ଦିନ ପରେ ଦିନ ଗଡୁଛି: କାର୍ଯ୍ୟ କ୍ଷମ ହୋଇପାରୁନି ୩୨୬ କୋଟିର ପାନୀୟଜଳ ପ୍ରକଳ୍ପ
ହାଟଡିହି, (ଓ୍ବାଇଏନଏସ) :କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ର ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଇବା ପାଇଁ ଦୁଇ ଦୁଇଟି ପାନୀୟଜଳ ପ୍ରକଳ୍ପ ପ୍ରକଳ୍ପ ନିର୍ମାଣ କରାଯାଇଛି। ଗୋଟିଏ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ସବୁ ଗାଁକୁ ଜଳ ଯୋଗାଇବାରେ ବିଫଳ ହୋଇଛି। ସେହିପରି ୩୨୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅନ୍ୟ ଏକ ବୃହତ୍ ପାନୀୟଜଳ ପ୍ରକଳ୍ପ ଏଯାଏ କାର୍ଯ୍ୟକ୍ଷମ ହୋଇପାରି ନାହିଁ| ବର୍ଷ ପରେ ବର୍ଷ ଗଡ଼ି ଚାଲିଥିଲେ ମଧ୍ୟ ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏପଟେ ଗାଁ ଗଣ୍ଡାରେ ଲୋକେ ସ୍ୱଚ୍ଛ ପାଣି ଟୋପେ ପାଇଁ କଲବଲ ହେଉଥିବା ଦେଖିବାକୁ ମିଳୁଛି। ୨୦୧୯ରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ କାଳୀଆମ୍ବ ନିକଟରେ ଆରମ୍ଭ କରାଯାଇଥିଲା ଏକ ବୃହତ୍ ପାନୀୟଜଳ ପ୍ରକଳ୍ପ। ୩୨୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ପ୍ରକଳ୍ପରୁ ୨୦୦ଗାଁକୁ ପାନୀୟଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା ୨୦୨୨ରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ତେବେ କରୋନା ମହାମାରୀ ବ୍ୟାପିବା ଯୋଗୁଁ ନିର୍ମାଣ କାମ ବାଧାପ୍ରାପ୍ତ ହୋଇଥିଲା। ତେଣୁ ପ୍ରକଳ୍ପ ନିର୍ମାଣ ଅବଧିକୁ ଆଉ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା | ୨୦୨୩ ଡିସେମ୍ବରରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଥିଲା । କିନ୍ତୁ ‘ଘରେ ନ ପଶୁଣୁ ଚାଳ ବାଜିବା ପରି’ ପ୍ରଥମରୁ ହିଁ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଥିଲା। ଏହି ପ୍ରକଳ୍ପ ପାଇଁ ହଦଗଡ଼ ଡ୍ୟାମରୁ ପାଣି ଉଠାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ପାଇପ୍ ବିଛା ସରିଥିଲା। କିନ୍ତୁ ବନ ବିଭାଗର ଅନୁମତି ନ ମିଳିବାରୁ ସ୍ଥାନ ପରିବର୍ତ୍ତନ କରାଯାଇଥିଲା। ବିଦ୍ୟାଧରପୁରସ୍ଥିତ ସାଳନ୍ଦୀ ବ୍ୟାରେଜରୁ ପାଣି ଆଣିବାପାଇଁ ସ୍ଥିର ହୋଇଥିଲା। ବିଦ୍ୟାଧରପୁର ବ୍ୟାରେଜରୁ ଚାଷଜମିକୁ ଜଳ ଯୋଗାଣ ପାଇଁ ପାଣି ନିଅଣ୍ଟ ପଢୁଛି। ସେଠାରୁ କିପରି ପାଣି ଉଠାଯାଇ ୨୦୦ ଗ୍ରାମକୁ ଜଳ ଯୋଗାଣ କରାଯିବ ତାହାକୁ ନେଇ ସେତେବେଳେ ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଥିଲେ। ବିଭାଗୀୟ ଅଧିକାରୀମାନେ ୨୦୨୪ ମାର୍ଚ୍ଚ ସୁଦ୍ଧା କାମ ସରିବ ବୋଲି କହିଥିଲେ । ୨୦୨୪ମାର୍ଚ୍ଚ ଯାଇ ୨୦୨୫ ନଭେମ୍ବର ମାସ ଅଧା ହେଲାଣି। ହେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ସମସ୍ତ ଗ୍ରାମକୁ ପାଇପ୍ଲାଇନ୍ ସଂଯୋଗ କାମ ସରିନାହିଁ। ବିଶେଷକରି ମରେଇଗାଁ, ବଞ୍ଚୋ, ଶାସଙ୍ଗ, ବଡ଼ରମ୍ପାସ, ହାଟଡିହି, ପନ୍ଦାଡ଼ ଭଳି କିଛି ବଡ଼ ବଡ଼ ଗ୍ରାମରେ ପାଇପ ବିଛା କାମ ସରିନି। ବିଭିନ୍ନ ସ୍ଥାନରେ ବିଛା ହୋଇଥିବା ପାଇପ୍ ସବୁ ନଷ୍ଟ ହୋଇଗଲାଣି। କାମ କରୁଥିବା ବାହାର ରାଜ୍ୟର ଠିକାଦାର କାମ ସମ୍ପୂର୍ଣ୍ଣ ନକରି ୯୦ଭାଗରୁଉର୍ଦ୍ଧ ଟଙ୍କା ଉଠାଇ ନେଇଥିବାରୁ କାମ ସମ୍ପୂର୍ଣ୍ଣ କରିବାକୁ ଗୁରୁତ୍ୱ ଦେଉ ନାହାନ୍ତି। ଅଧିକାରୀ ମାନେ ବାରମ୍ବାର ଚାପ ପକାଇ କାମ କରୁଥିଲେ ମଧ୍ୟ ତାହା ସାରିବାର ନା ଧରୁନି। ଏହି ମେଗା ୱାଟର ପ୍ରୋଜେକ୍ଟ ପାଇଁ ବ୍ଲକର ବିଭିନ୍ନ ରାସ୍ତାକୁ ଖୋଳି ପାଇପ ବିଛା ହୋଇଥିବା ବେଳେ ରାସ୍ତା ମରାମତି ପାଇଁ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉ ନାହାନ୍ତି। ଟେଷ୍ଟିଂ ବେଳେ ଅନେକ ସ୍ଥାନରେ ବିଛା ଯାଇଥିବା ପାଇପ ଫାଟି ରାସ୍ତାରେ ଭାସୁଛି ପାଣି। ସ୍ଥାନୀୟ ସରପଞ୍ଚ ଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ଲକ ଠାରୁ ବିଧାନସଭା ପର୍ଯ୍ୟନ୍ତ ଦାବି ଉପସ୍ଥାପନ କରୁଥିଲେ ମଧ୍ୟ ଫଳ ଶୂନ ରହୁଛି। ଏହି ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ ତାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ପରିଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅନେକ ସ୍ଥାନକୁ ପାନୀୟ ଜଳ ଯୋଗାଣ ହୋଇଛି। କିଛି ସ୍ଥାନକୁ ପାଇପ ବିଛା କାର୍ଯ୍ୟ ଚାଲୁ ରହିଛି। ଅଳ୍ପ ଦିନ ଭିତରେ ତାହାକୁ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି।


