ଆସିକାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଣ: ପ୍ରତିଯୋଗିତା ଦୌଡରେ ୪୪ ସଂସ୍ଥା
ଆସିକା (ୱାଇଏନ୍ଏସ୍) :୨୦୨୫-୨୬ ଶିକ୍ଷାବର୍ଷ ଗତ ଏପ୍ରିଲ ମାସ ୨ ତାରିଖରୁ ଆରମ୍ଭ ହୋଇସାରିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେନ୍ଦୁପଦର, ନିମିନା, ବାଲିସିରା, ଗଙ୍ଗାପୁର, କେ.ନୁଆଁପଲ୍ଲୀ, ଆସିକା ସଦର, ନଳବଣ୍ଟା, କାଳଷଣ୍ଢପୁର, ହରିଡାପଦର, ଖାରିଆ, ବାବନପୁର, ଭେଟନଇ, ବଡଖୋଲି କ୍ଳଷ୍ଟର ଅଧୀନସ୍ଥ ୧୬୦ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଗତ ଜୁନ୍ ମାସ ଶେଷ ସୁଦ୍ଧା ୧୭୬୬୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ଜଣାପଡିଛି । ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇସାରିଛି । ଆସିକା ବ୍ଲକ ଓ ଏନ୍ଏସି ଅଧୀନସ୍ଥ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକୁ ୟୁନିଫର୍ମ ଯୋଗାଇବା ପାଇଁ ୪୪ଟି ସଂସ୍ଥା ଇଛାପତ୍ର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠାନ ରହିଥିବା ଜଣାପଡିଛି । ବିଦ୍ୟାଳୟ ଗୁଡିକୁ ୟୁନିଫର୍ମ ଯୋଗାଇବା ପାଇଁ କିପରି ଅର୍ଡର ପାଇବେ ତାହାକୁ ନେଇ କେତେକ ସଂସ୍ଥା ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସରକାରୀ ବିଦ୍ୟାଳୟ ଗୁଡିକୁ ୟୁନିଫର୍ମ ସିଲେଇ କରି ଯୋଗାଇବା ପାଇଁ ସ୍ପଷ୍ଟ ନିୟମ ଥିଲେ ମଧ୍ୟ ଅତୀତରେ କେତେକ ସଂସ୍ଥା ବଜାରରୁ ନିମ୍ନମାନର ୟୁନିଫର୍ମ କିଣି ଯୋଗାଇଥିବା ଚର୍ଚ୍ଚା ହେଉଛି । ଅପର ପକ୍ଷରେ ଅନ୍ୟ କେତେକ ପୋଷାକ ବ୍ୟବସାୟୀ ୟୁନିଫର୍ମ ଯୋଗାଇବାକୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ମୋହରା କରିବାକୁ ମସୁଧା ଚଳାଇଥିବା ଜଣାପଡିଛି । ଅତୀତରେ ସ୍କୁଲ ପରିଚାଳନା କମିଟିର ନିଷ୍ପତି ଅନୁସାରେ ବଜାରରୁ ୟୁନିଫର୍ମ କିଣାଯାଇ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିଲା । ତେବେ ଗତ ଶିକ୍ଷାବର୍ଷରୁ ଏଥିରେ ପରିବର୍ତ୍ତନ କରାଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ପୂର୍ବପରି ଆଉ ବଜାରରୁ ୟୁନିଫର୍ମ କିଣିପାରିବେ ନାହିଁ । ଯେଉଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସିଲେଇ ମେସିନ୍ ରହିଛି ସେମାନେ କିମ୍ବା ପୋଷାକ ସିଲେଇ କରୁଥିବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାନରୁ ୟୁନିଫର୍ମ କିଣି ଯୋଗାଇବାକୁ ନିର୍ଦ୍ଦେଶ ରହିଥିଲା । ପ୍ରଶାସନ ପକ୍ଷରୁ ଗଠିତ କମିଟି ଶେଷ ନିଷ୍ପତି ନେଉଥିଲା ଓ ଯେଉଁ ସଂସ୍ଥା କେଉଁ କେଉଁ ସ୍କୁଲକୁ ୟୁନିଫର୍ମ ଯୋଗାଇବ ତାହା ବିଦ୍ୟାଳୟକୁ ଅବଗତ କରାଯାଉଥିଲା । ଆସିକା ଅଞ୍ଚଳର କେତେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସିଲେଇ ମେସିନ୍ ୟୁନିଟ୍ ନଥିଲେ ମଧ୍ୟ ବଜାରରୁ କିଣି ବିଦ୍ୟାଳୟକୁ ୟୁନିଫର୍ମ ଯୋଗାଉଥିଲେ । ଏହାରି ଫଳରେ ବହୁ ବ୍ୟବସାୟୀଙ୍କ ଭଲ ବେପାର ବି ହେଉଥିଲା । ଗତବର୍ଷ ଆସିକା ଅଞ୍ଚଳର ୪ଟି ଗୋଷ୍ଠୀ ବିଦ୍ୟାଳୟକୁ ୟୁନିଫର୍ମ ଯୋଗାଇଥିବା ବେଳେ ଚଳିତ ବର୍ଷ ୪୪ ଜଣ ପୋଷାକ ଯୋଗାଇ ପାଇଁ ଆବେଦନ କରିଥିବା ଜଣାପଡିଛି । ଶିକ୍ଷାବିଭାଗ କର୍ତ୍ତୃପକ୍ଷ ଉପଯୁକ୍ତ ଯାଞ୍ଚ କରି ପ୍ରକୃତ ସଂସ୍ଥାକୁ ୟୁନିଫର୍ମ ଯୋଗାଇ ପାଇଁ ନିର୍ଦ୍ଦେଶ ଦେବା ସକାଶେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି।