ଆନ୍ଧ୍ର ସୀମାନ୍ତରେ ମହିଳା ଥାନା ଆବଶ୍ୟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସ୍ୱତନ୍ତ୍ର ମହିଳା ଥାନାର ଆବଶ୍ଯକତା ରହିଛି ବୋଲି ମହିଳା ଆଇନଜୀବୀ, ମହିଳା ସ୍ବେଚ୍ଛାସେବୀମାନେ ମତବ୍ୟକ୍ତ କରିଛନ୍ତି. ସେମାନେ ମହିଳାମାନଙ୍କ ସୁରକ୍ଷା ଓ ହିତ ଦୃଷ୍ଟିରୁ ମହିଳା ଥାନା ପ୍ରତିଷ୍ଠା କରାଯାଉ ବୋଲି କହିଛନ୍ତି. ପାରଳାଖେମୁଣ୍ଡି ଠାରେ ଆଦର୍ଶ ଥାନା ରହିଛି ତଥାପି ମହିଳା ମାମଲା ଗୁଡିକର ସଠିକ୍ ସମୟରେ ସମାଧାନ କରିବା କଷ୍ଟକର ହେଉଛି।ଏହି ଥାନାରେ ହାରାହାରି ୪୦୦ କେଶ୍ ଗୋଟିଏ ବର୍ଷରେ ପଂଜିକୃତ ହୋଇଥାଏ। ସେଥିରୁ ଶତକଡା ୪୦ ଭାଗ ମାମଲା ମହିଳା ସମସ୍ୟା ରହିଥାଏ। ଉକ୍ତ ଥାନାରେ ୨ଜଣ ସବ୍ ଇନିସପେକ୍ଟର ଏବଂ ୪ଜଣ କନେଷ୍ଟବଳ ମହିଳା ଅଛନ୍ତି। କେଶ୍ ଗୁଡିକର ତର୍ଜମା କରିବା ସମୟ ସାପେକ୍ଷ ହୋଇପାରୁନାହିଁ। ଜିଲ୍ଲାରେ ସର୍ବମୋଟ ୯ଟି ଥାନା ରହିଛି। ବହୁ ମହିଳା ସମସ୍ୟା ମାମଲା ଗୁଡିକ ତର୍ଜମା କରିବାକୁ ମହିଳା ପୋଲିସ କର୍ମଚାରୀ ବହୁତ କମ୍ ସଂଖ୍ୟକ ରହିଛନ୍ତି। ମହିଳାଙ୍କ ଉପରେ ଅତ୍ୟାଚାର, ଯୌତୁକ ଜନିତ ମାମଲା ତଥା ବର୍ତ୍ତମାନ ଦେଖାଦେଇଥିବା ସାଇବର୍ କ୍ରାଇମ୍ ସମସ୍ୟା ଗୁଡିକ ଦିନକୁ ଦିନ ବଢ଼ି ଚାଲିଛି. ଏହି ସବୁ ସମସ୍ୟାର ସମାଧାନ ପାଇଁ ଅଗ୍ରଣୀ ମହିଳା ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ ମିନତୀ ପାଢୀଙ୍କ ମତରେ ମହିଳାମାନେ ନିଜ ସମସ୍ୟା ଗୁଡିକୁ ଅଭିଯୋଗ ଆଣିଲା ବେଳେ ମହିଳା ଅଫିସରଂକ ଅନୁପସ୍ଥିତି ଯୋଗୁଁ ମୁକ୍ତ ଭାବେ ପୁରୁଷ ଅଫିସ ରଙ୍କ ନିକଟରେ ପ୍ରକାଶ କରିବା ପାଇଁ ଭୟ କରିଥାନ୍ତି। ସମସ୍ତ ମହିଳା ପୋସ୍କୋ ଆଇନ ତଥା ମହିଳା ମାନଂକ ଉପରେ ହେଉଥିବା ଅତ୍ୟାଚାର ସଂପର୍କରେ ଏବେବି ଅବଗତ ନୁହନ୍ତି। ତେଣୁ ପ୍ରତେକ ମହିଳାଙ୍କୁ ଏହି ସମସ୍ତ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କ୍ରିତ ନୀତି ନିୟମ ଗୁଡିକ ନେଇ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ମହିଳା ସଙ୍ଗଠନର ମୁଖ୍ୟ ମିନତୀ ପଟ୍ଟନାୟକ କହିଛନ୍ତି. ସେହିପରି ବରିଷ୍ଠ ଆଇନଜୀବୀ ଭାଗ୍ୟଲକ୍ଷ୍ମୀ ନାଏକଂକ ମତରେ, ଅଧିକାଂଶ ମହିଳାମାନେ ଥାନାକୁ ଯିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି। ସେମାନଙ୍କର ନିଜ ଭିତରେ ଭୟ ରହିଥାଏ। ତେଣୁ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ମହିଳା ଥାନା ପ୍ରତିଷ୍ଠା କରାଗଲେ ମହିଳାମାନେ ମହିଳା ପୋଲିସ ଅଧିକାରୀଙ୍କ ଠାରେ ସେମାନଙ୍କର ସମସ୍ୟା, ଅତ୍ୟାଚାର ଆଦି ନେଇ ଟିକିନିକି ଭାବେ ଜଣାଇପାରିବେ. ଏଥିସହ ମହିଳା ପୋଲିସ ଅଧିକାରୀଙ୍କ ଠାରୁ ମଧ୍ୟ ମହିଳାମାନଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ନୀତି ନିୟମ ସମ୍ପର୍କରେ ସୂଚନା ପାଇପାରିବେ. ଗଜପତିର ଅନ୍ୟତମା ପ୍ରମୁଖ ମହିଳା ସମାଜସେବୀ ନିର୍ମଳା ପଟ୍ଟନାୟକଂକ ମତରେ ତ୍ରୁଣମୂଳ ସ୍ତରରେ ମହିଳାମାନେ ଏବେବି ମୁକ୍ତ ନୁହନ୍ତି। ସେମାନେ ପାରିବାରିକ ଓ ସାମାଜିକ ସ୍ତରରେ ବିଭିନ୍ନ ଅତ୍ୟାଚାର ମଧରେ ବହୁ ଦୁଃଖ କଷ୍ଟ ପାଇ ଆସୁଛନ୍ତି. ଏସବୁ ଘଟଣାକୁ ମୁକ୍ତ କଣ୍ଠରେ ବର୍ତ୍ତମାନ ଥାନାରେ ରହୁଥିବା ବିଶେଷକରି ପୁରୁଷ ପୋଲିସ ଅଧିକାରୀଙ୍କୁ କହିବାକୁ କୁଣ୍ଠାବୋଧ କରୁଛନ୍ତି। ତେଣୁ ଏହି ଭଳି ଗୁରୁତର ସମସ୍ୟା ଗୁଡିକୁ ଦୂର କରିବାକୁ ପାରଳାଖେମୁଣ୍ଡି ଠାରେ ସ୍ୱତନ୍ତ୍ର ମହିଳା ଥାନାର ଆବଶ୍ଯକତା ରହିଛି। ସରକାର ଓ ପଦସ୍ତ ପୋଲିସ ପଦାଧିକାରୀ ପାରଳାଖେମୁଣ୍ଡି ଠାରେ ସ୍ୱତନ୍ତ୍ର ମହିଳା ଥାନା ସ୍ଥାପନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମହିଳା ସମାଜସେଵୀ ନିର୍ମଳା ପଟ୍ଟନାୟକ ଦାବି ଉପସ୍ଥାପନା କରିଛନ୍ତି`