ଅଧ୍ୟାପକଙ୍କ ଜନ୍ମ ତାରିଖ ସଂଶୋଧନ ମାମଲା: ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

କଟକ,(ଓ୍ବାଇଏନଏସ) : ଜଣେ ଇଂରାଜୀ ଅଧ୍ୟାପକଙ୍କ ଚାକିରି ସଂପର୍କିତ ଫାଇଲରେ ଜନ୍ମ ତାରିଖ ସଂଶୋଧନ କରିବା କ୍ଷେତ୍ରରେ ଉଚ୍ଚଶିକ୍ଷା ବିଭାଗ ବିଳମ୍ବ କରୁଥିବା ବେଳେ ସେ କିନ୍ତୁ ଏହି ପଦରେ କାର୍ଯ୍ୟ କରିବେ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଚାକିରି ସଂକ୍ରାନ୍ତ ଫାଇଲରେ ଜନ୍ମ ତାରିଖ ସଂଶୋଧନ ‌ହୋଇ ନଥିବାରୁ ଅଧ୍ୟାପକ ଜୁନ ୩୦ରେ ଅବସର ଗ୍ରହଣ କରିଥାନ୍ତେ। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଯାଜପୁର ଅଙ୍ଗାଳୋସ୍ଥିତ ଲଛମନଜିଉ କଲେଜର ଅଧ୍ୟାପକ ଆଲୋକଚନ୍ଦ୍ର ବାରିକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପାଇଁ ଅଧ୍ୟାପକ ଜୁନ ୩୦ରେ ଅବସର ନ ନେଇ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଜ ପଦବିରେ କାର୍ଯ୍ୟ କରିବେ। ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ୧୯୮୩ରେ ମାଟ୍ରିକ୍ ପାସ୍ କରିଥିବା ବେଳେ ତାଙ୍କ ଆଡମିଟ୍ କାର୍ଡ ଓ ପ୍ରୋଭିଜନାଲ ସାର୍ଟିଫିକେଟରେ ଜନ୍ମ ତାରିଖ ୧୯୬୭, ଜୁନ୍ ୬ ଉଲ୍ଲେଖ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୧୯୮୪ରେ ସେ ପାଇଥିବା ଚୂଡାନ୍ତ ମାଟ୍ରିକ୍ ସାର୍ଟିଫିକେଟରେ ଜନ୍ମତାରିଖ ୧୯୬୫, ଜୁନ ୬ ବୋଲି ଉଲ୍ଲେଖ କରାଯାଇଥିଲା। ବାରମ୍ବାର ଅନୁରୋଧ ପରେ ବି ତାଙ୍କ ମାଟ୍ରିକ୍ ସାର୍ଟିଫି‌କେଟରେ ଜନ୍ମ ତାରିଖ ସଂଶୋଧନ ହୋଇ ପାରିନଥିଲା। ୨୦୨୫ ଏପ୍ରିଲରେ ବୋର୍ଡ ପକ୍ଷରୁ ଆବେଦନକାରୀଙ୍କ ଜନ୍ମ ତାରିଖ ସଂଶୋଧନ କରାଯାଇ ସାନି ମାଟ୍ରିକ୍ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହାପରେ ଚାକିରି ସଂପର୍କିତ ଫାଇଲରେ ଜନ୍ମତାରିଖ ସଂଶୋଧନ ପାଇଁ ସେ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରିଥିଲେ। ଆବେଦନକାରୀ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିବା ଲଛମନଜିଉ କଲେଜର ଅଧ୍ୟକ୍ଷଙ୍କ ତରଫରୁ ଏ ନେଇ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ମଧ୍ୟ ଆବେଦନକାରୀଙ୍କ ଚାକିରି ସଂପର୍କିତ ଫାଇଲରେ ପ୍ରକୃତ ଜନ୍ମ ତାରିଖ ସଂଶୋଧନ ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା। କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଡକ୍ଟର ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ