ରାଜନୈତିକ ଶତ୍ରୁତାଙ୍କୁ ନେଇ ବିଜେପିରେ ଗୋଷ୍ଠୀ ସଂଘର୍ଷ : ୩ ଗୁରୁତର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସହଦେବ ଟିକରପଡା ଗ୍ରାମରେ ରାଜନୈତିକ ଶତ୍ରୁତା କୁ ନେଇ ବୁଧବାର ସକାଳ ପ୍ରାୟ ୯ ଟାରେ ବିଜେପି ର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଆକ୍ରମଣ ପ୍ରତି ଆକ୍ରମଣ ରେ ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ହୋଇଛନ୍ତି। ଆହାତ ମାନେ ହେଲେ ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ରଙ୍କ ସମର୍ଥକ ସରପଞ୍ଚ ପ୍ରିୟଙ୍କା ନାୟକଙ୍କ ସ୍ବାମୀ ଶ୍ୟାମ ନାୟକ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଙ୍କ ସମର୍ଥକ ମନୋଜ କୁମାର ସାହୁ ଓ କାଳୁ ଗୈାଡ । ପଞ୍ଚାୟତ ନିର୍ବାଚନ ପରଠାରୁ ପଞ୍ଚାୟତର ବିଭିନ୍ନ ଗାଁ ରେ ଠିକା କାମକୁ ନେଇ ଉଭୟ ସରପଞ୍ଚ ଗୋଷ୍ଠୀ ଓ ମନୋଜ ଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଯାହାକୁ ନେଇ କିଛିଦିନ ପୂର୍ବେ ଉଭୟ ମନୋଜ ଓ ଶ୍ଯାମଙ୍କ ମଧ୍ୟରେ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ପାଟିତୁଣ୍ଡ ହୋଇଥିଲା । ଏହି ବିବାଦ ବୁଧବାର ସକାଳୁ ହିଂସାକାଣ୍ଡର ରୂପ ନେଇଥିବା ଜଣାପଡିଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଗ୍ରାମର ଶ୍ରୀ ରଘୁନାଥ ମଠରେ ନାମ ଯଜ୍ଞ ଚାଲିଥିବା ବେଳେ ଗାଁ ଦାଣ୍ଡରେ ଏଭଳି ହିଂସାକାଣ୍ଡ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସକାଳ ୮ ଟା ରେ ବାବୁଲିବନ୍ଧ ଗାଁ ର ମନୋଜ ସହଦେବ ଟିକରପଡ଼ା ଗାଁ କୁ ଯାଇ ସେଠାକାର ଶ୍ରୀ ଗୋକର୍ଣ୍ଣୈଶ୍ୱର ଶୈବପୀଠ ପରିସରରେ ଚାଲିଥିବା ସରକାରୀ ଉନ୍ନୟନ କାର୍ଯ୍ୟର ଫଟୋ ନିଜ ମୋବାଇଲରେ ଉଠାଇଥିଲେ । ଯାହାଫଳରେ ସେଠାରେ ମନୋଜଙ୍କ ସହ ଅପର ଗୋଷ୍ଠୀର କିଛି ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରବର୍ତ୍ତୀ ସମୟରେ ଶ୍ୟାମ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଙ୍କୁ ନେଇ ବାଇକ ଯୋଗେ ପ୍ରାୟ ୯ ଟାରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବା ବେଳେ ମନୋଜ ଙ୍କ ସମେତ କାଳୁ ଗୈାଡ , ଲଣ୍ଡା ଗୈାଡ , ବିଜୟ ଗୈାଡ , ମନୋଜ ଗୈାଡ , ରାମକୃଷ୍ଣ ଗୈାଡ ପ୍ରମୁଖ ଶ୍ଯାମ ଙ୍କୁ ରାସ୍ତାରେ ଅଟକାଇଥିଲେ । ଏହାପରେ ସେମାନେ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ । ଏହି ସମୟରେ ଏକ ଛୁରୀ ସାହାଯ୍ୟରେ ଶ୍ଯାମଙ୍କୁ ଆକ୍ରମଣ କରାଯାଇଥିଲା । ଏପରିକି ସେମାନେ ଏକ କାଠ ଫାଳିଆରେ ଶ୍ୟାମଙ୍କ ମୁଣ୍ଡକୁ ଆକ୍ରମଣ କରିବା ସମୟରେ ଶ୍ୟାମ ବସି ପଡିବା ଫଳରେ କାଠଫଡା ଟି ମନୋଜଙ୍କ ମୁଣ୍ଡରେ ବାଜିଥିଲା ବୋଲି ସରପଞ୍ଚ ପ୍ରିୟଙ୍କା ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି । ଘଟଣାପରେ ସମସ୍ତ ଗୁରୁତର ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣାସ୍ଥଳରେ କେ . ନୂଆଗାଁ ପୋଲିସ ପହଞ୍ଚି ତଦନ୍ତ କରି ଫେରିଥିବା ବେଳେ ମନୋଜ ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଅପରପକ୍ଷରେ ବିଳମ୍ବିତ ସନ୍ଧ୍ୟାରେ ସରପଞ୍ଚ ପ୍ରିୟଙ୍କା କେ.ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେଇଥିବା ଜଣାପଡିଛି ।


