ମଜୁରୀ ଦାବିରେ କେନ୍ଦୁଝର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦ୍ର ସରକାରଙ୍କ ତ୍ରୁଟିପୁର୍ଣ୍ୱ ମଜୁରୀ ନିର୍ଦ୍ଧାରଣ ନୀତି ଯୋଗୁ ଦେଶରେ ଅସମାନତା ବୃଦ୍ଧି ପାଇବା ସହ ଶ୍ରମିକ ଶୋଷଣ ଶୀର୍ଷ ସ୍ତରରେ ପହଂଚିଛି ଓ ଶ୍ରମିକ ମାନଙ୍କର ଆର୍ଥିକ ସ୍ଥିତିରଅସମ୍ଭବ ଅବନତି ଘଟୁଛି। ୨୦୧୭-୧୮ ମସିହାରେ ଇନଫରମାଲ ସେକ୍ଟର ଶ୍ରମିକ ମାନଙ୍କ ମଜୁରୀ ୨୦୨୩-୨୪ ମସିହା ବେଳକୁ ହ୍ରାସ ପାଇଛି ଏବଂ ପୁରୁଷ ଓ ମହିଳା ମାନଙ୍କ ଆୟରେ ମଧ୍ୟ ଅସମାନତା ଦେଖା ଦେଇଛି। ଦେଶରେ ପୁରୁଷ ଶ୍ରମିକ ରୋଜଗାର ହାର ଦୈନିକ ୨୦୩ ରୁ ୨୪୨ ଟଙ୍କା ମଧ୍ୟରେ ସୀମିତ ଥିବା ବେଳେ ମହିଳା ଶ୍ରମିକ ମାନଙ୍କର ରୋଜଗାର ହାର ୧୨୮ରୁ ୧୫୯ ଟଙ୍କା ମଧ୍ୟରେ ସୀମିତ ରହିଛି। ମୁଦ୍ରାସ୍ପିତି ଆକାଶଛୁଆଁ ହେବା ଫଳରେ ଉଭୟ ସଂଗଠିତ, ଅସଂଗଠିତ ଶ୍ରମିକ, ଠିକା,ଆଉଟସୋର୍ସିଂ,ଆତ୍ମନିଯୁକ୍ତି, ସ୍ବଳ୍ପ ଦରମା ପାଉଥିବା ଓ ପ୍ରୋତ୍ସାହନ ରାଶି ପାଉଥିବା ହଜାର ହଜାର ସ୍କିମ୍ ଶ୍ରମିକଙ୍କ ଜୀବନ ଧାରଣ ଉପରେ ଗଭୀର ପ୍ରଭାବ ପକାଉଛି। ଦେଶର ବିଭିନ୍ନ ରାଜ୍ୟର ସର୍ବନିମ୍ନ ମଜୁରୀର ଅସଂଗତି ବୃଦ୍ଧି ପାଇଛି। ଜଣେ ଶ୍ରମିକ ଓ ତାର ପରିବାର ସମ୍ମାନର ସହ ବଂଚିବା ନିମନ୍ତେ ନିର୍ଦ୍ଧାରିତ ମାନଦଣ୍ଡକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ବଳ ଓ ଗୋଳମାଳିଆ ସ୍ଥିତିକୁ ନେଇ ଯାଉଛନ୍ତି। ୧୯୫୭ ମସିହାରେ ଅନୁଷ୍ଠିତ ୧୫ତମ ଜାତୀୟ ଶ୍ରମ ସମ୍ମିଳନୀ ତୃଟିପୁର୍ଣ୍ୱ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରକୁ ସ୍ବୀକାର କରିବା ସହ ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ତା ସହିତ ପ୍ରତ୍ୟେକ ବେତନ କମିଶନର ଉପଦେଷ୍ଟା ବୋର୍ଡ ସର୍ବଦା ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ମାନଦଣ୍ଡକୁ ହତାଦର କରିବା ସହ ଅଣଦେଖା କରି ଚାଲିଛନ୍ତି। ଯାହା ଫଳରେ ଆମ ଦେଶର ଶ୍ରମିକ ଶ୍ରେଣୀ ଆଇନ ସମ୍ମତ ସର୍ବନିମ୍ନ ମଜୁରୀ ପାଇବାରୁ ବଂଚିତ ହେଉଛନ୍ତି।ଅନ୍ୟ ପକ୍ଷରେ ଦେଶର ବୃହତ ବର୍ଗର ସ୍କିମ୍ ଓ୍ବାର୍କର ଯଥା- ଅଂଗନଓ୍ବାଡି କର୍ମୀ ଓ ସହାୟିକା, ଆଶାକର୍ମୀ, ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମାନଙ୍କୁ ଶ୍ରମିକର ମାନ୍ୟତା ନ ମିଳିବାରୁ ସର୍ବନିମ୍ନ ମଜୁରୀ ପାଇବାରୁ ବଂଚିତ ହେଉଛନ୍ତି। ୨୦୧୪ ମସିହାରେ ଅନୁଷ୍ଠିତ ୩୫ ଓ ୩୬ତମ ଜାତୀୟ ଶ୍ରମ ସମ୍ମିଳନୀର ନିଷ୍ପତି ଅନୁଯାୟୀ ସମସ୍ତ ବର୍ଗର ଶ୍ରମିକମାନଙ୍କୁ ମାନ୍ୟତା ପ୍ରଦାନ କରିବା ସହ ସର୍ବନିମ୍ନ ମଜୁରୀ ମାସିକ ଛବିଶ ହଜାର ଟଙ୍କା କରିବା ପାଇଁ  ଘୋଷଣା କରା ଯାଇଥିଲା। ସେହିଭଳି କେନ୍ଦୁଝର ଜିଲ୍ଲାରେ ସମସ୍ତ ବନ୍ଦ ଖଣି ଚାଲୁ କରିବା, ଛଟେଇ ଓ ସ୍ଥାନୀୟ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା, ଖଣିରେ କାର୍ଯ୍ୟରତ ସମସ୍ତ ଠିକାଦାର ଶ୍ରମିକ ମାନଙ୍କୁ ବାସଗୃହ ଯୋଗାଇବା ସହ ମାଗଣାରେ ଚିକିତ୍ସା ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବା, ସ୍ଲରି ପାଇପ୍ ଯୋଗେ ଲୁହାପଥର ଗୁଣ୍ଡ ପଠାଇବା ବନ୍ଦ ତରି ସ୍ଥାନୀୟ ଟ୍ରକ୍ ଗୁଡିକୁ ପରିବହନରେ ପ୍ରଧାନ୍ୟ ଦେବା, ଖଣି ଅଂଚଳର ସମସ୍ତ ରାସ୍ତା ମରାମତି କରିବା, ବିଶେଷ କରି ଯୋଡା କାଳିମାଟି ଓ ପଳାଶପଂଗା ରାସ୍ତା  ନିର୍ମାଣ କାର୍ଯ୍ୟ ବର୍ଷା ପୂର୍ବରୁ ଶେଷ କରିବାକୁ ଦାବି ଜଣାଉଛୁ।ଏହି ପରିପ୍ରେକ୍ଷୀରେ ଅଖିଳ ଭାରତ ଟ୍ରେଡ୍ ୟୁନିୟନ କଂଗ୍ରେସ(ଏଆଇଟିୟୁସି) , କେନ୍ଦୁଝର ଜିଲା କମିଟି ତରଫରୁ ଶନିବାର କେନ୍ଦୁଝର କାଳୀପଡ଼ିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି କେନ୍ଦୁଝର ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ଏହି ବିକ୍ଷୋଭ ସମାବେଶକୁ ଉଦବୋଧନ ଦେଇ ଏଆଇଟିୟୁସିର ରାଜ୍ୟ କାର୍ଯ୍ୟକାରୀ ସଭାପତି ସାଥୀ ମହେଶ୍ବର ରାଉତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଶୋଷଣ ନୀତିକୁ ସମାଲୋଚନା କରିଥିଲେ। ଜିଲ୍ଲା ସଂପାଦକ ସାଥୀ କପିଳ ମହାନ୍ତି ସମେତ ସାଥୀ ରାଜାରାମ ମୁଣ୍ଡା, କାହ୍ନୁ ସାମଲ, ଶ୍ରୀହରି ଘଣା, ହୃଦାନନ୍ଦ ପାତ୍ର, ବିରଂଚି ଦେହୁରୀ, ବଦ୍ରୁ ଜାମା ,ବାଗରା ଚାତ୍ତାର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ