ନାମ ରସ
ତୁମ ନାମ ରସ
ପାନ କରି ପ୍ରଭୁ
ଏ ଜନମ ଯାଉ ସରି,
ଆଉ ଯେତେ ରସ
ଏ ସଂସାରେ ଅଛି
ବିଷୟା ରହିଛି ଭରି ।
ତୁମ ନାମ ରସ
ସଂସାରେ ପିୟୂଷ
ବିଷୟା ବିଷକୁ ଗଦ,
ତୁଣ୍ଡେ ଧରିଦେଲେ
ସ୍ବର୍ଗ ସୁଖ ମିଳେ
ଖଣ୍ଡଇ ଭବ ପ୍ରମାଦ ।
ସନ୍ଦେହ ଯାହାର
ମନେ ଉପୁଜୁଛି
ପଢୁ ସେ ପୋଥି ପୁରାଣ,
ଦିବ୍ଯ ନାମ ରସ
ସ୍ମରଣ କିର୍ତ୍ତନେ
ସନ୍ଦେହ ହେବ ମୋଚନ ।
ଜଳରେ ଦେଖିବ
ଗଜ ଉଦ୍ଧାରଣ
ସଭାରେ ବସନ ଦାନ,
ଘୋର ଅରଣ୍ୟରେ
ଚିନ୍ତିଲା ମୃଗୁଣୀ
ସ୍ତମ୍ବେ ନୃସିଂହ ଦର୍ଶନ।
ତିନି ପାଦ ଭୂମି
ବଳିଠାରୁ ମାଗି
ବଳିକୁ ପାତାଳେ ଚାପି,
ବଡ ଦେଉଳରେ
ଦାରୁବ୍ରହ୍ମ ରୂପ
ଅନ୍ତ ନ ପାଆନ୍ତି ତପୀ ।
ଜଳ ସ୍ଥଳ ନଭ
ଯହିଁ ରହିଥିବ
ବିପତ୍ତି ଆସିଲେ ମାଡି,
ବିଭୁ ନାମ ରସ
ସ୍ମରଣ ଭଜନେ
ବିପଦ ଯିବ ଯେ ଉଡି ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ