ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

କଟକ, (ଓ୍ବାଇଏନଏସ): ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ଅବସରରେ ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ସମାପନୀ ସଭା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ଜିଲ୍ଳା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୈନନ୍ଦିନ ଜୀବନରେ ଦୁର୍ନୀତିକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ । ନିଜର ଆବଶ୍ୟକତା ଅନୁଯାୟୀ ବ୍ୟୟ କଲେ ଦୁର୍ନୀତି କରିବାର ଅବସର ସୃଷ୍ଟି ହେବ ନାହିଁ ସେ କହିଛନ୍ତି । ଶ୍ରୀ ମିଶ୍ର ଦୁର୍ନୀତିର ମୂଳୋତ୍ପାଟନ ଦିଗରେ ଆମେ ସମସ୍ତେ ଏକୀକୃତ ହୋଇ କାର୍ଯ୍ୟ କରିବା ସହ ଆତ୍ମପ୍ରତ୍ୟୟ ଜରୁରୀ ବାଲି ସେ କହିଥିଲେ । ସିଏସଆଇଆର ଆଇଏମଏମଟିର ନିର୍ଦ୍ଦେଶକ ଡଃ ରାମାନୁଜ ନାରାୟଣ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଚଳିତ ବର୍ଷର ବିଷୟବସ୍ତୁ “ଦୁର୍ନୀତି ନିବାରଣ: ଆମ ସାମୁହିକ ଦାୟିତ୍ୱ” ଉପରେ ଆଲୋକପାତ କରି ସତ୍ୟକୁ ଜୀବନର ଆଧାର କରିବାକୁ ପରାମର୍ଶ ଦେଇଥିଲେ । ଦୈନନ୍ଦିନ ଜୀବନରେ ଆମେ ନିଜକୁ ପରିବର୍ତନ କରିପାରିଲେ ଦୁର୍ନୀତି ଭଳି ଭୟଙ୍କର ବ୍ୟାଧିଠାରୁ ନିଜକୁ ଦୂରେଇ ରଖିପାରିବା ବୋଲି ସେ କହିଥିଲେ । ଡିଜିଟିକରଣ ଦ୍ୱାରା ଅନେକ ମାତ୍ରାରେ ଦୁର୍ନୀତି ହ୍ରାସ କରାଯାଇପାରିଥିବା ସେ କହିଛନ୍ତି । ତେବେ ସତ୍ୟନିଷ୍ଠ ଆଚରଣ ଦ୍ୱାରା ଆମେ ନିଜେ ଦୁର୍ନୀତିଠାରୁ ଦୂରେଇ ରହି ଏକ ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିପାରିବା ବୋଲି ଡଃ ନାରାୟଣ କହିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ଦୈନନ୍ଦିନ ଜୀବନରେ ତଥା କାର୍ଯ୍ୟକ୍ଷେତ୍ରରେ ସାଧୁତାକୁ ଆପଣାଇବାକୁ ପରାମର୍ଶ ଦେଇଥିଲେ । ଆଶାତୀତ ଆବଶ୍ୟକତା ରହିତ ଜୀବନ ଏବଂ ସାଧନର ଯୁକ୍ତିଯୁକ୍ତ ବ୍ୟବହାର ଦୁର୍ନୀତି ନିବାରଣରେ ସାହାଯ୍ୟ କରିପାରିବ ବୋଲି ସେ କହିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, କଟକ ଖଣ୍ଡ, ଶ୍ରୀମତୀ ହରପ୍ରିୟା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ । ସପ୍ତାହ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ଆଜିର କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯାଇଥିଲା ।
ଏହି ଅବସରରେ ଆଜି କଟକ ଜିଲ୍ଳା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପକ୍ଷରୁ ଯୋବ୍ରାଠାରେ ଏକ ମେଗା ସଚେତନତା ରାଲିକୁ ଶ୍ରୀ ସଞ୍ଜୟ କୁମାର କୌଶଲ, ଆଇଜି ଭିଜିଲାନସ୍ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶ୍ରୀ କେ. ବି ଆଚାର୍ଯ୍ୟ, ଏସ୍‌ପି ଭିଜିଲାନସ୍‌, କଟକ, ଶ୍ରୀ ସୁଶାନ୍ତ କୁମାର ବିଶ୍ୱାଳ, ଏସପି ଭିଜିଲାନସ୍ ସେଲ ଡିଭିଜନ୍ କଟକ, ଶ୍ରୀ ସରୋଜ କୁମାର ସାମଲ ଏସ୍‌ପି, ଭିଜିଲାନସ୍‌, ଭୁବନେଶ୍ୱର ପ୍ରମୁଖ ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ