କୁଆଡ ଗାଁକୁ ନାହିଁ ରାସ୍ତା: ମିଳିନି ରାଜସ୍ଵ ଗ୍ରାମର ମାନ୍ୟତା

ହାଟଡିହି (ଓ୍ବାଇଏନଏସ): ସ୍ବାଧୀନତାର ୭୯ବର୍ଷ ପରେ ବି ବିକାଶ ଖୋଜୁଛି ହାଟଡିହି ବ୍ଲକ ସମଣା ପଞ୍ଚାୟତର କୁଆଡ ଗାଁ । ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲେ ବି ଆଜି ପର୍ଯ୍ୟନ୍ତ ରାଜସ୍ଵ ଗ୍ରାମର ମାନ୍ୟତା ପାଇ ପାରିନି। ଗାଁ ରେ ୯୦ରୁ ଉର୍ଦ୍ଧ୍ୱ ପରିବାର ବସ ବାସ କରୁଥିଲେ ବି ଗାଁକୁ ସବୁ ଦିନିଆ ରାସ୍ତା ନଥିବାରୁ ଗାଁ ଲୋକେ ସ୍ବାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। କେନ୍ଦୁଝର ଜିଲ୍ଳାର ହାଟଡିହି ବ୍ଲକ ସଦର ମହକୁମା ଠାରୁ ୧୬କିଲୋମିଟର ଦୂରରେ ବୈତରଣୀ କୂଳରେ ଅବସ୍ଥିତ ଏହି କୁଆଡ ଗ୍ରାମ। ଗ୍ରାମଟି ସମଣା ରାଜସ୍ଵ ଗ୍ରାମ ଅଧିନରେ ଅଛି। ଗ୍ରାମରେ ୯୦ରୁ ଉର୍ଦ୍ଧ୍ୱ ପରିବାର ର ୬୦୦ରୁ ଉର୍ଦ୍ଧ୍ବ ଲୋକ ବାସ କରନ୍ତି। ଅଧିକାଂଶ ପରିବାର ଚାଷବାସ ଉପରେ ନିର୍ଭର କରିଥାନ୍ତି। କିଛି ଲୋକ ସରକାରୀ ଚାକିରି ସହିତ ଭଲ ପଦ ପଦବୀରେ ବି ଅବସ୍ଥାପିତ ଅଛନ୍ତି। କିନ୍ତୁ ଗାଁ ଟି ରାଜସ୍ଵ ଗ୍ରାମର ମାନ୍ୟତା ପାଇ ପାରିନି। ଯଦିଓ ସରକାର ଏହାକୁ ରାଜସ୍ଵ ଗ୍ରାମର ମାନ୍ୟତା ଦେବାକୁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, କିନ୍ତୁ ଘୋଷଣାକୁ ବାକି ରହିଛି। ସେହିପରି ଏହି ଗାଁ କୁ ରାସ୍ତା ଖଣ୍ଡିଏ ନଥିବାରୁ ଗାଁ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବର୍ଷ ବର୍ଷ ଧରି ରାସ୍ତା ପାଇଁ ଦାବି କରିଆସୁଥିଲେ ବି ଆଜି ପର୍ଯ୍ୟନ୍ତ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇ ନପାରିବାରୁ  କିଛି ଲୋକ ଗାଁ ଛାଡ଼ି ବାହାରକୁ ଆସି ରହିବାକୁ ବାଧ୍ୟ ହୋଇଛନ୍ତି। ଗାଁ କୁ ମରୁଆ ଠାରୁ କେନାଲ ବାଟ ଦେଇ ଗୋଟିଏ ରାସ୍ତା ଥିବା ବେଳେ ବର୍ଷା ଦିନେ ଯାତାୟତ ବନ୍ଦ ହୋଇ ଯାଉଛି। କାଦୁଅ ଯୋଗୁଁ ଲୋକେ ଅଢେଇଦ୍ଵାର ନିକଟରେ ଗାଡ଼ି ରଖି ୨ରୁ ୩କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି। ସେହିପରି ସରିଦା ଗାଁ ଦେଇ ଅନ୍ୟ ଏକ ରାସ୍ତା ଥିଲେ ବି ତାହାର ଅଵସ୍ଥା ଶୋଚନୀୟ। ଅନେକ ଦିନ ତଳେ ମୋରମ କିଛି ପକାଯାଇ ରାସ୍ତା ନିର୍ମାଣ ହୋଇଥିବା ବେଳେ ବର୍ଷା ଦିନେ ତାହାବି ଯାତାୟତ ଅନୁପଯୋଗୀ ହୋଇ ପଡିଛି। ମୋଟର ସାଇକେଲଟିଏ ବି ଯାଇ ପାରୁନି। ଯେଉଁଥିପାଇଁ ଗାଁ ରେ କାହାର ଦେହ ଖରାପ ହେଲେ ଗାଁ କୁ ଆମ୍ବୁଲାନ୍ସ ଯାଇ ପାରୁନି। ସେମାନଙ୍କୁ ପ୍ରଥମେ ଖଟିଆରେ ବୋହି ସରିଦା କିମ୍ବା ମରୁଆ ପର୍ଯ୍ୟନ୍ତ ନେବାପରେ ସେଠାରୁ ୪ଚକିଆ ଗାଡ଼ି କିମ୍ବା ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆ ଯାଉଛି। ଏଥିପାଇଁ ଗାଁ ର ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ  ଯିବା ଆସିବା କରି ପାରୁ ନାହାନ୍ତି। ପଞ୍ଚାୟତର ଅନ୍ୟ ସବୁ ଗାଁକୁ ପକ୍କା ରାସ୍ତା ଥିବାବେଳେ ଏହି ଗାଁଟି ପ୍ରତି କେହି ଗୁରୁତ୍ଵ ଦେଉ ନବାରୁ ଗାଁ ଟି ଅବହେଳିତ ଅବସ୍ଥାରେ ଅଛି। ସେହିପରି ଗାଁ ରେ ସ୍କୁଲ ଘରଟିଏ ଥିବା ବେଳେ ୧୫ବର୍ଷରୁ ଉର୍ଦ୍ଧ ହେବ ତାହା ଭାଙ୍ଗି ପଡିଛି। ଗୋଟିଏ କୋଠରୀରେ ବସି ୫ଟି ଶ୍ରେଣୀର ପିଲାମାନେ ଶିକ୍ଷାଲାଭ କରୁଛନ୍ତି। ମୂଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ  ଗ୍ରାମର ଏପରି ସମସ୍ୟାକୁ ନେଇ ମୁହଁ ଖୋଲିଛନ୍ତି ମହିଳା। ରାସ୍ତାରେ ଧାନ ରୋଇ ପ୍ରତିବାଦ କରିବା ସହ ମୂଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୂଖ୍ୟମନ୍ତ୍ରୀ ମୋହନ ମାଝୀ ସେମାନଙ୍କ ଦାବି ପ୍ରତି ଗୁରୁତ୍ଵ ଦେଇ ସବୁଦିନିଆ ରାସ୍ତା ନିର୍ମାଣ ଲାଗି ପଦକ୍ଷେପ ନେବେ ବୋଲି ଗ୍ରାମର ବସନ୍ତ କୁମାର ରାଉତ, ରବୀନ୍ଦ୍ର କୁମାର ସାହୁ, ଉମାକାନ୍ତ ରାଉତ, ନିରୁପମା ସେଠୀ, ମାଣିକ ବାରିକ, ସାବିତ୍ରୀ ସାହୁ, ଧରିତ୍ରୀ ବାରିକ,  ନିରୂପମା ସା, କୁମୁଦିନୀ ସେଠୀ, କଳ୍ପନା ବାରିକ, ଅନୁପମା ସେଠୀ, ଭାଗ୍ୟବତୀ ସା, ମାଣିକ ଦାସ, ଶାନ୍ତିଲତା ଦାସ, କୁମୁଦିନୀ ସେଠୀ, ଶୁଭାସ୍ମିତା ସେଠୀ, ସତ୍ୟପ୍ରୀୟା ବାରିକ, ଲିଜାରଣୀ ସାହୁ, ମନୋରମା ବାରିକ, କୋକିଳ ବାରିକ, ଚନ୍ଦ୍ରମଣି ବାରିକ, ପ୍ରମୁଖ ଗ୍ରାମବାସୀ ମାନେ ଆଶାବାଦୀ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ