ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ନୂତନ ଉଦ୍ୟୋଗ ଓ ଉଦ୍ଭାବନ ସଚେତନତା କାର୍ଯ୍ୟକ୍ରମ
ଖଲ୍ଲିକୋଟ (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ନୂତନ ଉଦ୍ୟୋଗ ଓ ଉଦ୍ଭାବନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଆଗ୍ରହରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ସଂଯୋଜକ ଡ. ଗୌତମ ସାବତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ ଓରମାସର ଡେପୁଟି ସି. ଇ. ଓ ଶ୍ରୀଯୁକ୍ତ ରାଜଗୋପାଳ ଦାଶ, ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଧିକାରୀ ଶ୍ରୀଯୁକ୍ତ ପ୍ରିୟାଂଶୁ ପଟ୍ଟନାୟକ, ଖଲ୍ଲିକୋଟ ମହାବିଦ୍ୟାଳୟ ପ୍ରାକ୍ତନ ଛାତ୍ର ସଂଘର ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଧର ପ୍ରମୁଖ ନିଜ ନିଜ ବକ୍ତବ୍ୟ ରେ ସରକାରୀ ଚାକିରୀକୁ ଅପେକ୍ଷା ନରଖି ଆତ୍ମନିର୍ଭରଶୀଳ ହେବା ପାଇଁ ପରାମର୍ଶ ଦେବା ସହ ‘ ଷ୍ଟାର୍ଟଅପ ‘ ର ବ୍ୟାଖ୍ୟା କରିଥିଲେ ଏବଂ ଏ ନିମନ୍ତେ ସରକାରୀ ସ୍ତରରୁ ମିଳୁଥିବା ଆର୍ଥିକ ସହାୟତା ତଥା ନୂତନ ଉଦ୍ୟୋଗ ଆରମ୍ଭ କରିବାର ମାର୍ଗ ଦର୍ଶନ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଏଭଳି କାର୍ଯ୍ୟକ୍ରମରେ ବିଶେଷ କରି ଛାତ୍ରଛାତ୍ରୀ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ।