ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନବାଗତଙ୍କୁ ସ୍ୱାଗତ
ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡାର ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନବାଗତ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ + ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅତିଥିଭାବେ ଭାଇସ ପ୍ରିନ୍ସପାଲ ହରିକୃଷ୍ଣ ନାୟକ, ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ଜୟରାମ ବିଷୋୟୀ ଓ ରାସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ମନୋଜ କୁମାର ଦାସ ଯୋଗଦେଇଥିଲେ। ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ପରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ସ୍ୱାଗତ କରିବା ସହ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମ କରି ଭଲଭାବେ ପାଠ ପଢି କଲେଜର ଗୌରବ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଲୋକନାଥ ବେହେରା ବିଭାଗର ନିୟମ ବିଷୟରେ ବକ୍ତବ୍ୟ ରଖିଥିବା ବେଳେ ଅନ୍ୟତମ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଭବିଷ୍ୟତରେ ସୁନାଗରିକ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ବିଭାଗର ଶୃଙ୍ଖଳା ରକ୍ଷା କରିବାକୁ ପରାମର୍ଶ ଦେବା ସହ ପୂର୍ବତନ ଛାତ୍ରଛାତ୍ରୀଙ୍କ ସଫଳତା ଉଲ୍ଲେଖ କରିବା ସହ ବର୍ତ୍ତମାନର ଛାତ୍ରଛାତ୍ରୀ ବୃନ୍ଦ ସେହି ପରମ୍ପରାକୁ ଅବ୍ୟାହତ ରଖିବାକୁ ଉତ୍ସାହିତ କରିଥିଲେ। ପ୍ରିନ୍ସପାଲ ଡକ୍ଟର ମିଶ୍ର ନିଜ ବକ୍ତବ୍ୟରେ ରାଜନୀତି ବିଜ୍ଞାନ ବିଭାଗକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବେ ପାଠ ପଢିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା ସଭାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ପ୍ରଥମ ବର୍ଷର ଛାତ୍ରୀମାନେ ଉଦଯାପନି ସଙ୍ଗୀତ ଗାନ କରିଥିବା ବେଳେ ଦ୍ଵିତୀୟ ବର୍ଷର ଛାତ୍ରୀ ଗୀତାଞ୍ଜଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


