କଟକ ଗ୍ରାମାଞ୍ଚଳ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ
କଟକ, : ଚଳିତ ବର୍ଷ କଟକ ଜିଲ୍ଳାରେ ଶାରଦୀୟ ଦୁର୍ଗାପୂଜା ଓ ଭସାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ ଆଜି ପୂର୍ବାହ୍ନରେ ଶହୀଦ ଭବନଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ କଟକ ଗ୍ରାମାଂଚଳ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଆଇନ୍ଶୃଙ୍ଖଳା ଓ ଭାଇଚାରା ବଜାୟ ରହିବା ସହିତ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ ଜିଲ୍ଳାପାଳ ପରାମର୍ଶ ଦେବା ସହ ପୂଜାପାଳନର ଆନନ୍ଦ ଓ ଜନସାଧାରଣଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେବାକୁ କହିଥିଲେ । । ଚଳିତ ବର୍ଷ ଗ୍ରାମାଂଚଳରେ ମୋଟ ୪୪୭ଟି ପୂଜା ମଣ୍ଡପରେ ମାଆଙ୍କ ଆରାଧନା କରାଯିବାକୁ ସ୍ଥିର ହୋଇଛି । ସେଥିମଧ୍ୟରୁ ସାଲେପୁରରେ ୧୩୭, କଟକ ସଦରରେ ୪୬, ଚୌଦ୍ୱାର କଟକରେ ୮୭, ଆଠଗଡରେ ୧୨୦ ଓ ବାଙ୍କୀରେ ୫୭ଟି ମେଢ ରହିଛି । ଏଥିସହ ସ୍ଥାୟୀ ପୂଜାମଣ୍ଡପଗୁଡିକରେ ମଧ୍ୟ ମାଆଙ୍କର ପୂଜା କରାଯିବ । ସଭାରେ ଆଠଗଡ, ନେମାଳ, ନିଶ୍ଚିନ୍ତକୋଇଲି, ନିଆଳି, କିଶୋରନଗର, କଳାପଥର, କଲରାବାଙ୍କ, ମାହାଙ୍ଗା, ଖୁଂଟୁଣୀ, ଟାଙ୍ଗୀ, ଭଟିମୁଣ୍ଡା ଆଦି ଅଂଚଳରୁ ଆସିଥିବା ପୂଜାକମିଟିର କର୍ମକର୍ତାମାନେ ସେମାନଙ୍କ ଅଂଚଳର ପୂଜା ଓ ଭସାଣୀ ନିମନ୍ତେ ସମ୍ମୁଖୀନ ହେଉଥିବା ସମସ୍ୟା ଉପସ୍ଥାପନ କରିଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି ସମସ୍ୟାଗୁଡିକର ସମାଧାନ ନିମନ୍ତେ ସେମାନଙ୍କର ପ୍ରସ୍ତୁତି ରଖିଥିଲେ । ଜିଲ୍ଳାପାଳ ଶ୍ରୀ ଶିନ୍ଦେ ପୂଜା କମିଟିଗୁଡିକର ସମସ୍ୟା ତୁରନ୍ତ ସମାଧାନ ନିମନ୍ତେ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୂଜା ପେଣ୍ଡାଲ ଓ ଭସାଣୀ ଶୋଭାଯାତ୍ରା ନିମନ୍ତେ ଅନୁମତିପତ୍ର ଉପଲବଧ କରାଇନେବା ସହ ରାବଣ ପୋଡି, ମୀନାବଜାର, ଦୋଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପାଇଁ ଉପଯୁକ୍ତ କର୍ତୃପକ୍ଷଙ୍କଠାରୁ ଅନୁମତିପତ୍ର ହାସଲ କରିବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲ ନିର୍ଦ୍ଦେଶ ଦେଇଥିଲେ । ଭସାଣୀ ଶୋଭାଯାତ୍ରାରେ ଖଣ୍ଡା, ଲାଠି ଆଦି ବ୍ୟବହାରକୁ ସେ ନିଷେଧ କରିବା ସହ ପୂଜା ନିମେନ୍ତ କୌଣସି ପ୍ରକାରର ଚାନ୍ଦା ଆଦାୟକୁ ବାରଣ କରିଥିଲେ । ରାବଣ ପୋଡି ନିମନ୍ତେ ୫୦ ମିଟର ଲମ୍ବା ଏକ ଖାଲି ସ୍ଥାନ ଉପଲବ୍ଧ ଥିବା ଜରୁରୀ ଦର୍ଶାଇ ସେ ମେଳା ଓ ଦୋଳି ପାଇଁ ଅନୁମତିପତ୍ର ବାଧ୍ୟତାମୂଳକ ବୋଲି କହିଥିଲେ । ସର୍ବସାଧାରଣ ଟ୍ରାଫିକ ଯାତାୟତରେ ଯେଭଳି କୌଣସି ବାଧା ନ ଉପୁଜେ ସେସବୁକୁ ଦୃଷ୍ଟିରେ ରଖି ତୋରଣ ନିର୍ମାଣ, ଯାନବାହନ ପାର୍କିଂ ପାଇଁ ସ୍ଥାନ, ଶୌଚାଳୟ, ସିସିଟିଭି ଲଗାଇବା, ଓଆରଏସ୍ ଉପଲବଧ କରାଇବା, ସ୍ୱେଚ୍ଛାସେବୀ ନିୟୋଜିତ କରିବା ଆଦି ଉପରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଗୁରୁତ୍ୱ ଦେଇଥିଲେ । ଏଥିସହ ଲେଜର ଲାଇଟ ବ୍ୟବହାର ଓ ଡିଜେକୁ ସମ୍ପୁର୍ଣ୍ଣ ନିଷେଧ କରିବା ସହ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ମଧ୍ୟ ଅଙ୍କୁଶ ଲଗାଯିବା ନେଇ ସେ ଗୁରୁତ୍ୱାରୋପ କରିଥିଲେ । ବିଶେଷଭାବେ ପୂଜା ଓ ଭଷାଣୀ ସମୟରେ ଚୋରାମଦ ରୋକିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନେବା ନିମନ୍ତେ ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂଜା କମିଟି କର୍ମକର୍ତା ପୂଜା ପେଣ୍ଡାଲରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯିବା ସହ ଭାରପ୍ରାପ୍ତ ଥାନା ଅଧିକାରୀମାନଙ୍କଠାରୁ ପୂଜା ପେଣ୍ଡାଲଗୁଡିକର ବିବରଣୀ ନେଇ ସେହିସବୁ ସ୍ଥାନରେ ଅଗ୍ନି ନିରାପତା ସଂକ୍ରାନ୍ତରେ ନିଆଯାଇଥିବା ପଦକ୍ଷେପ ଏବଂ ବିଦ୍ୟୁତ୍ ସଂଯୋଗ ସଂପର୍କିତ ନିଆଯାଇଥିବା ପଦକ୍ଷେପଗୁଡିକ ଯାଂଚ କରିବାକୁ ଜିଲ୍ଲା ଅଗ୍ନିଶମ ଅଧିକାରୀ ଓ ଟିପିସିଓଡିଏଲକୁ ନିର୍ଦ୍ଦେଶ ଦିଆଯାଇଛି । । ଟିପସିଓଡିଏଲ ତରଫରୁ ବିଦ୍ୟୁତ ଜନିତ ଦୁର୍ଘଟଣା ନହେବା ପାଇଁ କ୍ଷେତ୍ରୀୟ ଅଧିକାରୀମାନଙ୍କ ମାଧ୍ୟମରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଭିନ୍ନ ସ୍ଥାନରେ ରାସ୍ତାଘାଟ ମରାମତି, ଅଗ୍ନିଶମ ବ୍ୟବସ୍ଥା, ପାନୀୟ ଜଳ ଏବଂ ସ୍ୱଚ୍ଛତା, ପରିମଳ ତଥା ଆଶୁ ଚିକିତ୍ସା ଉପରେ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଅନୁଷ୍ଠିତ ଏହି ବୈଠକରେ ଆଠଗଡ ଉପଜିଲ୍ଳାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଉପ ଆରକ୍ଷୀ ଅଧିକ୍ଷକ, ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ଥାନାର ଆଇଆଇସି, ତହସିଲଦାର ଓ ଜିଲ୍ଲାର ସମସ୍ତ ଉପଖଣ୍ଡରୁ ଆସିଥିବା ପୂଜା କମିଟିର କର୍ମକର୍ତା ଉପସ୍ଥିତ ଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭ ନାରାୟଣ ମୁଦୁଲି ପୋଲିସ୍ ପ୍ରଶାସନର ଏକ ମାର୍ଗଦର୍ଶିକା ଉପସ୍ଥାପନ କରିବା ସହ ବିବରଣୀ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ସ୍ୱାଗତ ଭାଷଣ ପୂର୍ବକ ସଭା ପରିଚାଳନା କରିଥିବାବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।