ଜବରଦଖଲ ଉଚ୍ଛେଦକୁ କେନ୍ଦ୍ରକରି ଉତ୍ତେଜନା
ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଭ୍ରମରପୁର ଗ୍ରାମର ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା । ଗ୍ରାମର ଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ରାସ୍ତା କଡ କୁ କିଛି ବାସିନ୍ଦା ଜବରଦଖଲ କରି ଦୋକାନ ଏବଂ ବାସଗୃହ କରିବା ଦ୍ବାରା ରାସ୍ତା ସମ୍ପୂର୍ଣ୍ଣ ରୂପେ ସଂକୀର୍ଣ୍ଣ ହୋଇଥିଲା । ଏପରିକି ଜନସାଧାରଣଙ୍କ ଯାତାୟାତ ଏବଂ ପରିବହନ ସହ ଠାକୁର ଙ୍କ ରଥଯାତ୍ରା ସମୟରେ ରଥ ଗଢ଼ିବା ସମୟରେ ଛୋଟମୋଟ ଦୁର୍ଘଟଣା ଘଟି ଆସୁଥିଲା । ଏହାକୁ ନେଇ ପୂର୍ବରୁ ତହସିଲ କାର୍ଯ୍ୟାଳୟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ତହସିଲ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇଥିଲା । ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ନେତୃତ୍ଵରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ , ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ୍ , କେ . ନୂଆଗାଁ ଥାନା ଅଧିକାରୀ କିଶୋର ସାମଲ , ଦିଗପହଣ୍ଡି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ. କାର୍ତ୍ତିକେଶ୍ବର ପ୍ରଧାନ , ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସ୍ବରାଜ ପାଣିଗ୍ରାହୀ ସମେତ ବିଦ୍ୟୁତ ବିଭାଗ ଏବଂ ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ମାନଙ୍କ ଉପସ୍ଥିତିରେ ରାସ୍ତାର ଉଭୟ ପାର୍ଶ୍ଵରେ ରହିଥିବା ଦୋକାନ ଗୃହ ଓ ବାସଗୃହକୁ ଜେସିବି ମେସିନ ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା । ଏହି ସମୟରେ ପୁଲିସ ପ୍ରଶାସନ ତରଫରୁ ଏକ ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଥିଲା । ଏହି ଉଚ୍ଛେଦ ସମୟରେ ରାଜସ୍ବ ସୁପ୍ରଭାଇଜର ବାବୁ ସେଠୀ , ତିଳୋତ୍ତମା ଦୋରା , ରାଜସ୍ବ ନୀରିକ୍ଷକ ସୁନିଲ ବେହେରା , ସନାତନ ରଣା , ବିଘ୍ନେଶ୍ୱର ଆଚାର୍ଯ୍ୟ , ଉପେନ୍ଦ୍ର ବେହେରା , ସଂଯୁକ୍ତା ମହାପାତ୍ର , ଅତିରିକ୍ତ ରାଜସ୍ବ ନୀରିକ୍ଷକ ଶିବାଶିଷ ପଟ୍ଟନାୟକ ଙ୍କ ସମେତ ରାଜସ୍ବ କ୍ଷେତ୍ର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ସରକାରୀ ଜମି ଓ ରାସ୍ତା କଡ କୁ ଗ୍ରାମର ପ୍ରଭାବଶାଳୀ ବ୍ୟକ୍ତି ଘର ଓ ଦୋକାନ ଗୃହ ନିର୍ମାଣ କରିଥିଲେ ମଧ୍ୟ ଉଚ୍ଛେଦ କରାଯାଇନଥିବା କାରଣରୁ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।ଗ୍ରାମର ସମାଜସେବୀ ତଥା ଜଗନ୍ନାଥ ମନ୍ଦିର ପରିଚାଳକ ସୁଶାନ୍ତ କୁମାର ଷଡଙ୍ଗୀ ଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ବ୍ୟକ୍ତି ଉପସ୍ଥିତ ପୁଲିସ ପ୍ରଶାସନିକ ଅଧିକାରୀ ଙ୍କୁ ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟ ଙ୍କ ଆଦେଶ ର ନକଲ ଦେଖାଇଥିଲେ ମଧ୍ୟ ସେମାନେ ଏହାକୁ ଖାତିର କରିନଥିଲେ।ପୂର୍ବରୁ ତହସିଲ ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମିଳିତ ସର୍ଭେ କରାଯାଇ ଉଚ୍ଛେଦ ପାଇଁ ମାର୍କିଂ କରାଯାଇଥିଲା । ପୂର୍ବରୁ ମାର୍କ କରାଯାଇଥିବା କିଛି ପ୍ରଭାବଶାଳୀ ଙ୍କ ଘର ଓ ଦୋକାନ ଗୃହ ଗୁଡ଼ିକୁ ଭଙ୍ଗା ନଯାଇ ଗରିବ ଅସହାୟ ବଳରାମ ହୋତା ,ମହେଶ୍ୱର ଆଚାରୀ,ପ୍ରଫୁଲ୍ଲ ମିଶ୍ର,ପ୍ରକାଶ ମିଶ୍ର ଙ୍କ ଘର ଭାଙ୍ଗି ଦେବାରୁ ବହୁ ସଂଖ୍ୟକ ଗ୍ରାମବାସୀ ବିରୋଧ କରିଥିଲେ।ଜବରଦଖଲ ଉଚ୍ଛେଦ ସମୟରେ ପାତର ଅନ୍ତର କରାଯାଇଥିବା ଅଭିଯୋଗକୁ ତହସିଲଦାର ଅସ୍ବୀକାର କରିଛନ୍ତି।ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ସେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।ଅପରପକ୍ଷରେ ଗ୍ରାମର ବହୁ ସଂଖ୍ୟକ ସଚେତନ ଜନସାଧାରଣ ଖୁବ୍ ଶୀଘ୍ର ବ୍ରହ୍ମପୁର ଉପ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଜବରଦଖଲ ଉଚ୍ଛେଦ ରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପାତର ଅନ୍ତର କରାଯାଇଥିବା ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି।


