ସରପଞ୍ଚ ଓ ପୁଲିସ ହସ୍ତକ୍ଷେପ ପରେ ଅଟକ ଟିପିଏସଓଡିଏଲ କର୍ମଚାରୀଙ୍କୁ ଛାଡ଼ିଲେ ଗ୍ରାମବାସୀ
ଦିଗପହଣ୍ଡି(ଅଳକ ନାଥ ମିଶ୍ର)ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ବୋରିପଦର ଗ୍ରାମରେ ଟିପିଏସଓଡିଏଲ ର ଚାରିଜଣ କର୍ମଚାରୀଙ୍କୁ ଗ୍ରାମବାସୀ ଗୁରୁବାର ଅପରାହ୍ନ ଠାରୁ ବିଳମ୍ବିତ ସନ୍ଧ୍ୟା ଯାଏଁ ଅଟକ ରଖିଥିଲେ।ସରପଞ୍ଚ ମନୋରଞ୍ଜନ ଗୌଡ଼ ଏବଂ ପୁଲିସ ଅଧିକାରୀ ଅଜୟ କୁମାର ନାୟକ ଙ୍କ ହସ୍ତକ୍ଷେପ ପରେ ସେମାନଙ୍କୁ ଗ୍ରାମବାସୀ ଛାଡିଥିବା ଜଣାପଡିଛି।ଗୁରୁବାର କର୍ମଚାରୀ ମାନେ ଘର ଗୁଡିକରେ ନୂଆ ମିଟର ଲଗାଇବା ପାଇଁ ଯାଇଥିବା ବେଳେ ପୂର୍ବରୁ ବିଦ୍ଯୁତ ବିଚ୍ଛିନ୍ନ କରି ଦିଆ ଯାଇଥିବା ପରିବାର ଗୁଡିକ ଏକାଠି ହୋଇ ସେମାନଙ୍କୁ ଅଟକ ରଖିଥିଲେ। ବହୁବର୍ଷ ପୂର୍ବେ ହରିଜନ ସାହିର ବିପିଏଲ ଶ୍ରେଣୀର ଗରିବ ହିତାଧିକାରୀ ମାନଙ୍କୁ କୁଟୀର ଜ୍ଯୋତି ଯୋଜନାରେ ବିଦ୍ଯୁତ ସଂଯୋଗ କରାଯାଇଥିଲା।ସେମାନଙ୍କ ଠାରୁ ପ୍ରତି ମାସରେ ବିଦ୍ଯୁତ ଦେୟ ଆଦାୟ କରାନଯାଇ ଏକକାଳୀନ ହଜାର ହଜାର ଟଙ୍କାର ବିଲ୍ ଦିଆଯାଇଥିଲା।ପରିବାର ଗୁଡିକ ଟଙ୍କା ପ୍ରଦାନ କରିବାରେ ଅସମର୍ଥ ହେବାରୁ ଗତ ଫେବୃଆରୀ ମାସରେ ସେମାନଙ୍କ ଘର ଗୁଡିକରୁ ବିଦ୍ଯୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଥିଲା।ଆଗକୁ ପିଲାଙ୍କ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଥିବା ଅନୁରୋଧ କରି ହିତାଧିକାରୀ ମାନେ ମହଲତ ମାଗିଥିଲେ ମଧ୍ୟ ବିଭାଗର କର୍ମଚାରୀ ଆଦୌ କର୍ଣ୍ଣପାତ କରିନଥିଲେ। ଗୁରୁବାର ଗାଁ କୁ ଆସିଥିବା କର୍ମଚାରୀ ମାନଙ୍କୁ ଲୋକେ ଅଟକ ରଖି ପ୍ରଥମେ ବିଦ୍ଯୁତ ସଂଯୋଗ କରାନଗଲେ ସେମାନଙ୍କୁ ଛଡାଯିବ ନାହିଁ ବୋଲି ସଂପୃକ୍ତ ପରିବାର ଲୋକେ ଅଡି ବସିବା ପରେ ଖବର ପାଇ ପୋଲିସ ଏଏସଆଇ ଅଜୟ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚିଥିଲେ।ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୌଡ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ପରିବାର ଗୁଡିକୁ ବିଦ୍ଯୁତ ସଂଯୋଗ କରାଯାଇଥିବା ବେଳେ ଅଟକ କର୍ମଚାରୀଙ୍କୁ ଗ୍ରାମବାସୀ ମୁକ୍ତ କରିଥିବା ଜଣାପଡିଛି।