ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କୁ ଚାକିରିରୁ ସସପେଣ୍ଡ କଲେ ସରକାର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଓଡିଶାର ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପାରଳାଖେମୁଣ୍ଡି କୋର୍ଟରେ ଆତ୍ମସମର୍ପଣ କରିବା ପରେ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି। ଓଡ଼ିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଦ୍ୟାଭାରତୀଙ୍କୁ ସସପେଣ୍ଡ କରାଯାଇଛି. ପାରଳାଖେମୁଣ୍ଡି ଥାନା ଅଧିକାରୀ ଏବଂ ସ୍ଥାନୀୟ କୋର୍ଟରୁ ମିଳିଥିବା ସୂଚନାକୁ ଆଧାରକୁ ନେଇ ପ୍ରାଣୀ ସମ୍ପଦ ବିଭାଗ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି. ସୂଚନାଯୋଗ୍ୟ ଯେ,ବିଦ୍ୟାଭାରତୀ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଧୀନସ୍ଥ ସାଳଚୁଆ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ରରେ ପ୍ରାଣୀ ସମ୍ପଦ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଗତ ୨ ତାରିଖରେ ସେ ପାରଳାଖେମୁଣ୍ଡି କୋର୍ଟରେ ହାଜର ହେବା ପରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା ଓ ତାଙ୍କୁ ପାରଳାଖେମୁଣ୍ଡି ଜେଲ ହାଜତକୁ ପଠାଇ ଦିଆଯାଇଛି। ବିଗତ ୨୦୨୧ ମସିହା ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ରହସ୍ୟଜନକ ପରିସ୍ଥିତିରେ ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିଲେ। କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଥିଲା। ଏଥିରେ ବିଦ୍ୟାଭାରତୀଙ୍କ ସମେତ ତତ୍କାଳୀନ ପାରଳା ଡିଏଫଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମ ରହିଥିଲା। ବର୍ତ୍ତମାନ ବିଦ୍ୟାଭାରତୀଙ୍କ ସହ ଡ଼ିଏଫଓ ଓ ରୋଷେୟା ପାରଳାଖେମୁଣ୍ଡି ଜେଲ ହାଜତରେ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ