ମା ଭଗବତୀଙ୍କ ନାମରେ ପୂଜା ପାଉଛନ୍ତି ଅଷ୍ଟଭୁଜା ମହିଷାମର୍ଦ୍ଦିନୀ ଦୁର୍ଗା
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁଣ୍ୟତୋୟା ପ୍ରାଚୀ ନଦୀ କୂଳରେ ରହିଛି ଶତାଧିକ ପୁରାତନ ମନ୍ଦିର। ତା ମଧ୍ୟରୁ ଚାରିଛକ ନିକଟସ୍ଥ ତେନ୍ତୁଳିଗୁଆଁ ଗ୍ରାମ ର ଭଗବତୀ ମନ୍ଦିର ଅନ୍ୟତମ। ଏହି ମନ୍ଦିର ରେ ମା ଅଷ୍ଟଭୁଜା ମହିଷାମର୍ଦ୍ଧିନୀ ଦୁର୍ଗା ଦେବୀ ଭଗବତୀ ଙ୍କ ନାମ ରେ ପୂଜା ପାଉଛନ୍ତି ବୋଲି ବିଶିଷ୍ଟ ଐତିହାସିକ ସ୍ବର୍ଗତ ଶ୍ୟାମସୁନ୍ଦର ତ୍ରିପାଠୀ ତାଙ୍କ ଗବେଷଣାତ୍ମକ ଗ୍ରନ୍ଥ ରେ ପ୍ରକାଶ କରିଥିବାବେଳେ ଏହି ଦୁର୍ଗା ମୂର୍ତ୍ତି ଟି ଦଶମ ଶତାବ୍ଦୀ ଶେଷ ସମୟ ର କୀର୍ତ୍ତିରାଜି ବୋଲି ପ୍ରାଚୀ ଗବେଷକ ଡଃ. ସନ୍ତୋଷ ମିତ୍ର ସୂଚନା ଦେଇ ଛନ୍ତି। ଏଠାରେ ମା ପ୍ରଥମେ ଏକ ଚାଳ ଛପର ଘରେ ପୂଜା ପାଉ ଥିଲେ।ପରେ ତେନ୍ତୁଳିଗୁଆଁ, କଦଳୀବାରି, ଆଟିକାଫୁଟି, ମଧୁ ସୁଦନପୁର ଶାସନ, ସୈଦାବାଦ ପ୍ରଭୃତି ଗ୍ରାମ ର ଗ୍ରାମବାସୀ ମାନଙ୍କ ଉଦ୍ୟମ ରେ ମା ଙ୍କ ଭବ୍ୟ ମନ୍ଦିର ନିର୍ମାଣ ହୋଇ ପାରିଛି। ମା ଙ୍କ ସେବକ ହୃଦାନନ୍ଦ ତ୍ରିପାଠୀ ଙ୍କ ସୂଚନାନୁସାରେ ଆଶ୍ଵିନ ମାସ ମୂଳାଷ୍ଟମୀ ତିଥି ଠାରୁ ମା ଙ୍କ ମନ୍ଦିର ଗର୍ଭ ଗୃହ ରେ କଳସ ସ୍ଥାପନା କରାଯାଇ ଷୋଳପୂଜା ଆରମ୍ଭ ହୋଇଛି। ମହାଷ୍ଟମୀ ପର୍ଯ୍ୟନ୍ତ ମା ଙ୍କୁ ଷୋଡ଼ଶ ଉପଚାର ପୂଜା ପଦ୍ଧତି ରେ
ପୂଜା କରାଯିବ ଓ ପ୍ରତ୍ୟେକ ଦିନ ଗ୍ରାମବାସୀ ମାନଙ୍କ ପକ୍ଷରୁ ପାଳି କରି ମା ଙ୍କ ନିକଟରେ ଆମିଷ ଭୋଗ ଲାଗି କରାଯାଉଛି। ପ୍ରତ୍ୟେହ ମନ୍ଦିର ରେ ସପ୍ତସତୀ ଚଣ୍ଡି ପାଠ କରାଯାଉଛି। ମହାଷ୍ଟମୀ ବିଳମ୍ବିତ ରାତିରେ ପାର୍ବଣ ଭୋଗ ଶେଷ ରୋଷାଇ ହୋଇ ନବମୀ ତିଥି ର ବ୍ରାହ୍ମ ମୁହୂର୍ତ୍ତ ରେ ମା ଙ୍କ ନିକଟରେ ଲାଗି କରାଯାଇଥାଏ ଯାହା ଆଉ କେଉଁ ଦେବୀ ମନ୍ଦିର ରେ ଦେଖା ଯାଏ ନାହିଁ। ଦଶହରା ଦିନ କଳସ ବିସର୍ଜନ କରାଯିବା ପରେ ଶେଷ ହେବ ମା ଙ୍କ ଶାରଦୀୟ ପାର୍ବଣ ପୂଜା। ଏଠାରେ ପୂଜା ପାଉଥିବା ଦୁର୍ଗା ମୂର୍ତ୍ତି ଟି ପ୍ରାୟ ୪ ଫୁଟ ଉଚ୍ଚତା ର କ୍ଲୋରାଇଟ ପଥର ରେ ନିର୍ମିତ ଓ କାରୁକାର୍ଯ୍ୟ ପୂର୍ଣ୍ଣ। ସିଂହ ଉପରେ ମା ଛିଡା ହୋଇ ମହିଷାସୁର କୁ ବଧ କରୁଥିବା ଦେଖିବାକୁ ମିଳେ।ମା ଦୁର୍ଗା ଆଠ ହାତ ରେ ଶଙ୍ଖ, ଚକ୍ର ,ଗଦା ସହିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି। ନରସିହିଁ, ବାରାହୀ, ଚାମୁଣ୍ଡା ଦେବୀ ମନ୍ଦିର ର ପାଶ୍ଵ ଦେବତୀ ଭାବେ ପୂଜା ପାଉଛନ୍ତି। ଗ୍ରାମ ରେ ୧୬ ଘର ବ୍ରାହ୍ମଣ ପରିବାର ଓ ୧୫ ଘର ଅନ୍ୟ ପରିବାର ବାସ କରୁଥିବାବେଳେ ଗ୍ରାମବାସୀ ମାନେ ପାଳି ଅନୁସାରେ ପ୍ରତିଦିନ ପାର୍ବଣ ଭୋଗ ଲାଗି କରିଥାନ୍ତି। ମହାଷ୍ଟମୀ ଦିନ ସଂଧ୍ୟାରେ ସମୂହ ଗ୍ରାମବାସୀ ଙ୍କ ପକ୍ଷରୁ ଜନ୍ତାଳ ଭୋଜି ଅନୁଷ୍ଠିତ ହୋଇଥାଏ।ଶାରଦୀୟ ପାର୍ବଣ ପୂଜା ପାଇଁ ମା ଭଗବତୀ ଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି।