ବିପୁଳ ପରିମାଣର ମଦ ଜବତ: ୫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଜବତ କରାଯାଇଛି। ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ସଦଳବଳେ ସୋମବାର ସକାଳେ ଦିଗପହଣ୍ଡି ଥାନା ଅନ୍ତର୍ଗତ କେରାଣ୍ଡିମାଳ ପାହାଡ଼ ର ନୂଆଗାଁ, ଢେପାଗୁଡା ଗ୍ରାମ ନିକଟ ପାହାଡିଆ ଦୁର୍ଗମ ଜଙ୍ଗଲ ରେ ଚଢ଼ାଉ କରି ଦୀର୍ଘଦିନ ଧରି ଚାଲିଥିବା ଚୋରା ମଦ ଭାଟି ସମ୍ପୂର୍ଣ୍ଣ ନଷ୍ଟ କରିଥିବା ଜଣାପଡିଛି। ବେଆଇନ ମଦ ଭାଟି ରେ ଦେଶୀମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ପ୍ରାୟ ୧୨ଶହ ଲିଟର ଗୁଡ଼ ପିଡ଼ିଆ ପୋଚ ଓ ୯୦ ଲିଟର ଅପମିଶ୍ରିତ ଦେଶୀମଦ ସହ ୬ ଟି ପ୍ଲାଷ୍ଟିକ ଡ୍ରମ କୁ ଜବତ କରାଯାଇଛି। ଏହି ମଦ ପ୍ରସ୍ତୁତି ଓ ଚୋରା ଚାଲାଣ ରେ ସମ୍ପୃକ୍ତ ବଡ଼ଡୁମ୍ବୁଳା ପଞ୍ଚାୟତ ନୂଆଗାଁ ର ମୁନା ମଲ୍ଲିକ ଏବଂ ଡେଙ୍ଗାପଦର ପଞ୍ଚାୟତ ଢେପାଗୁଡ଼ା ଗ୍ରାମର ବୁଦ୍ଧିଆ ମଲ୍ଲିକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ଦିଗପହଣ୍ଡି ଅବକାରୀ ଥାନା ଓଆଇସି ଅନିତା ପ୍ରଧାନ,ଏଏସଆଇ ଏନ. ତ୍ରିପତି, କନେଷ୍ଟବଳ ରାଜେଶ କୁମାର ଜେନା,ବଳରାମ ପାତ୍ର,ପୃଥ୍ୱୀରାଜ ସ୍ବାଇଁ ପ୍ରମୁଖ ରବିବାର ସନ୍ଧ୍ୟାରେ ଆଦିବାସୀ ବହୁଳ ତେଲିଆପଲ୍ଲି,ନୂଆଗାଁ ପ୍ରଭୃତି ଗ୍ରାମରେ ଚଢ଼ାଉ କରି ୭୯ ଲିଟର ଦେଶୀମଦ ଜବତ କରିଥିଲେ। ମଦ ବିକ୍ରି ଓ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ଢେପାଗୁଡ଼ା ଗ୍ରାମର ରାକେଶ ମଲ୍ଲିକ,ବିରିବାଡ଼ିଆ ଗ୍ରାମର କୈଳାସ ମଲ୍ଲିକ ଏବଂ ନୂଆଗାଁ ର ବିଷ୍ଣୁ ମଲ୍ଲିକ ଙ୍କୁ ଗିରଫ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଓଆଇସି କହିଛନ୍ତି।


