ଅତୀତର ଆଇନାରେ ଅକ୍ଟୋବର: ବାତ୍ୟା ସହ ଅକ୍ଟୋବର ମାସ ଆସିଲେ ଅସ୍ତରଙ୍ଗ ବାସୀଙ୍କ ମନରେ ଛନକା

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଅକ୍ଟୋବର ମାସ  ବାତ୍ୟାର ମାସ । ଅକ୍ଟୋବର ଆସିଲେ ଓଡିଶା ମୁହାଁ ହୁଏ ବାତ୍ୟା । ଜଳରୁ ସ୍ଥଳକୁ ଆସି ରଚେ ତାଣ୍ଡବ । ପ୍ରତିବର୍ଷ ଅକ୍ଟୋବର ମାସ ଆସିଲେ ବାତ୍ୟା ଓଡିଶାକୁ ଧାଇଁ ଆସିବାର ନଜିର ରହିଛି । ଅତୀତର ପୃଷ୍ଠା ଯଦି ଆପଣ ରୋମନ୍ଥନ କରିବେ ତେବେ ଜାଣିବାକୁ ପାଇବେ ଯେ ଓଡିଶାକୁ ବଡ ବଡ ବାତ୍ୟା ହିଁ ଅକ୍ଟୋବର ମାସରେ ଆସିଛି । ଆଉ କିଛିଦିନ ପରେ ଅକ୍ଟୋବର ୨୯ । ପାର୍ବଣ ଋତୁ ପରେ  ବାତ୍ୟା ଓଡିଶାକୁ ଆସେ। ତେଣୁ ଅକ୍ଟୋବର ଆସିଲେ ଓଡିଶା ଲୋକଙ୍କ ମନରେ ଛନକା ପଶେ ।  ୧୯୯୯ରେ ମହାବାତ୍ୟା କୁହନ୍ତୁ କି ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡୁହୁଡୁ, ୨୦୧୮ରେ ତିତିଲି ଏବଂ ୨୦୨୪ରେ ଦାନା- ଓଡିଶାକୁ ଛୁଇଁ, ଓଡିଶାରେ ତାଣ୍ଡବ ରଚିଛି ଏ ସବୁ ଅକ୍ଟୋବର ମାସର ବାତ୍ୟା । ୧୯୯୯ରୁ ୨୦୨୪ ଯାଏଁ ୫ଟି ବାତ୍ୟା ଓଡିଶାରେ ପ୍ରଳୟ ରଚିଥିବା ବେଳେ ଆହୁରି ଅନେକ ବାତ୍ୟା ସାମାନ୍ୟ ପ୍ରଭାବ ପକାଇ ଯାଇଛି ।ପ୍ରାକୃତିକ ବିପର୍ଯ୍ୟୟକୁ ସାଥିରେ ନେଇ ଆସେ ଅକ୍ଟୋବର ମାସ। ୧୯୯୯ ମହାବାତ୍ୟା ଠାରୁ ବିଗତ ୨୫ବର୍ଷ ହେଲା ଲୋକଙ୍କ ମନରେ ଭୟ ଲାଗି ରହୁଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଦେବୀ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଏହି ଅକ୍ଟୋବର ମାସରେ ବନ୍ୟା ଓ ବାତ୍ୟାକୁ ସାମ୍ନା କରିଛନ୍ତି। ତେଣୁ ଅକ୍ଟୋବର ମାସ ଆସିଲେ ପ୍ରଶାସନ ଠାରୁ ସାଧାରଣ ଲୋକେ ସମସ୍ତେ ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ଚିନ୍ତାରେ ପଡିଥାନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଦେବୀ ନଦୀ ସନ୍ନିକଟ ରେ ଅବସ୍ଥିତ। ଅସ୍ତରଙ୍ଗ ବାସୀଙ୍କୁ ପ୍ରଳୟଙ୍କାରି ବନ୍ୟା ଓ ବଙ୍ଗୋପସାଗରର ବାତ୍ୟା ଲୋକଙ୍କ ଆଖିରୁ ନିଦ ହଜାଇ ଦିଏ। ୧୫ଗୋଟି ପଂଚାୟତ କୁ ନେଇ ଏହି ଅସ୍ତରଙ୍ଗ ବ୍ଲକରେ ନଗର, ଆଳସାହି, ତାଳଦା, ନୂଆଗଡ, ଝାଡ଼ଲିଙ୍ଗ, ଛୁରିଆନା, ଶିଶୁଅ, ଅସ୍ତରଙ୍ଗ ଓ ଆଳଙ୍ଗପୁର ଅଂଚଳରେ ବିଗତ ବନ୍ୟାରେ ଜଳମଗ୍ନ ହେଉଥିବା ବେଳେ ବାତ୍ୟା ହେଲେ ସମସ୍ତ ପଂଚାୟତବାସୀ ଚିନ୍ତିତ ହୋଇ ପଡନ୍ତି। ସମୁଦ୍ର ଉଚ୍ଚ ଜୁଆର ଗାଁ ଭିତରକୁ ପଶିବା ଫଳରେ ପୂର୍ବରୁ ଲୋକେ ବାସହରା ହୋଇ ନାହିଁ ନଥିବା ସମସ୍ୟା ଭୋଗୀଥିଲେ। ଏହାଛଡା ୨୦୧୮ଅକ୍ଟୋବର ୧୨ ଓ ୨୦୧୯ଅକ୍ଟୋବର ୨୫ରେ ହୋଇଥିବା ଲଘୁଚାପ ଜନିତ ଲଗାତାର ବର୍ଷା ସାରା ଅସ୍ତରଙ୍ଗ ଅଞ୍ଚଳକୁ ଜଳାର୍ଣ୍ଣବ ହୋଇଥିଲା। ୨୦୧୪ଅକ୍ଟୋବର ୧୨ରେ ବାତ୍ୟା “ହୁଡୁହୁଡୁ “କୁ ଅସ୍ତରଙ୍ଗ ବାସୀ ସାମ୍ନା କରିବାକୁ ପଡିଥିଲା। ସବୁ ବର୍ଷ ମହାନଦୀ ର ଶାଖା ଦେବୀ ନଦୀରେ ବନ୍ୟା ଆସୁଥିବା ବେଳେ ସାମୁଦ୍ରିକ ବାତ୍ୟା ମଧ୍ୟ ପିଛା ଛାଡେନି। ବାତ୍ୟା କଥା ଶୁଣିଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳର ନଗର, ବାଲିଡିଆ, କାଳିଆକଣ, ଆଳସାହି, ପାଟସୁନ୍ଦରପୁର, ଅସନ, ଅନନ୍ତା, ବରାଙ୍ଗ, ଝାଡ଼ଲିଙ୍ଗ, ନୂଆଗଡ, ସହନ, ସୁଦିକେଶର, କେଉଟଜଂଘା, ତଣ୍ଡାହାର, ଡ଼ାଳୁଅକଣି ଆଦି ଉପକୂଳିଆ ଗ୍ରାମର ଲୋକଙ୍କ ଭୋକ ଶୋଷ ମରିଯାଏ। ଏଭଳି ବିପର୍ଯୟରେ ଚାଷ ଜମି ସହିତ ପାନ ବରଜ, ଝାଉଁ ଜଙ୍ଗଲ ବ୍ୟାପକ କ୍ଷୟକ୍ଷତି ହୁଏ। ତେବେ ଏହି ଅକ୍ଟୋବର ମାସରେ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା କରି ସମସ୍ତେ ଅଧିକ ଭୟଭିତ ଥାଆନ୍ତି। କେବେ ଏହି ମାସ ଶେଷ ହେବ ଓ ବିପର୍ଯ୍ୟୟ ପିଛା ଛାଡିବ ସେହି ଚିନ୍ତାରେ ଦିନ ବିତାଇ ଥାନ୍ତି ଅସ୍ତରଙ୍ଗ ଅଞ୍ଚଳବାସୀ।୧୯୯୯ରୁ ୨୦୨୪ ଯାଏଁ ଅକ୍ଟୋବର ମାସ ହିଁ ବାତ୍ୟାର ମାସ ସାଜିଥିବା ବେଳେ ଏବେ ପୁଣି ଅକ୍ଟୋବର ଆସୁଥିବାରୁ ଏଥର  ବାତ୍ୟା ଆସୁଥିବାରୁ ତାହା କେତେ କ୍ଷତି କରିବ ତାକୁ ନେଇ ଏବେଠୁ ଭୟ ଘାରିଲାଣି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ