ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ଘଟଣା : ଗିରଫ ହେଲେ ପୁରୁଷ ବନ୍ଧୁ
କେନ୍ଦ୍ରାପଡ଼ା,:କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ କାଠିଆପଡା ଗ୍ରାମର ଛାତ୍ରୀ ଜଳିଯିବା ଘଟଣା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଛାତ୍ରୀଙ୍କ ପୁରୁଷବନ୍ଧୁ ଛାତ୍ରୀଙ୍କ ମୋବାଇଲକୁ ୬୦ରୁ ଅଧିକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପଠାଇଥିଲେ। ଏହାକୁ ଆଧାର କରି ତେରେଇ ଗ୍ରାମର ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ପ୍ରମୋଦକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ପୁରୁଷବନ୍ଧୁଙ୍କ ପରିବାର ଓ ତାଙ୍କ ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନେ କହଛନ୍ତି ଛାତ୍ରୀଙ୍କ ମୃତ୍ୟୁ ପଛରେ ପ୍ରମୋଦଙ୍କର କୌଣସି ଭୂମିକା ନାହିଁ। ଛାତ୍ରୀଙ୍କ ବାପା ହିଁ ତାଙ୍କୁ ମାରି ପ୍ରମୋଦକୁ ଫସାଇଛନ୍ତି। ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଛାତ୍ରୀଙ୍କ ମୃତ୍ୟୁ ଆତ୍ମହତ୍ୟା ଯୋଗୁଁ ହୋଇଛି କି ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। କାରଣ ଆମେ ଏସ୍ଏଫଏଲ(ଷ୍ଟେଟ୍ ଫରେନ୍ସିକ ସାଇନ୍ସ ଲାବୋରେଟୋରୀ) ରିପୋର୍ଟ, ଏଫଏମ୍ଟି ଡାକ୍ତରଙ୍କ ରିପୋର୍ଟ ଓ ସାଇଣ୍ଟିଫିକ ଟିମ୍ର ରିପୋର୍ଟକୁ ଅପେକ୍ଷା କରିଛୁ। ଏହି ତିନୋଟି ରିପୋର୍ଟ ଆସିବା ପରେ ସ୍ପଷ୍ଟ ସୂଚନା ମିଳିବ ଯେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି। ସେଥିପାଇଁ ଆଉ ୫/୬ ଦିନ ସମୟ ଲାଗିବ। ଯେପର୍ଯ୍ୟନ୍ତ ଏହି ତିନୋଟି ବିଭାଗର ରିପୋର୍ଟ ଆସିନାହିଁ ସେପର୍ଯ୍ୟନ୍ତ ଛାତ୍ରୀ ମୃତ୍ୟୁ ଘଟଣାର ପ୍ରକୃତ କାରଣ କ’ଣ ତାହା ଜଣାପଡିବ ନାହିଁ ବୋଲି ଏସ୍ପି କହିଛନ୍ତି। ଏସ୍ପି କହିଛନ୍ତି ଛାତ୍ରୀଙ୍କ ବାପା ଅଭିଯୋଗ କରିଥିଲେ ଯେ ପୁରୁଷ ବନ୍ଧୁ ପ୍ରମୋଦ ତାଙ୍କ ଝିଅର ମୋବାଇଲକୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବଂ ଫଟୋ ପଠାଇଥିଲେ। ଯାହା ଫଳରେ ତାଙ୍କ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା। ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁରୁଷବନ୍ଧୁର ମୋବାଇଲ ଓ ଛାତ୍ରୀର ମୋବାଇଲ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚରୁ ଜଣାପଡିଥିଲା ଯେ ପ୍ରମୋଦ ଛାତ୍ରୀଙ୍କ ମୋବାଇଲକୁ ୬୦ରୁ ଅଧିକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ପଠାଇଥିଲେ। ଜୁଲାଇ ୧୭ରେ ଛାତ୍ରୀଙ୍କ ବାପାଙ୍କ ମୋବାଇଲକୁ ଝିଅର ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଆସିଥିଲା। କେବଳ ତାଙ୍କ ମୋବାଇଲକୁ ନୁହେଁ କାଠିଆପଡ଼ା ଗ୍ରାମର ଅନ୍ୟ କେତେକ ବ୍ୟକ୍ତିଙ୍କ ମୋବାଇଲକୁ ଛାତ୍ରୀ ଓ ପୁରୁଷବନ୍ଧୁ ପ୍ରମୋଦଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଆସିଥିଲା। ଯଦି କୌଣସି ବ୍ୟକ୍ତି କୌଣସି ଯୁବତୀଙ୍କ ମୋବାଇଲକୁ କୌଣସି ଅଶ୍ଳୀଳ ଭିଡିଓ ପଠାଇବେ ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯିବ। ସେହି ଆଧାରରେ ପ୍ରମୋଦକୁ ଗିରଫ କରାଯାଇଛି ବୋଲି ଏସ୍ପି ଶ୍ରୀ କଟ୍ଟାରିଆ କହିଛନ୍ତି। ଅନ୍ୟପକ୍ଷରେ ପ୍ରମୋଦଙ୍କ ପରିବାର ସମେତ ତାଙ୍କ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଘେରାଉ କରିଥିଲେ। ସେମାନେ ଦାବି କରିଥିଲେ ଯେ ପ୍ରମୋଦ ନିରୀହ। ପ୍ରମୋଦକୁ ଫସାଇ ଦିଆଯାଇଛି। ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକେ ହିଁ ମାରିଛନ୍ତି। ଏଥିରେ ପ୍ରମୋଦଙ୍କର କୌଣସି ଭୂମିକା ନାହିଁ। ତେଣୁ ତାଙ୍କୁ କୋର୍ଟଚାଲାଣ କରା ନଯାଉ ବୋଲି ସେମାନେ ଦାବି କରିଥିଲେ। ହେଲେ ଏହି ଅଭିଯୋଗ ଉପରେ ଏସ୍ପି କହିଛନ୍ତି ପ୍ରମୋଦ ଯୁବତୀଙ୍କ ମୋବାଇଲକୁ ୬୦ରୁ ଅଧିକ ଅଶ୍ଳୀଳ ଭିଡ଼ିଓ ଏବଂ ଫଟୋ ପଠାଇଥିବାର ପ୍ରମାଣ ମିଳିଛି। ତେଣୁ ସେହି ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଛାତ୍ରୀଙ୍କୁ କିଏ ମାରିଛି ତାହାର ପ୍ରମାଣ ମିଳିଲେ ତାଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରକାଶ ଥାଉକି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରୁ ସଂପୃକ୍ତ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ସିଡି ଘରୁ ପୋଲିସ ଗତ ଜବତ କରିଥିଲା। ଛାତ୍ରୀଙ୍କ ବାପା ଅଭିଯୋଗ କରିଥିଲେ ଯେ ତେରେଇ ଗ୍ରାମର ଜଣେ ଯୁବକ ପ୍ରମୋଦ ବେହେରାଙ୍କୁ ତାଙ୍କ ଝିଅ ଭଲ ପାଉଥିଲେ। ହେଲେ କିଛି ମାସ ତଳେ ଉଭୟଙ୍କ ସଂପର୍କ ଛିନ୍ନ ହୋଇଥିଲା। କିନ୍ତୁ ପ୍ରମୋଦ ବିଭିନ୍ନ ସମୟରେ ଅଶ୍ଳୀଳ ଭିଡିଓ ପଠାଉଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସର ଏକ ସ୍ୱତନ୍ତ୍ର ଦଳ ଏସ୍ପିଙ୍କ ନିର୍ଦ୍ଦେଶରେ ଚେନ୍ନଇ ଯାଇ ପ୍ରମୋଦଙ୍କୁ ଉଠାଇ ଆଣିଥିଲା। ପ୍ରମୋଦ ନିଜ ମୋବାଇଲରୁ ସମସ୍ତ ଫଟୋ ଓ ଭିଡିଓ ଡିଲିଟ୍ କରି ଦେଇଥିଲେ। ହେଲେ ସେହି ସବୁ ଭିଡିଓକୁ ରିଟ୍ରାଇଭ କରାଯାଇଥିଲା। ଏଥିରୁ ସ୍ପଷ୍ଟ ସୂଚନା ମିଳିଥିଲା ଯେ ପ୍ରମୋଦ ୬୦ରୁ ଊର୍ଦ୍ଧ୍ୱ ଅଶ୍ଳୀଳ ଫଟୋ ଓ ଏବଂ ଭିଡିଓ ପ୍ରମୋଦ ଛାତ୍ରୀଙ୍କ ମୋବାଇଲକୁ ପଠାଇଥିଲା। ତେଣୁ ସେହି ଆଧାରରେ ପ୍ରମୋଦକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ଏସ୍ପି ସୂଚନା ଦେଇଛନ୍ତି।


