ଉନ୍ମତ୍ତ ବ୍ୟକ୍ତିକୁ ଧରି ଫାଣ୍ଡିର ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ହାଟଡିହି-(ବିକାଶ ବିଶ୍ବାଳ): ଦୁଇଦିନ ହେଲା ଗାଁ ଲୋକଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଗୋଡାଉଥିବା ବ୍ୟକ୍ତିକୁ କାବୁ କରି ଗାଁ ଲୋକେ ଫାଣ୍ଡିର ଦ୍ୱାରସ୍ଥ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୁଚ଼ନା ଅନୁସାରେ କେ.ବାଲିପାଳ ପଞ୍ଚାୟତ ମୟୁରନଚା ଗ୍ରାମର ଜଣେ ବ୍ୟକ୍ତି କିଛି ବର୍ଷ ପୁର୍ବେ ଗାଁରେ ହଣାମରା କରି ଜେଲ ଯାଇଥିଲା। ଦୁଇ ବର୍ଷ ହେଲା ଜେଲରୁ ଫେରିଥିଲା। ଇତିମଧ୍ୟରେ ତାର ସ୍ତ୍ରୀ, ଛୁଆପିଲା ଘର ଛାଡି ପଳାଇଥିବା ବେଳେ ସେ ଏକୁଟିଆ ରହୁଥିଲା। ଉକ୍ତ ବ୍ୟକ୍ତି ଜଣକ ଦୁଇଦିନ ହେଲା ହାତରେ ଏକ ମାରଣାସ୍ତ୍ର ଧରି ଗାଁ ଲୋକଙ୍କୁ ମାରି ଗୋଡ଼ାଉଛି। ଯାହାକୁ ନେଇ ଗାଁ ଲୋକେ ଘରୁ ବାହାରକୁ ବାହାରି ପାରୁ ନଥିଲେ। ଆଜି ଅପରାହ୍ନରେ କିଛି ଲୋକ ଉକ୍ତ ବ୍ୟକ୍ତିଙ୍କୁ କାବୁକରିବା ପରେ ଏକ ଭଡା ଗାଡି କରି ବ୍ୟକ୍ତି ଜଣଙ୍କୁ ବଉଳା ଫାଣ୍ଡିକୁଧରି ଆସିଛନ୍ତି। ଏପରିକି ୫୦ ରୁ ଉର୍ଦ୍ଧ୍ଵ ବ୍ୟକ୍ତି ମଧ୍ୟ ଫାଣ୍ଡିକୁ ଆସି ଉକ୍ତ ବ୍ୟକ୍ତିଙ୍କୁ ଜେଲରେ ପୁରାନ୍ତୁ ବୋଲି ଦାବି କରିଛନ୍ତି। ମାତ୍ର ପୁଲିସ ସେପରି କିଛି କରିପାରିବ ନାହିଁ ବୋଲି କହିବା ପରେ ଗାଁଲୋକେ ହତାଶ ହୋଇ ଫାଣ୍ଡି ସମ୍ମୁଖରେ ବସିଥିବା ଜଣା ଯାଇଛି।