ମୁଖ୍ୟମନ୍ତ୍ରୀ କାମ ଧେନୁ ଯୋଜନା ଓ ରାଜ୍ୟ ଯୋଜନା: ଗୋପ ବ୍ଲକର ୧୩୬ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ
ଗୋପ (ଗଣେଶ ଚନ୍ଦ୍ର ବେହେରା) :ଗୋପ ବ୍ଲକ ଅଧିନସ୍ଥ କୁଶୁପୁର ଠାରେ ଶନିବାର ଅପରାହ୍ନ ସମୟରେ ପୁରୀ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ଅନ୍ୟାନ୍ୟ ରାଜ୍ୟ ଯୋଜନା ମାଧ୍ୟମରେ ଗୋପ ବ୍ଲକର ୩୧ ଗୋଟି ଗ୍ରାମ ପଞ୍ଚାୟତର ୧୩୬ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଯୋଗଦେଇ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ରାଜ୍ୟ ଯୋଜନାରେ ଗୋପ ବ୍ଲକର ୧୩୬ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗୋପ ବ୍ଲକ ଏମପି ପ୍ରତିନିଧି ସୁଶାନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ, ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ ଓ ଗୋପ ତହସିଲଦାର ଅନିଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ରାଜ୍ୟ ଯୋଜନାରେ ପ୍ରଦାନ କରାଯାଇଥିବା କାର୍ଯ୍ୟାଦେଶ ପ୍ରାୟ ୪କୋଟି ୨୯ ଲକ୍ଷ ବୋଲି ଜଣାପଡିଛି। ଏଥିରେ ହିତାଧିକାରୀ ମାନେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ୨କୋଟି ୫୦ଲକ୍ଷ ଟଙ୍କାର ସରକାରୀ ରିହାତି ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୮୮ଜଣ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ବେଳେ ମୁଖ୍ୟମନ୍ତ୍ରୀ ପ୍ରାଣୀ ସମୃଦ୍ଧି ଯୋଜନାରେ ୪୮ ଜଣ ହିତାଧିକାରୀଙ୍କୁ ବ୍ରଏଲର ଅଣ୍ଡାଦିଆ କୁକୁଡା, ବତକ ଚାଷ ଓ ଛେଳି ପାଳନ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପ୍ରାଣି ସମ୍ପଦ ବିକାଶ ବିଭାଗର ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାଜେଶ କୁମାର ପାଣିଗ୍ରାହୀ, ଗୋପ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ରଂଜନ କୁମାର ସାହୁ ଓ ଗୋପ ବ୍ଳକ କୃଷି ଅଧିକାରୀ ଜୟ ଲକ୍ଷ୍ମି ସାହୁ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡାକ୍ତର ସୌଭାଗ୍ୟ ରଂଜନ ଦାଶ, ଡାକ୍ତର ସାଗର ସାହୁ ଓ ଡାକ୍ତର ଶୁଭ୍ରସ୍ମିତା ଗଡ ନାୟକ ପ୍ରମୁଖ ପରିଚାଳନା କରିଥିଲେ।