ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ବିଶ୍ଵ ଦର୍ଶନ ଦିବସ ପାଳନ
ଖଲ୍ଲିକୋଟ (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର ଦର୍ଶନ ବିଭାଗରେ ବିଶ୍ଵ ଦର୍ଶନ ଦିବସ ପାଳନ କରାଯାଇଛି। ଦାର୍ଶନିକ ସକ୍ରେଟିସ୍ ଙ୍କ ଜନ୍ମ ଦିବସକୁ ମନେ ରଖିବା ପାଇଁ ପ୍ରତି ବର୍ଷ UNESCO ତରଫରୁ ନଭେମ୍ବର ମାସ ତୃତୀୟ ଗୁରୁବାର ଦିନ ବିଶ୍ଵ ଦର୍ଶନ ଦିବସ ରୂପେ ପାଳନ କରାଯାଇଥାଏ। ଦର୍ଶନ ଶାସ୍ତ୍ର ବିଭାଗର ମୁଖ୍ୟ ଡ. ଯତିନ୍ ବିଷୋୟୀ ଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ତଥା ପରୀକ୍ଷା ନିୟନ୍ତ୍ରକ ଡ. ମନୋଜ କୁମାର ପଟ୍ଟନାୟକ ତୁଳସୀ ବୃକ୍ଷରେ ଜଳ ସିଞ୍ଚନ ପୂର୍ବକ ଉଦଘାଟନ କରିବା ସହ ନୂତନ ଶିକ୍ଷାନୀତିରେ ଦର୍ଶନ ଶାସ୍ତ୍ରର ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ଦର୍ଶନ ବିଭାଗର ଅଧ୍ୟାପକ ଶ୍ରୀ ପିଙ୍କୁ କୁମାର ସାହୁ ମଂଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଦକ୍ଷିଣାଞ୍ଚଳ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ନାରାୟଣ ବେହେରା ଦର୍ଶନ ଶାସ୍ତ୍ରର ଉପାଦେୟତା ପ୍ରକାଶ କରିଥିଲେ ।ମଂଚାସୀନ ଅନ୍ୟତମ ସମ୍ମାନିତ ଅତିଥି ଡ. ଗୌରାଙ୍ଗ ଚରଣ ବେହେରା (ଦର୍ଶନ ବିଭାଗୀୟ ମୁଖ୍ୟ, ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟ) ସକ୍ରେଟିସ୍ ଙ୍କ ନୈତିକ ଜୀବନକୁ ଉପସ୍ଥାପନା କରିବା ସହ ଛାତ୍ରଛାତ୍ରୀଙ୍କୁ ଜାଗ୍ରତ କରିବା ପାଇଁ ମନ୍ତ୍ର ପ୍ରଦାନ କରିଥିଲେ। ଏହା ସହ ମଂଚାସୀନ ନିରଞ୍ଜନ ମହିଳା ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଡ. କେ, ଓମ୍ ନାରାୟଣ ରାଓ ଦାର୍ଶନିକ ଚିନ୍ତାଧାରା କିପରି ସବୁ ସମସ୍ୟା ତଥା ନୈତିକ ଦ୍ୱିଧା, ଦାର୍ଶନିକ ସମସ୍ୟା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ଅବସରରେ ବିଭାଗ ତରଫରୁ ଆୟୋଜିତ କୁଇଜ୍, ଦର୍ଶନ ବିତର୍କ, ଦର୍ଶନ ରଚନା ଏବଂ ବକ୍ତୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଭାଗୀୟ ଅଧ୍ୟାପକ ପିଙ୍କୁ କୁମାର ସାହୁ, ଆକାଶ କୁମାର ଜେନା, ଅଧ୍ୟାପିକା ଭି. ସ୍ନେହା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବହୁ ଛାତ୍ରଛାତ୍ରୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲା l


