଜଣାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏହି ଗ୍ରାମର ଶରତ ସାହୁଙ୍କ ବାଡିରେ ଗଛ କଟା ହେଉଥିଲା। ଜଣେ ବ୍ୟକ୍ତି ଗଛ ଉପରେ ଚଢି ଗଛ ଡାହି ଗୁଡିକୁ କାଟୁଥିବା ବେଳେ ଗଛ ଡାହିରେ ବନ୍ଧା ହୋଇଥିବା ରଶିକୁ ଲିଙ୍ଗା ତଳେ ଛିଡା ହୋଇ ଧରିଥିଲେ। ହେଲେ ହଠାତ୍ ଏକ ଡାହି ତଳକୁ ଖସି ପଡି ଲିଙ୍ଗା ଉପରେ ପଡିଥିଲା। ଯାହାଫଳରେ ଲିଙ୍ଗା ଅତି ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି।