ଓରାଳି ଗ୍ରାମରୁ ଦିନ ଦିପ୍ରହରରେ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗହଣା ଲୁଟ
ହାଟଡିହି(ଓ୍ବାଇଏନଏସ): ନନ୍ଦିପଦା ଥାନା ଅଧୀନସ୍ଥ ଓରାଳି ଗ୍ରାମରୁ ଆଜି ଦିନ ଦିପ୍ରହରରେ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା ଲୁଟ ହୋଇଥିବା ଜଣା ଯାଇଛି। ଗ୍ରାମର ଅନିତା ଜେନା ଓରାଳି ଗ୍ରାମରେ ରାସ୍ତା କଡରେ ଏକୁଟିଆ ରହୁଥିବା ବେଳେ ଆଜି ଦିନ୧୦ ଟା ବେଳେ ଘରେ ତାଲା ପକାଇ ବସନ୍ତିଆ ହାଟକୁ ସଉଦା ପତ୍ର କିଣିବା ପାଇଁ ଆସିଥିଲେ। ସେ ଘରକୁ ଫେରିବା ବେଳକୁ ଗେଟ ତାଲା ସହିତ ଘର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ଗଡ଼ରେଜ ଆଲମିରା ଭଙ୍ଗା ଯାଇ ତା ଭିତରୁ ୮ ଭରିରୁ ଉର୍ଦ୍ଧ ଓଜନ ଥିବା ହୀରା ଖଚିତ ନେକଲେସ ଟି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଅନ୍ୟ କୌଣସି ସାମଗ୍ରୀ ଚୋରି ହୋଇ ନଥିବା ରୁ କେହି ଜଣା ଶୁଣା ଲୋକ ଏପରି କରିଥିବା ଅନୁମାନ କରା ଯାଉଛି। ଅନିତା ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।