ବିକଶିତ କୃଷି ସଂକଳ୍ପ ଅଭିଯାନ
ପୋଲସରା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ନିମିନା କଲ୍ଯାଣ ମଣ୍ଡପରେ ପୋଲସରା ବ୍ଳକ କୃଷି ବିଭାଗ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ୨୯ ମଇ ଠାରୁ ଆରମ୍ଭ ହୋଇ ୧୨ ଜୁନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ବ୍ଯବସ୍ଥା ରହିଛି। ଦୈନିକ, ଭାରତର ୭୦୦ ଜିଲ୍ଲାରେ ୨୦୦୦ କୃଷି ବୈଜ୍ଞାନିକ ଉପସ୍ଥିତ ରହି ସାଢ଼େ ଏକ କୋଟି କୃଷକଙ୍କ ସହିତ ସିଧା ଆଲୋଚନା କରିବାକୁ ନିଶ୍ଚିତ କରାଯାଇଛି। ଜୁନ ୧୦ ତାରିଖ ଦିନ ନିମିନା ଗ୍ରାମରେ ପୋଲସରା ଗୋଷ୍ଠୀ କୃଷି ଅଧିକାରୀ ଗଣେଶ୍ୱର ସାହୁଙ୍କ ତତ୍ତ୍ଵାବଧାନରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ମାଧ୍ଯମରେ କୃଷକମାନଙ୍କୁ ମିଳୁଥିବା ସୁବିଧା ବିଷୟରେ ଆଲୋକପାତ କରିଥିଲେ। ସରକାରଙ୍କ ଯୋଜନାରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଇବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଭୁବନେଶ୍ବରର କୃଷି ବୈଜ୍ଞାନିକ ଡଃ ଏସ. ସୌରଭ, ଡଃ ଆଶିଷ ମୈଇତି ଓ କେ ବି କେ ଜିଲ୍ଲା କୃଷି କେନ୍ଦ୍ରର ଡ଼ଃ ସନ୍ଦିପ ମହାନ୍ତି, ଡଃ ସିଦ୍ଧାର୍ଥ ରଣବିଜୁଳି ଯୋଗଦାନ କରି ବିକଶିତ କୃଷି ବିଷୟରେ ଆଲୋଚନା କରିଥିଲେ। ସଚେତନତା କାର୍ଯ୍ୟକ୍ରମରେ ମନ୍ତ୍ରୀ ବ୍ୟକ୍ତିଗତ ସଚିବ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଲୋକ ପ୍ରତିନିଧି ଓ ନିମିନା ଓ ମାଳତେନ୍ତୁଳିଆ ପଞ୍ଚାୟତର ବହୁ କୃଷକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।