ରାସ୍ତା ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ସଦର ବିଧାୟକ

ବାଲେଶ୍ୱର(ସରୋଜ ପଣ୍ଡା):  ସଦର ନିର୍ବାଚନମଣ୍ଡଳୀରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବାରେ ବିଧାୟକ ମାନସ କୁମାର ଦତ୍ତଙ୍କ ଅବିରତ ଉଦ୍ୟମ ଜନସାଧାରଣଙ୍କ ସୁଫଳ ପ୍ରଦାନରେ ସହାୟକ ହୋଇଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କ ଦୀର୍ଘ ଦିନର ଦାବିକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬୦ନଂ ଜାତୀୟ ରାଜପଥ ଠାରୁ ନୂଆପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ରାସ୍ତା ବଇଁଚା, ବୁଆଁଳ ଓ ନଗ୍ରମ ପଂଚାୟତ ଦେଇ ଜାତୀୟ ରାଜପଥକୁ ଛୁଇଁବ । ମୋଟ ୪.୯୦୦ କିଲୋମିଟର ଲମ୍ବର ରାସ୍ତା ନିର୍ମାଣ ପାଇଁ ୬କୋଟି ୬୬ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଏ ନେଇ ବଇଁଚା ପଂଚାୟତର ଗୁଜୁରୀ ବଜାର ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦତ୍ତ ଯୋଗଦେଇ ନୂତନ ରାସ୍ତାର ଶିଳାନ୍ୟାସ କରିଥିଲେ । ଏହି ନୂତନା ରାସ୍ତା ନିର୍ମାଣ ଦ୍ୱାରା ଲୋକ ସିଧାସଳଖ ଜାତୀୟ ରାଜପଥ ଦେଇ ବିଭିନ୍ନ ସ୍ଥାନକୁ ଯାତାୟତ ପାଇଁ ସବୁଦିନିଆ ରାସ୍ତା ପାଇବେ । ଏଥିରେ ବଇଁଚା, ବୁଆଁଳ ଓ ନଗ୍ରମ ପଂଚାୟତ ସମେତ ସଦର ନିର୍ବାଚନମଣ୍ଡଳୀର ସଂଖ୍ୟାଧିକ ପଂଚାୟତର ଲକ୍ଷାଧିକ ଲୋକ ଉପକୃତ ହେବେ ବୋଲି ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଥିଲେ । ବିଶେଷ କରି ବନ୍ୟାଂଚଳ ଭାବେ ପରିଚିତ ପଂଚାୟତଗୁଡିକର ଜନସାଧାରଣଙ୍କ ପାଇଁ ଉନ୍ନତମାନର ଯାତାୟତ ବ୍ୟବସ୍ଥାକୁ ରାଜ୍ୟର ଲୋକଙ୍କ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସେ କହିଥିଲେ । । ରାସ୍ତା ନିର୍ମାଣରେ ଉତମ ଗୁଣବତା ରକ୍ଷା ସହିତ ସଠିକ ମାନଦଣ୍ଡ ଓ ଧାର୍ଯ୍ୟ ସମୟସୀମା ମଧ୍ୟରେ ଯୋଜାନବଦ୍ଧ ଭିତ୍ତିରେ ସାରିବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ବିଧାୟକ ବୁଆଁଳ ପଂଚାୟତ ପାଇଁ ଉଦ୍ଦିଷ୍ଟ ୪୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ଅଟକଳରେ ୧୦ଟିରୁ ଅଧିକ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ବଇଁଚା ସରପଂଚ ରବିନାରାୟଣ ପ୍ରଧାନ ଓ ସମିତି ସଭ୍ୟା ଗୀତା ସୋରେନ, ବୁଆଁଳ ସରପଂଚ ଜିତେନ ଯେନା ଓ ସମିତି ସଭ୍ୟ ମାୟାଧର ମହାଳିକ, ନଗ୍ରମ ସରପଂଚ ବନିତା ଭୂଁୟା ଓ ସମିତି ସଭ୍ୟ ରଞ୍ଜନ କୁମାର ପାଣି ପ୍ରମୁଖ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, କାହ୍ନୁ ମହାଳିକ, ଶ୍ରୀକାନ୍ତ ମହାପାତ୍ର, ରାଜେନ୍ଦ୍ର ଚାଟାର୍ଜୀ, କାର୍ତିକ ଚନ୍ଦ୍ର ରାଉତ, ସର୍ବେଶ୍ୱର ମହାନ୍ତି, ବେଣୁଧର ପରିଡା, ଜୟନ୍ତୀ ପଣ୍ଡା, ଶ୍ରୀନିବାସ ମହାଳିକ, ଗଜେନ୍ଦ୍ର ଜେନା, ମୁରଲୀଧର ମହାପାତ୍ର, ସୁଶାନ୍ତ ମହାପାତ୍ର, ହୃଷିକେଶ ଦାସ, ପିତାମ୍ବର ଭୂୟାଁ, କରୁଣାକର ମହାଳିକ, ରବୀନ୍ଦ୍ର ନାଥ ରାଉତ, ସୁବାଷ ବେହେରା, ସଦାଶିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ