ବାଣ ନିଆଁରୁ ଅଗ୍ନିକାଣ୍ଡ, ୫ଗାଈ ଜୀବନ୍ତ ଦଗ୍ଧ
ହାଟଡିହି (ଓ୍ବାଇଏନଏସ):- ହାଟଡିହି ବ୍ଲକ ସୋସୋ ଥାନା ସାନଆମ୍ବଗଡ଼ିଆ ଗାଁରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟି ତିନି ବଖରା ଚାଳଘର ପୋଡ଼ିଯାଇଛି। ଗ୍ରାମର କୋଦଣ୍ଡଧର ପଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ପରିବାର ଲୋକେ ଘରେ ଖାଇ ପିଇ ଶୋଇବା ପରେ ହଠାତ ପାଟି ଶୁଣି ଉଠିବା ବେଳକୁ ତାଙ୍କର ଘର ହୁତ ହୁତ ହୋଇ ଜଳୁଥିଲା। ଘର ଭିତରେ ଥିବା ଗାଈ ଗୁଡିକ ହମା ରଡି ଛାଡୁଥିଲେ। ନିଆଁ ର ପ୍ରକୋପ ରେ କେହି ବି ଭିତରକୁ ପଶି ପାରି ନଥିଲେ। ଫଳରେ ତାଙ୍କର ୩ ବଖରା ଚାଳ ଘର ସହିତ ଘର ଭିତରେ ଥିବା ୫ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି। ରାତିରେ ଗାଁ ପିଲାମାନେ ବାଣ ଫୁଟାଉ ଥିବା ବେଳେ ବାଣ ନିଆଁ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରା ଯାଉଛି ବୋଲି କୋଦଣ୍ଡଧର ପଣ୍ଡା ଓ ଗ୍ରାମର ପ୍ରେମାନନ୍ଦ ମିଶ୍ର କହିଛନ୍ତି । ଖବର ପାଇ ସୋ ସୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଚରା ଉଚୁରା କରୁଛନ୍ତି। ଏହି ଅଗ୍ନିକାଣ୍ଡରେ ତାଙ୍କର ଦୁଇ ଲକ୍ଷରୁ ଉର୍ଦ୍ଧ ଟଙ୍କାର କ୍ଷୟ କ୍ଷତି ହୋଇଥିବା ଆକଳନ କରା ଯାଉଛି।


