ରଥରେ ସତ କୁହ

ରଥକୁ ଚାହିଁଛି ସାରା ଜଗତ
ବିଜେ କରୁଛନ୍ତି ଜଗତନାଥ,
ଶ୍ରୀମନ୍ଦିର ଛାଡି ବଡଦାଣ୍ଡରେ
ଧାଡି ପହଣ୍ଡିରେ ଆସୁଛି ଧିରେ ।

ବାଜେ ଭେରୀତୁରୀ ବିଜେ କାହାଳୀ
ଢଳି ଢଳି ଚାଲେ ଭଳିକି ଭଳି,
ଦଣ୍ଡେ ରହିଯାଏ ଭକ୍ତଙ୍କୁ ଚାହିଁ
ଶ୍ରୀଅଙ୍ଗରୁ ଶ୍ରମ ଝାଳ ବହଇ ।

ରଥେ କୃପାନେତ୍ରେ ଭକ୍ତଙ୍କୁ ଚାହିଁ
ପଛେ ଚାଲେ ଆଗରେ ବଡଭାଇ,
ମଝିରେ ଚାଲିଛି ହରିଦ୍ରା ମୁହିଁ
ଭକତ ଗହଳି ତୁଳନା ନାହିଁ ।

ହରିବୋଲ ହୁଳହୁଳି ଶଦ୍ଦରେ
ଚଉଦିଗ କମ୍ପେ ଶଙ୍ଖ ଧ୍ବନିରେ,
ଡାହୁକ ଡାକଇ ବେତ ହଲାଇ
ରଥ ଭିଡ ଭକ୍ତ ମୁକତି ପାଇଁ ।

ଆଷାଢ ମାସରେ ଝଡି ବରଷା
ଭସା ବଦଲକୁ ନାହିଁ ଭରଷା,
ବେଗେ ଭିଡିନିଅ ରଥ ଆଗକୁ
ଗୁଣ୍ଡିଚା ମନ୍ଦିର ଜନ୍ମ ବେଦୀକୁ ।

ଧିରେ ଧିରେ ଭିଡ ରଥ ଦଉଡି
ଦଉଡି ଛିଡି କେ ନ ଯାଅ ପଡି,
ରଥ ଦଉଡିକୁ ଧରିଥା ହାତେ
ଜୀବନ ଦଉଡି ଜଗାର ହାତେ ।

ବଡଶଙ୍ଖ ଡେଇଁ ଶରଧା ବାଲି
ରଥ ଗଡିଯାଏ ଆଗକୁ ଚାଲି,
ମାଆ ରହିଥାଏ ପୁଅକୁ ଚାହିଁ
ବେଳ ଗଡିଗଲା ପହଞ୍ଚି ନାହିଁ ।

ଆଶା ଆଶଙ୍କାରେ ରାତି ବିତିବ
ପୁଅକୁ ଅନାଇଁ ମାଆ ବସିବ,
ରଥେ ବସି ପଥେ ରାତି କଟିବ
ଭକ୍ତ ସିନା ଖୁସି ମାଆ ନ ହେବ ।

ରଥେ ଥାଇ ସତ କୁହ ଗୋସେଇଁ
କିଏ ତୁମ ପ୍ରିୟ କ’ଣ ପାଇଁ,
ଭକ୍ତରେ ଦାୟୀ ନା ମାଆରେ ଦାୟୀ
ରଥଯାତ୍ରା କରୁ କୁହ କା’ପାଇଁ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ