ଆନ୍ତଃ ଜିଲ୍ଲା ପେନସନ ଅଦାଲତ ଉଦଯାପିତ

କୋରାପୁଟ, ୨୨/୦୫/୨୬ (ହେମନ୍ତ ପାଣିଗ୍ରାହୀ) : ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନ ଆନୁକୂଲ୍ୟରେ ଓ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ସହଯୋଗରେ ଆୟୋଜିତ ଦୁଇଦିନିଆ ଆନ୍ତଃ ଜିଲ୍ଲା ପେନସନ ଅଦାଲତ ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଉଦଯାପିତ ହୋଇଯାଇଛି। କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଅବସରପ୍ରାପ୍ତ ସରକାରୀ ପୋଲିସ କର୍ମଚାରୀଙ୍କର ୪୮୬ଟି ପେନସନ, ଭବିଷ୍ୟନିଧି ଓ ଅବସରକାଳୀନ ବକେୟା ପ୍ରାପ୍ୟ ଅଭିଯୋଗର ଶୁଣାଣି କରାଯାଇଥିଲା। କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରା, ଉପ ମହାଲେଖାକାର ଶୁଭମ ବୈଜ୍ୟନାଥ ସ୍ୱାମୀ, ଯୁଗ୍ମ ଶାସନ ସଚିବ ଅସିତ କୁମାର ପାଣି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆମ୍ବିତ ମହାନ୍ତି, ବରିଷ୍ଠ ଲେଖା ଅଧିକାରୀ ଶରତ କୁମାର ମହାପାତ୍ର ଓ ଅଭିଜିତ କୁମାର ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅଭିଯୋଗ ଶୁଣିଥିଲେ। ଆରକ୍ଷୀ ଅଧୀକ୍ଷକ ଶ୍ରୀ ବର୍ମା ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ଠିକ ସମୟରେ ମିଳିବା ଓ ଅବସର ପୂର୍ବରୁ ପେନସନ ଆବେଦନ ମହାଲେଖାକାର କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପ ମହାଲେଖାକାର ଓ ନିର୍ଦ୍ଦେଶକ ଅବସରକାଳୀନ ପ୍ରାପ୍ୟ ଆବେଦନ ସଠିକ ଭାବେ ମଞ୍ଜୁର କରି ପଠାଇବା ପାଇଁ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସରରେ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଫଇସଲା କରାଯାଇଥିବା ପେନସନ ମଞ୍ଜୁର ଆଦେଶ ପତ୍ର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଥିଲା। ବରିଷ୍ଠ ଲେଖା ଅଧିକାରୀ ଅଭିଜିତ କୁମାର, ସହକାରୀ ଲେଖା ଅଧିକାରୀମାନେ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ