ଆଗକୁ ଆଲୋକର ପର୍ବ ଦୀପାବଳୀ: ଆସିକାରେ ଦୀପ ପ୍ରସ୍ତୁତିରେ ବ୍ୟସ୍ତ କୁମ୍ଭକାର
ଆସିକା (ୱାଇଏନ୍ଏସ୍) ଆଲୋକର ପର୍ବ ଦୀପାବଳୀ ପାଇଁ ଆଉ ମାତ୍ର କିଛି ଦିନ ବାକିଥିଲା ବେଳେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର କୁମ୍ଭକାର ପରିବାର ଦୀପ ତିଆରିରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି । ପୂର୍ବ ପୁରୁଷ ଅମଳରୁ କୌଳିକ ବୃତ୍ତି ଭାବେ ଆଦରି ମାଟିର ଜିନିଷ ପ୍ରସ୍ତୁତ କରି ସମାଜରେ ବସବାସ କରୁଥିବା ଜନସାଧାରଣଙ୍କ ଆବଶ୍ୟକତାକୁ ପୂରଣ କରିବା ସହ ନିଜର ପରିବାର ପ୍ରତିପୋଷଣ କରି ଆସୁଥିବା କୁମ୍ଭକାର ମାନଙ୍କ କୌଳିକ ବୃତ୍ତିକୁ ବର୍ତ୍ତମାନ ଆଧୁନିକ ଆଧୁନିକ ଯୁଗରେ ହଜି ଯିବାକୁ ବସିଛି । ଦୈନନ୍ଦିନ ଜୀବନଯାପନ କ୍ଷେତ୍ରରେ ପୂର୍ବରୁ ମାଟି ପାତ୍ରର ଚାହିଦା ଖୁବ୍ ଅଧିକ ଥିଲା । ଅତୀତରେ ରନ୍ଧନ ପାଇଁ ଆବଶ୍ୟକ ମାଟି ପାତ୍ରର ଚାହିଦା ଖୁବ୍ ଅଧିକ ଥିଲା । ରନ୍ଧନ ପାଇଁ ଆବଶ୍ୟକ ମାଟି ପାତ୍ରଠାରୁ ଆରମ୍ଭ କରି ପାଣି ରଖିବା ମାଠିଆ, ହାଣ୍ଡି, ଗ୍ରୀଷ୍ମ ଦିନରେ ପାଣି ଥଣ୍ଡା ରଖିବା ପାଇଁ ସୁରେଇ ପ୍ରସ୍ତୁତ କରି ଏହି କୁମ୍ଭକାର ପରିବାର ମାନେ ବେଶ୍ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରି ଆସୁଥିଲେ । ଦିନକୁ ଦିନ ମାନବ ସଭ୍ୟତାର ବିକାଶ ହେବାରୁ ଆରମ୍ଭ ହେଲା ଷ୍ଟିଲ୍ର ଯୁଗ । ଏହି ଷ୍ଟିଲ୍ ଯୁଗରେ ରନ୍ଧନ କାର୍ଯ୍ୟ ପାଇଁ ସାଧାରଣ ବ୍ୟକ୍ତି ମାଟି ପାତ୍ରକୁ ଭୂଲି ଯାଇ ରନ୍ଧନ କାର୍ଯ୍ୟଠାରୁ ଆରମ୍ଭ କରି ପାଣି ରଖିବା ଯାଏଁ, ଷ୍ଟିଲ ସାମଗ୍ରୀ ବ୍ୟବହାର କରିବା ଆରମ୍ଭ କରିଥିବା ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତରେ କୁମ୍ଭକାର ପରିବାରବର୍ଗଙ୍କ ଦୈନନ୍ଦିନ ବୃତ୍ତି ସଙ୍କଟରେ ପଡିଛି । ତଥାପି ପୂର୍ବ ପୁରୁଷ ମାନଙ୍କ ବୃତ୍ତିକୁ ଏହି କୁମ୍ଭକାର ମାନେ ନ ଛାଡି ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଏବେବି ସଂଘର୍ଷ ଜାରି ରଖିଛନ୍ତି । ପର୍ବପର୍ବାଣୀ ମାନଙ୍କରେ କୁମ୍ଭକାର ମାନଙ୍କୁ ସାଧାରଣ ଜନତା ମନେ ପକାଇଥାନ୍ତି । କୁମ୍ଭକାର ମାନଙ୍କ ଦ୍ୱାରା ପ୍ରସ୍ତୁତ କିଛି ଏମିତି ସାମଗ୍ରୀ ରହିଛି ଯାହା ପୂଜାରେ ଲାଗିବା ନୀତି ରହଛି । ଦକ୍ଷିଣ ଓଡିଶାର ଅଧିକାଂଶ ପର୍ବପର୍ବାଣୀରେ ମାଟି ହାଣ୍ଡିର ଆବଶ୍ୟକତା ପଡୁଥିବା ବେଳେ କେତେକ ଗ୍ରାମାଞ୍ଚଳର ଲୋକେ ଏବେବି ଭାତ ରାନ୍ଧିବା ପାଇଁ ମାଟି ହାଣ୍ଡି ବ୍ୟବହାର କରୁଛନ୍ତି । ବିଜ୍ଞାନ ଯୁଗରେ ଆଲୁଅର ପର୍ବ ଦୀପାବଳୀ ପାଳନ ପାଇଁ ଏବେବି ବଜାରରେ ରଙ୍ଗ ବେରଙ୍ଗର ମହମବତୀ ମିଳୁଥିଲେ ମଧ୍ୟ ମାଟି ତିଆରି ଦୀପର ଚାହିଦା ରହିଛି । ବର୍ଷତମାମ ବେକାର ରହୁଥିବା କୁମ୍ଭକାର ମାନଙ୍କ ପାଇଁ ଦୀପାବଳୀ ପର୍ବ ଏକ ସୁଯୋଗ ସୃଷ୍ଟି କରୁଥିବା ଦେଖାଯାଇଛି । ଦୀପାବଳୀ ପର୍ବ ମାସକ ପୂର୍ବରୁ କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଲାଗି ପଡିଥାନ୍ତି ଦୀପ ତିଆରିରେ । ଆସିକା ଏନ୍ଏସି ଅନ୍ତର୍ଗତ କୁମ୍ଭାରସାହି, ବାବନପୁର ତଥା ଏହାର ଆଖପାଖ ଅଞ୍ଚଳରେ ରହୁଥିବା କୁମ୍ଭକାର ପରିବାର ଏବେ ଦୀପ ତିଆରିରେ ବ୍ୟସ୍ତ । ପୂର୍ବ ପୁରୁଷ ଅମଳରୁ ମାଟି ଜିନିଷ ପ୍ରସ୍ତୁତ କରିବାକୁ ବୃତ୍ତି ଭାବେ ଧରି ଆସିଥିବା କୁମ୍ଭକାର ପରିବାର ବର୍ଗଙ୍କ ପାଇଁ ସରକାର କୌଣସି ଯୋଜନା କାର୍ଯ୍ୟକାରୀ କରି ନଥିବାରୁ ଏହି ବୃତ୍ତି ଆଗାମୀ ଦିନରେ ଲୋପ ପାଇବାର ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଆସନ୍ତା ୨୦ ତାରିଖରେ ଆଲୋକର ପର୍ବ ଦୀପାବଳୀ ପାଳିତ ହେବାକୁ ଥିବା ବେଳେ ଆସିକାରେ କୁମ୍ଭକାର ପରିବାର ମାନେ ଦୀପ ପ୍ରସ୍ତୁତିରେ ଲାଗି ପଡିଥିବା ଲକ୍ଷ୍ୟ କରାଯାଇଛି।