ଏଫ.ଏମ.କଲେଜ ଘଟଣା: ନ୍ୟାୟିକ ତଦନ୍ତ ଦାବି ଓ ମହିଳା ସୁରକ୍ଷା ପାଇଁ ୧୭ରେ ଓଡିଶା ବନ୍ଦ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :ଫକୀର ମୋହନ ମହାବିଦ୍ୟାଳୟର ଜନୈକା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ଏକ ବ୍ୟବସ୍ଥାକୃତ ହତ୍ୟା ବୋଲି ମିଳିତ ବିରୋଧୀ ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଏହି ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଉଚ୍ଚ ନ୍ୟାୟାଳୟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରାଯାଉ। ନୈତିକତା ଦୃଷ୍ଟିରୁ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଏବଂ ବାଲେଶ୍ୱର ବିଧାୟକ ଇସ୍ତଫା ଦିଅନ୍ତୁ। ବାଲେଶ୍ୱର ସାଂସଦ, ବିଧାୟକ, ଜିଲ୍ଲାପାଳ ଏବଂ ଏସପି ଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଏହି ଘଟଣାରେ ସମଗ୍ର ରାଜ୍ୟ ସ୍ତମ୍ଭିଭୂତ ହୋଇ ଯାଇଛି। ଉପୋରକ୍ତ ଦାବି ଉପରେ ମହିଳା ସୁରକ୍ଷା ପାଇଁ ଶହୀଦ ଛାତ୍ରୀଙ୍କ ସ୍ମୃତିରେ ୧୭ ଜୁଲାଇରେ ଓଡ଼ିଶା ବନ୍ଦକୁ ଜନସାଧାରଣ ସମର୍ଥନ ଦେଇ ସଫଳ କରିବା ପାଇଁ ବିରୋଧୀ ଦଳ ମାନେ ନିବେଦନ କରିଛନ୍ତି। ବିଜେପିର କୁଶାସନ ରାଜ୍ୟର ସମସ୍ତ ସମଭାବାପନ୍ନ ଦଳ ଏବଂ ସଂଗଠନ ମାନେ ଏକାଠି ହୋଇ ଏହି ବନ୍ଦକୁ ସଫଳ କରିବା ନିମନ୍ତେ ଆହ୍ୱାନ ଦିଆଯାଇଛି। ତିନି ଦିନ ବ୍ୟାପୀ ତମାମ ରାଜ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଅୟୋଜନ କରାଯିବ। ଛାତ୍ର-ଛାତ୍ରୀଙ୍କ ମନ୍ଦିର ହେଉଛି ଶିକ୍ଷାନୁଷ୍ଠାନ। ସେଠାରେ ଛାତ୍ରଛାତ୍ରୀଙ୍କର ନିରାପତ୍ତା ନାହିଁ। ଭୟଙ୍କର ଦୁର୍ନିତୀ, ଜାଲିଆତି, ପାତର ଅନ୍ତର, ମାର୍କ ପାଇଁ ମାନସିକ ଚାପ, କ୍ୟାରିୟର ପାଇଁ ଯୌନ ନିର୍ଯାତନା ଭଳି ଘଟଣା ଘଟିବା ଅତ୍ୟନ୍ତ ଉଦବେଗଜନକ ଏବଂ ଚିନ୍ତାଜନକ। ସମଗ୍ର ବ୍ୟବସ୍ଥାରେ ଦୁର୍ନୀତି କର୍କଟ ରୋଗ ଭଳି ଗ୍ରାସ କରିଛି। ସରକାରୀ ଶିକ୍ଷାନୁଷ୍ଠାନ ଠାରୁ ଘରୋଇ ଶିକ୍ଷାନୁଷ୍ଠାନର ସ୍ଥିତି ଆହୁରି ଭୟଙ୍କର। ବ୍ୟବସାୟିକ ଶିକ୍ଷାନୁଷ୍ଠାନ ମାନେ ପ୍ରାଇଭେଟ୍ ଗୁଣ୍ଡା ବାହିନୀ ରଖିଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଘଟିଥିବା ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଏବଂ ପୁଣି ଗୁଣ୍ଡା ବାହିନୀ ଦ୍ୱାରା ନେପାଳୀ ଛାତ୍ରଛାତ୍ରୀଙ୍କୁ ପାଶବିକ ଆକ୍ରମଣ ଘଟଣାରେ ମୋହନ ସରକାର କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ସରକାରଙ୍କ ଉଦାସୀନତା ଯୋଗୁଁ କ୍ୟାମ୍ପସ ଗୁଡ଼ିକରେ ମାନସିକ ନିର୍ଯାତନା, ଯୌନ ନିର୍ଯାତନା ଏବଂ ମାଫିଆ ରାଜ କାର୍ଯ୍ୟ ଅଧିକ ବଳ ବତ୍ତର ହୋଇଛି। ଫକୀର ମୋହନ ମହାବିଦ୍ୟାଳୟ ଘଟଣା ଏହି ଘୃଣ୍ୟ କାର୍ଯ୍ୟର ଏକ ପ୍ରତିଫଳନ ମାତ୍ର ବୋଲି ବିରୋଧୀ ଦଳ ମାନେ କହିଛନ୍ତି।ଏହି କେଳେଙ୍କାରୀ ସାଙ୍ଗକୁ ମାଲକାନାଗିରିରେ ସାମ୍ୱାଦିକଙ୍କୁ ହତ୍ୟା, ଗଞ୍ଜାମ ଜିଲ୍ଲାରେ ପୁଣି ମହିଳାଙ୍କୁ ଗଣ ଦୁଷ୍କର୍ମ, ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ଧରାକୋଟରେ ଦଳିତଙ୍କ ଉପରେ ପାଶବିକ ଅତ୍ୟାଚାର, ଶିମିଳିପାଳ ଅଭୟାରଣ୍ୟରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଦ୍ୱାରା ଆଦିବାସୀ ମହିଳାଙ୍କ ଉପରେ ଯୌନ ନିର୍ଯାତନା, ମାଲକାନଗିରିରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ, ରାଜ୍ୟ ତମାମ୍ ବଙ୍ଗଳା ଭାଷାଭାଷୀ ନାଗରିକଙ୍କୁ ଅଯଥା ଗିରଫ ଓ ଡିଟେନସନ,ବିଏମସି ଅଧିକାରୀଙ୍କ ଉପରେ ବିଜେପି କର୍ମୀ ମାନେ ବର୍ବର ଆକ୍ରମଣ କରିବା, ନୀଳଗିରି ବିଧାୟକଙ୍କ ମହିଳା ନେତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, ରଥଯାତ୍ରା ପରିଚାଳନାରେ ଅବହେଳା ଯୋଗୁଁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଅନେକ ଗୁରୁତର ଭାବେ ଆହତ ଇତ୍ୟାଦି ସମସ୍ତ ଘଟଣା ରେ ମୋହନ ସରକାରଙ୍କ ବିଫଳତା, ବ୍ୟର୍ଥତା,ଅପାରଗତା ପ୍ରମାଣିତ ହୋଇଛି। ରାଜ୍ୟରେ ଜଙ୍ଗଲରାଜ ଚାଲିଛି। ସମଗ୍ର ପୋଲିସ୍ ବିଭଗ ସ୍ଥାଣୁ ପାଲଟିଛି। ଓଡ଼ିଶା ରାଜ୍ୟ ବର୍ତ୍ତମାନ୍ ଅପରାଧୀଙ୍କ ଚରାଭୂଇଁ ହୋଇଛି। ମୋହନ ମାଝୀ ସରକାର ଶାସନ କରିବାର ସମସ୍ତ ନୈତିକ ଅଧିକାର ହରାଇଛନ୍ତି ବୋଲି ମିଳିତ ବିରୋଧୀ ଦଳ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ବିଜେପି ଶାସନର ଜଙ୍ଗଲରାଜ ବିରୋଧରେ ମହିଳା, ଛାତ୍ରୀ, ଶିଶୁ, ବରିଷ୍ଠ ନାଗରିକ, ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ନିରାପତ୍ତା, ସାମାଜିକ ସୁରକ୍ଷା, ସାମ୍ବିଧାନିକ ଅଧିକାର ଏବଂ ମାନବିକ ଅଧିକାର ପାଇଁ ୧୭ ଜୁଲାଇରେ ଓଡ଼ିଶା ବନ୍ଦ ପାଳନ କରାଯିବ। ଆଜି ପୂର୍ବାହ୍ନରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଅନୁଷ୍ଠିତ ମିଳିତ ବୈଠକରେ କଂଗ୍ରେସ ଜିଲ୍ଲା ସଭାପତି ପ୍ରଫୁଲ୍ଲ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଜିଲ୍ଲା ନେତା ଜଗତଜୀବନ ଦାଶ,ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଜିଲ୍ଲା ନେତ୍ରୀ ସଂଯୁକ୍ତା ରାଉତ,ଏସ ୟୁ ସିଆଇ (କମ୍ୟୁନିଷ୍ଟ)ଜିଲ୍ଲା ସମ୍ପାଦିକା ଏଲିନା ସାମନ୍ତରାୟ, ଶ୍ରମିକ ନେତା ପ୍ରକାଶ ମହନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସାରା ଜିଲ୍ଲାର ସହରାଞ୍ଚଳ, ଗ୍ରାମାଞ୍ଚଳ ସମେତ ସମସ୍ତ ସ୍କୁଲ, କଲେଜ, ରାସ୍ତାଘାଟ, ଦୋକାନ ବଜାର, ଅଫିସ ଦପ୍ତର ଓ ପ୍ରତିଷ୍ଠାନ ବନ୍ଦ ରଖିବାକୁ ବୈଠକରେ ଜନସାଧାରଣଙ୍କୁ ନିବେଦନ କରାଯାଇଛି।


