ଅମଲା କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ୧୧ ଦିନ ବିତିଲା: ବ୍ଲକ ଓ ତହସିଲ କାର୍ଯ୍ୟ ଅଚଳ, ଲୋକେ ହୀନସ୍ତା
ନାଉଗାଁ,(ଓ୍ବାଇଏନଏସ): ୧୦ ଦଫା ଦାବି ନେଇ ଓଡିଶା ରାଜସ୍ୱ ଅମଲା ସଂଘର ନିଷ୍ପତି କ୍ରମେ ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଳକ, ତହସିଲ, ଆଇସିଡିଏସ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ୱ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରି ୧୧ ଦିନ ହେଲା ଛୁଟିରେ ରହିଛନ୍ତି। ଫଳରେ ଅଫିସ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି। ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ, ଅଥନୈତିକ କାରବାର ଓ ନଥିପତ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପଡିଛି। ଗୁରୁତ୍ୱପୂର୍ଣ୍ଣ କଥା ଏବେ ଛାତ୍ରଛାତ୍ରୀମାନଙ୍କର ସ୍କୁଲ ଓ କଲେଜରେ ନାମ ଲେଖା ଚାଲିଥିବା ବେଳେ ବିଭିନ୍ନ ସରକାରୀ ସହାୟତା ପାଇବା ପାଇଁ ଆବେଦନ ପକ୍ରିୟା ଚାଲୁରହିଛି।ଆବେଦନ ପାଇଁ ଆବାସ, ଜାତିଗତ, ଆୟଗତ ପ୍ରମାଣ ପତ୍ର ଆଦିର ଆବଶ୍ୟକତା ରହିଛି।ଏହି ପ୍ରମାଣ ପତ୍ର ପାଇବା ପାଇଁ ତହିସଲ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। କାର୍ଯ୍ୟାଳୟର କର୍ମଚାରୀମାନେ ଛୁଟିରେ ଥିବାରୁ ଲୋକେମାନେ ପ୍ରମାଣ ପତ୍ର ପାଇବାରୁ ବଂଚିତ ହେଉଛନ୍ତି।ସେହିପରି ଆଇସିଡିଏସ୍ କାର୍ଯ୍ୟାଳୟରେ ଅନୁରୂପ ଅବ୍ୟବସ୍ଥା ଲାଗି ରହିଛି। ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପଯୁକ୍ତ ସମୟରେ ଲୋକେମାନେ ସେବା ନ ପାଇବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସରକାରୀ ବିଧି ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଏହି ଆନ୍ଦୋଳନରେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅଶୋକ ସାହୁ, ଅଭିରାମ ରାଉତରାୟ, ସରୋଜ କୁମାର ସାହୁ, ନିରୋଜ କୁମାର ମହାପାତ୍ର, ଭଞ୍ଜକିଶୋର ବେହେରା, ନିହାର ରଂଜନ ଦାସ, ସୌମ୍ୟଶ୍ରୀ ସୌମ୍ୟଦର୍ଶିନୀ ରାୟ, ବ୍ଲକ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଜଗନ୍ନାଥ ମଲ୍ଲିକ, ବିପିନ ମହାନ୍ତି, ସୁଶାନ୍ତ ବିଶ୍ୱାଳ, ସିଡିପିଓ କାର୍ଯ୍ୟାଳୟର ବିଶ୍ୱମ୍ବର ମହାନ୍ତି ପ୍ରମୁଖ ସାମିଲ ହୋଇଛନ୍ତି।


