ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ ଘଟଣା :୧ ବର୍ଷ ପରେ ୩ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ଦଳିତ ସାହିର ଦୁଃଖିଶ୍ୟାମ ବଳିୟାରସିଂ(୨୫),ସୁଦର୍ଶନ ଜେନା(୪୪) ଏବଂ ଭୀଷ୍ମଗିରି ଗ୍ରାମ ଗାନ୍ଧୀ ନଗର ର ଗୌରାଙ୍ଗ ନାୟକ ଓରଫ ରୋହିତ(୫୧) ଙ୍କୁ କେ.ନୂଆଗାଁ ପୋଲିସ ମଙ୍ଗଳବାର ଅପରାହ୍ନ ପ୍ରାୟ ୧ ଟାରେ ହତ୍ୟା ଉଦ୍ୟମ ମାମଲା ରେ ଗିରଫ କରି ସନ୍ଧ୍ୟା ରେ କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୧୭୫/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୨୦୨୫ ମେ ୨୧ ତାରିଖ ରାତି ରେ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ଦଳିତ ସାହିର କିଛି ବ୍ୟକ୍ତି ଙ୍କ ସହ ସବର୍ଣ୍ଣ ଗୋଷ୍ଠୀର କିଛି ଲୋକଙ୍କ ମଧ୍ୟରେ ଆକ୍ରମଣ – ପ୍ରତି ଆକ୍ରମଣ ହୋଇଥିଲା।ମାରଣାସ୍ତ୍ର ଧରି ଉଭୟ ଗୋଷ୍ଠୀ ପରସ୍ପର ଙ୍କୁ ଘାତକ ଆକ୍ରମଣ କରିଥିଲେ।ଏଥିରେ ଉଭୟ ପକ୍ଷର ଏକାଧିକ ବ୍ୟକ୍ତି ଆହାତ ହୋଇଥିଲେ।ସେମାନଙ୍କ ମଧ୍ୟରୁ ସବର୍ଣ୍ଣ ଗୋଷ୍ଠୀର ବେଣୁ ସାହୁ,ଗୋପୀ କୃଷ୍ଣ ସାହୁ ଗୁରୁତର ଆହାତ ହୋଇଥିଲେ।ଏନେଇ ବେଣୁ ଙ୍କ ସ୍ତ୍ରୀ ନମିତା ସାହୁ ଥାନାରେ ଏତଲା ଦେଇଥିଲେ। ଅଭିଯୁକ୍ତ ମାନେ ଘଟଣା ପରଠାରୁ ଫେରାର ଥିଲେ ଆଇଆଇସି ବିଶ୍ୱଜିତ ନାୟକ ଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଧିକାରୀ ନୂଆପଡ଼ା ଫାଣ୍ଡି ଏସ.ଆଇ ଅତିଥି ଚରଣ ନାୟକ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ।ସେହିପରି ଗୋଷ୍ଠୀ ସଂଘର୍ଷ ରେ ଦଳିତ ସାହିର ପିଙ୍କୁୁ ଜେନା ଗୁରୁତର ଆହତ ହୋଇଥିଲେ। ଏନେଇ ଏତଲା ହେବାପରେ ପୋଲିସ ମାମଲା ନଂ.୧୭୭/୨୫ ଅନୁଯାୟୀ ସବର୍ଣ୍ଣ ଗୋଷ୍ଠୀର ଲୋକଙ୍କ ବିରୋଧରେ ପୃଥକ ମକଦ୍ଦମା ରୁଜୁ କରିଥିଲେ। ସୋମବାର ଅସବର୍ଣ୍ଣ ଗୋଷ୍ଠୀର ପିଣ୍ଟୁ ଜେନା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୂର୍ବରୁ ଉଭୟ ମାମଲା ରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିଥିଲା।


