ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ଶେଷ ୯ ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ପୁରୀ(ଯୁଗାବ୍ଦ ନ୍ୟୁଜ): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଗୁରୁବାର ଶେଷ ହୋଇଛି । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୯ଜଣ ସାଂସଦ ପ୍ରାର୍ଥୀ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ଲୋକସଭା ଅନ୍ତର୍ଗତ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲ, ଚିଲିକା, ନୟାଗଡ ଓ ରଣପୁର ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ପୁରୀ ଲୋକସଭା ପ୍ରାର୍ଥୀଭାବେ ବିଜେପିରୁ ସମ୍ବିତ ପାତ୍ର, ବିଜେଡିରୁ ପିନାକୀ ମିଶ୍ର, କଂଗ୍ରେସରୁ ସତ୍ୟପ୍ରକାଶ ନାୟକ, ମନ୍ଦାକିନୀ ସେଠୀ (ସିପିଆଇଏମ୍ଏଲ ଲିବରେସନ), ରଞ୍ଜନ କୁମାର ମିଶ୍ର (ସିପିଆଇ ଏମଏଲ ରେଡଷ୍ଟାର), କଳିଙ୍ଗ ସେନାରୁ ସବ୍ୟସାଚୀ ମହାପାତ୍ର, ଭାସ୍କର ଚନ୍ଦ୍ର ଦାସ (ଓଡିଶା ପ୍ରଗତି ଦଳ), ବିଏସ୍ପିରୁ ନୃସିଂହ ଚରଣ ଦାସ ଓ ଜୟପ୍ରକାଶ ସେଠୀ (ଅଖିଳ ଭାରତ ହିନ୍ଦୁ ମହାସଭା)ରୁ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏପ୍ରିଲ ୫ରେ ପ୍ରାର୍ଥୀପତ୍ର ଯାଞ୍ଚଞ୍ଚ ଓ ଏପ୍ରିଲ ୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଏପ୍ରିଲ ୨୩ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ପୁରୀ ସଦର ବିଧାନସଭା ପାଇଁ ଗୁରୁବାର ବିଜେପିରୁ ଜୟନ୍ତ କୁମାର ଷଡ଼ଙ୍ଗୀ, କଂଗ୍ରେସରୁ ଇଂ ଅରୋପ୍ରସାଦ ମିଶ୍ର, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକରୁ ଜିତେନ୍ଦ୍ରୀୟ ବେହେରା, ବିଏସ୍ପିରୁ ସୁଚେନ୍ଦ୍ର ଭୋଇ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଗୋପାଳକୃଷ୍ଣ ପଣ୍ଡା ରିଟର୍ଣ୍ଣି ଅଫିସର ତଥା ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି ।
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପାଇଁ କଳିଙ୍ଗ ସେନାରୁ ପ୍ରମୋଦ ପରିଡା, ବିଏସ୍ପିରୁ ବିହାରୀବନ୍ଧୁ ପଲେଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ କୈଳାସ ବରାଳ ଓ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସରୁ ଅଜିତ ମଙ୍ଗରାଜ ରିଟର୍ଣ୍ଣି ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି ।