ଖାଦ୍ୟ ଆବର୍ଜନାରୁ ବିଜୁଳି
ଖାଦ୍ୟ ପାଇଁ ବ୍ୟବହୃତ ପନିପରିବାର ଚୋପା ଏବଂ ଅଦରକାରୀ ଅଂଶକୁ ଆପଣ କ’ଣ କରନ୍ତି ? ନିଶ୍ଚିତ ଫୋପାଡି ଦେଉଥିବେ । ହେଲେ ଜାଣନ୍ତି ଏହା କେତେ ଉପାଦେୟ ଓ ଉପକାରୀ ! ଚାହିଁଲେ ଏଥିରୁ ଆପଣ ବିଜୁଳି ଉତ୍ପନ୍ନ କରିପାରିବେ । ଏହା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ରୋଷେଇରୁ ବଳକା ପଡିଥିବା ଖାଦ୍ୟ କି ଫଳ ଚୋପାରୁ ଏବେ ବାୟୋଗ୍ୟାସ୍ ଏବଂ ବିଜୁଳି ତିଆରି ହୋଇପାରିବ ବୋଲି ଏକ ସଦ୍ୟତମ ତଥ୍ୟ ପ୍ରକାଶ ପାଇଛି । ପଞ୍ଜାବ ସରକାର ଏବଂ ନୂଆଦିଲ୍ଲୀର ଦ ଏନର୍ଜି ଏଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ମିଳିତ ଉଦ୍ୟମରେ କିଛି ମାସ ପର୍ଯ୍ୟନ୍ତ ଏହି ବିଷୟରେ ଗବେଷଣା ଚାଲିଥିଲା । ଉକ୍ତ ଇନଷ୍ଟିଚ୍ୟୁଟ ଓ ପଞ୍ଜାବ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇ ଗୃହୀତ ହେବା ପରେ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଭିତରେ ପ୍ରଥମେ ଏହି ଖାଦ୍ୟ ଆବର୍ଜନାକୁ ବ୍ୟବହାର କରି ବିଜୁଳି ଉତ୍ପନ୍ନ ଯୋଜନା ଆରମ୍ଭ କରାଯାଇଛି । ଯଦି ପ୍ରକୃତରେ ଏହି ଯୋଜନା ସଫଳ ହେଲା, ତେବେ ଆପଣ ଆହୁରି ସହଜରେ ବିଜୁଳି ପାଇପାରିବେ ।


