ସ୍କୁଟି ଦୁର୍ଘଟଣାରେ ନୃତ୍ୟାଙ୍ଗନା ସୁସ୍ମିତା ପଣ୍ଡାଙ୍କ ସମେତ ୩ଜଣ ମୃତ

ଗୁଣୁପୁର,(ୱାଇଏନଏସ): ଗୁଣପୁର ଥାନା ଶେଫାଳି ପାହାଡ଼ ମନ୍ଦିର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସେଫାଳି ପାହାଡ଼ ରାସ୍ତା ଦେଇ ଫେରୁଥିବା ବେଳେ ସ୍କୁଟିର ବ୍ରେକ ଫେଲ ଯୋଗୁଁ ନିୟନ୍ତ୍ରଣ ହରାଇ ଏକ ବିଦ୍ୟୁତ ଖୁଁଟରେ ପିଟି ହୋଇ ଗୁଣପୁରର ନୃତ୍ୟାଙ୍ଗନା ସସ୍ମିତା ପଣ୍ଡାଙ୍କ ସମେତ ସଂସ୍କୃତି ମନ୍ତ୍ରାଳୟର ଦୁଇ ଜଣ ଅଡିଟ କର୍ମଚାରୀ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଶମ୍ବୁଂନାଥ ଦାସ ଏବଂ କୋଲକତାର ସୁକୁମାର ଭୂୟାଁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ ମୃତ ନୃତ୍ୟାଙ୍ଗନାସସ୍ମୀତା ପଣ୍ଡା ଭଦ୍ରକ ଜିଲ୍ଲାରୁ ଆସି ଦୀର୍ଘ ବର୍ଷ ହେଲା ଗୁଣପୁରରେ ରହି ସ୍ଥାନୀୟ ଅଂଚଳର କୁନି କୁନି ଛୁଆଁଙ୍କୁ ବିଭିନ୍ନ ପ୍ରକାର ନୃତ୍ୟ ପ୍ରଶିକ୍ଷଣ ପ୍ରଦାନ କରୁଥିଲେ । ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ଠିକା ନୃତ୍ୟ ଶିକ୍ଷକ ରୂପେ ନିୟୋଜିତ ସସ୍ମିତାଙ୍କ ଇ ମାର୍ଟ ଭାରତୀୟ କଳା ଓ ସଂସ୍କୃତି କେନ୍ଦ୍ର ନାମରେ ଏକ ନୃତ୍ୟ ଶିକ୍ଷାନୁଷ୍ଠାନ ରହିଥିଲା । ଉକ୍ତ ନୃତ୍ୟ ଶିକ୍ଷାନୁଷ୍ଠାନକୁ ଅଡ଼ିଟ କରିବା ପାଇଁ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଶମ୍ବୁଂନାଥ ଦାସ ଓ ସୁକୁମାର ଭୂୟାଁ ଆସିଥିଲେ । ଗତକାଲି ଶୁକ୍ରବାର ରାତି ପାୟ ସାଢ଼େ ୮ ଟା ସମୟରେ ମୃତ ସସ୍ମିତା, ଶମ୍ବୁଂନାଥ ଓ ସୁକୁମାର ମିଶି ଏକ ସ୍କୁଟି ଯୋଗେ ଗୁଣପୁର ଶେଫାଳି ପାହାଡ଼ ସ୍ଥିତ ରାମେଶ୍ୱର ଶୈବ ପୀଠକୁ ଦର୍ଶନ ପାଇଁ ଯାଇଥିଲେ । ଦର୍ଶନ ସାରି ପାହାଡ଼ ରାସ୍ତାରେ ଫେରିବା ସମୟରେ ହଠାତ ସ୍କୁଟିର ବ୍ରେକ ଫେଲ ହୋଇ ଅତି ବେଗରେ ଗଢିଯିବା ଯୋଗୁଁ ସ୍କୁଟିଟି ନିୟନ୍ତ୍ରଣ ହରାଇ ମୂର୍ତ୍ତିକା ସଂରକ୍ଷଣ ଅଫିସ ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ଜୋରରେ ପିଟି ହୋଇଯାଇଥିଲା। ସମସ୍ତଙ୍କୁ ଗୁରୁତର ଆହତ ଅବସ୍ଥାରେ ଅଗ୍ନିସେବା ବିଭାଗ କର୍ମଚାରୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଗୁଣପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ଶମ୍ବୁନାଥ ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ସସ୍ମିତା ପଣ୍ଡାଙ୍କୁ ଶ୍ରୀକାକଲମ ସ୍ଥାନାନ୍ତର କରୁଥିବା ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଗୁରୁତର ଆହତ ସୁକୁମାର ଭୂୟାଁଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରି ଏକ ଘରୋଇ ହାସପାତଳରେ ଭର୍ତ୍ତି କରିବା ପରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଗୁଣପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସମସ୍ତ ମୃତକଙ୍କ ଶବକୁ ବ୍ୟଛଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସ୍ଵର୍ଗତଃ ନୃତ୍ୟାଙ୍ଗନା ସସ୍ମିତା ପଣ୍ଡାଙ୍କ ମରଶରୀରକୁ ସ୍ଵର୍ଗଦ୍ଵାରକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ଗୁଣପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ବିଭିନ୍ନ ମହଲରୁ ଭାବପୂର୍ଣ୍ଣ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ