ସମସ୍ୟା ଘେରରେ ବିଇଓ ଅଫିସ: ଭାରପ୍ରାପ୍ତ ବିଇଓ, ଡେପୁଟେସନ କିରାଣୀଙ୍କ ଦ୍ୱାରା ଚାଲିଛି ଅଫିସ କାର୍ଯ୍ୟ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ବିଭିନ୍ନ ସମସ୍ୟା ଘେରରେ ରହିଛି । ସ୍ଥାୟୀ ଅଧିକାରୀ ଓ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ମିଳିଥିବା ସୂଚନା ଅନୁଯାୟୀ ଏହି କାର୍ଯ୍ୟାଳୟରେ ଦୀର୍ଘ ୧୭ ମାସ ହେବ ସ୍ଥାୟୀ ବ୍ଲକ ଶିକ୍ଷାଧିକାରୀ ନାହାନ୍ତି । ଫଳରେ ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ସମସ୍ତ ଅଫିସ କାର୍ଯ୍ୟ ଚାଲିଛି । ଗତ ୨୦୨୪ ମାର୍ଚ୍ଚ ୩୧ରେ ସ୍ଥାୟୀ ବ୍ଲକ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକ ଅବସର ନେବା ପରେ ଏଠାରେ ଅଦ୍ୟାବଧି କୌଣସି ସ୍ଥାୟୀ ବ୍ଲକ ଶିକ୍ଷାଧିକାରୀଙ୍କୁ ନିଯୁକ୍ତି ଦିଆଯାଇନାହିାଁ ଶ୍ରୀମତୀ ନାୟକ ଅବସର ନେବା ପରେ ପ୍ରଫୁଲ୍ଲ କୁମାର ସାହୁ ଦୀର୍ଘ ୧୦ ମାସ ଧରି ଭାରପ୍ରାପ୍ତ ବିଇଓ ଦାୟୀତ୍ୱରେ ଥିଲେ । ପରେ ଗତ ଫେବୃଆରୀ ମାସ ଠାରୁ ସୁକିର୍ତ୍ତୀ କର ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ସେହିପରି ଏଠାରେ ୩ ଏବିଇଓ ପଦବୀ ରହିଥିବା ବେଳେ ଗତ ମେ ମାସ ଠାରୁ ଗୋଟିଏ ଏବିଇଓ ପଦବୀ ଖାଲି ପଡିଛି । ଫଳରେ ୨ ଜଣ ଏବିଇଓ କାର୍ଯ୍ୟ ତୁଲାଉଛନ୍ତି । ଏଠାରେ ମୁଖ୍ୟ, ବରିଷ୍ଠ ଓ କନିଷ୍ଠ ଆଦି ୩ କିରାଣୀ ପଦବୀ ଖାଲି ପଡିଥିବା ବେଳେ ଡେପୁଟେସନରେ ଆସିଥିବା ଜଣେ କିରାଣୀଙ୍କ ଦ୍ୱାରା କାର୍ଯ୍ୟ ଚାଲିଛି । ଗତ ୨୦୨୧ ମସିହା ଠାରୁ ଏମ.ଆଇ.ଏସ କମ୍ କୋ ଅଡିନେଟର ପଦବୀ ଖାଲି ପଡିଛି । ଏଠାରେ ୩ ଜଣ କମ୍ପ୍ୟୁଟର କମ୍ ସପୋର୍ଟିଂ କର୍ମଚାରୀ ଓ ୨ ଜଣ ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟ କରୁଛନ୍ତି । ଅପରପକ୍ଷେ ଏହି ଅଫିସ ଅଧିନରେ ୧୮ ଆଞ୍ଚଳିକ ସାଧନ କେନ୍ଦ୍ର ରହିଥିବା ବେଳେ ୧୭୮ ସରକାରୀ ବିଦ୍ୟାଳୟ ରହିଛି । ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ପଦବୀ ଖାଲି ପଡିଥିବାରୁ ଅଫିସ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ସେହିପରି ବର୍ଷା ଦିନେ ଅଫିସ ସମ୍ମୁଖ ରାସ୍ତାରେ ପାଣି ଜମି ରହିବା ଯୋଗୁ ଯାତାୟତରେ ସମସ୍ୟା ଦେଖାଯାଉଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ