ସାଇକେଲ୍‍ କିଣିବାକୁ ନିଅଣ୍ଟ ପଡୁଛି ଟଙ୍କା: ଆକାଉଣ୍ଟକୁ ଆସୁଛି ୩୫ ଶହ ଟଙ୍କା, ବଜାର ଦର ୫ ହଜାର

ଆସିକା (ୱାଇଏନ୍‍ଏସ୍‍) : ମାଧ୍ୟମିକ ବିଦ୍ୟାଳୟରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର କମାଇବା ନିମନ୍ତେ ରାଜ୍ୟ ସରକାର ଗତ ୨୦୧୧-୧୨ ଆର୍ଥିକ ବର୍ଷ ଠାରୁ ମାଗଣାରେ ସାଇକେଲ୍‍ ବଣ୍ଟନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ହାଇସ୍କୁଲ ଏବଂ ପୂର୍ଣ୍ଣ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ସରକାରଙ୍କ ପକ୍ଷରୁ ସାଇକେଲ୍‍ କ୍ରୟ ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ୩ ହଜାର ୫ ଶହ ଟଙ୍କା ଅର୍ଥ ରାଶି ନିଅଣ୍ଟ ପଡୁଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ସାଧାରଣରେ ସାଇକେଲ୍‍ ପାଇଁ ସରକାର ୩୫ ଶହ ଟଙ୍କା ରାଶି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଏକାଉଣ୍ଟକୁ ପ୍ରେରଣ କରୁଥିଲା ବେଳେ ବଜାରରେ କିନ୍ତୁ ଅତି କମ୍‍ରେ ୫ ହଜାର ଟଙ୍କା ଗୋଟିଏ ସାଇକେଲ୍‍ର ମୂଲ୍ୟ ପଡୁଥିବା ଆଲୋଚିତ ହେଉଛି । ଯାହାରି ଫଳରେ ବହୁ ଅଭିଭାବକ ଖର୍ଚ୍ଚାନ୍ତ ହୋଇ ସାଇକେଲ୍‍ କ୍ରୟ କରିବା ପାଇଁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆଗ୍ରହ ଓ ଆକୃଷ୍ଟ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଗତ ୨୦୧୧-୧୨ ଆର୍ଥିକ ବର୍ଷ ଠାରୁ ସାଇକେଲ ଯୋଜନା ପ୍ରଚଳନ କରିଥିଲେ । ଏହି ଯୋଜନାର ଆରମ୍ଭ ସମୟରେ ପ୍ରତି ଛାତ୍ରଛାତ୍ରୀଙ୍କୁ ସାଇକେଲ୍‍ କ୍ରୟ କରିବାକୁ ୨୬ ଟଙ୍କା ଲେଖାଏଁ ପ୍ରଥମେ ଦିଆଯାଉଥିଲା । ତେବେ ଏତେ କମ୍‍ ଟଙ୍କା ସାଇକେଲ୍‍ କ୍ରୟ କରିବା ସମ୍ଭବ ନୁହେଁ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ସରକାର ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଗତ ୨୦୨୩-୨୪ ମସିହାରେ ସାଇକେଲ କ୍ରୟ ପାଇଁ ସହାୟତା ରାଶି ପରିମାଣ ୯ ଶହ ଟଙ୍କାକୁ ବୃଦ୍ଧି କରି ୩ ହଜାର ୫ ଶହ ଟଙ୍କା କରିଥିଲେ । ସରକାରଙ୍କ ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସକାଶେ ସାଇକେଲ୍‍ କ୍ରୟ ପାଇଁ ପ୍ରୋତ୍ସାହନ ରାଶି ବୃଦ୍ଧି କରିବା ସତ୍ତ୍ୱେ ବଜାରରେ ସାଇକଲ୍‍ର ଦାମ୍‍ ସାଂପ୍ରତିକ ପରିସ୍ଥିତିରେ ଢେର୍‍ ଅଧିକ ଥିବା ଚର୍ଚ୍ଚା ହେଉଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟର୍‍ ଅନ୍ତର୍ଗତ ଅଞ୍ଚଳରେ ୩୩ଟି ମାଧ୍ୟମିକ ବିଦ୍ୟାଳୟ ଥିଲା ବେଳେ ଗତ ୨୦୨୫-୨୬ ଶିକ୍ଷାବର୍ଷରେ ୧୯୨୧ ଜଣ ଛାତ୍ରଛାତ୍ରୀ ସରକାରଙ୍କ ସାଇକେଲ୍‍ ଯୋଜନାରେ ଉପକୃତ ହୋଇଥିଲେ । ଚଳିତ ୨୦୨୬-୨୭ ଶିକ୍ଷାବର୍ଷରେ ୩୩ଟି ମାଧ୍ୟମିକ ବିଦ୍ୟାଳୟରେ ୧୯୬୯ ଜଣ ଛାତ୍ରଛାତ୍ରୀ ଏହି ଯୋଜନାରେ ସାଇକେଲ୍‍ ପାଇବେ ବୋଲି ଆଶା ବାନ୍ଧି ବସିଥିବା ଜଣାପଡିଛି । ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସକାଶେ ସାଇକେଲ୍‍ କ୍ରୟ ପାଇଁ ସରକାର ଯୋଗାଇ ଦେଉଥିବା ପ୍ରୋତ୍ସାହନ ରାଶି ଠାରୁ ବଜାର ଦର ଅଧିକ ରହୁଥିବାରୁ କେତେକ ଗରିବ ଶ୍ରେଣୀର ପରିବାରବର୍ଗଙ୍କ ପାଇଁ ନୁଆଁ ସାଇକେଲ୍‍ଟିଏ କିଣିବା ଅସମ୍ଭବ ହୋଇପଡୁଛି । ଏହି ଯୋଜନାରେ ନବମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଯେତିକି ଉପକୃତ ହେଉଛନ୍ତି ତାହାଠାରୁ ଅଧିକ କେତେକ ଶ୍ରେଣୀର ପରିବାରବର୍ଗଙ୍କ ଉପରେ ସାଇକେଲ୍‍ କ୍ରୟ କ୍ଷେତ୍ରରେ ଚାପ ପଡୁଥିବା ଆଲୋଚିତ ବି ହେଉଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ସକାଶେ ସାଇକେଲ କ୍ରୟ ପାଇଁ ଯୋଗାଇ ଦେଉଥିବା ପ୍ରୋତ୍ସାହନ ରାଶି ବୃଦ୍ଧି କରିବା ଦିଗରେ ପଦକ୍ଷେପ ନେବାକୁ ଶିକ୍ଷାବିତ୍‍ ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ