ହାଟଡିହି (ଓ୍ବାଇଏନଏସ): ଶନିବାର ଦିନ ସ୍କୁଲ କେତେବେଳେ ଖୋଲିବ କେତେବେଳେ ବନ୍ଦ ହେବ ତାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ମାନଙ୍କରେ ୧୦ ରୁ ୪ ସ୍କୁଲ ଚାଲିବା ପାଇଁ ବିଭାଗୀୟ ଅଧିକାରୀ ନିର୍ଦେଶ ଦେଇଥିଲେ ବି ଅଧିକାଂଶ ସ୍କୁଲ ଏହାକୁ ମାନୁ ନଥିବା ଦେଖିବାକୁ ମିଳିଛି। ଗତ ୧୫ ତାରିଖ ଦିନ ବ୍ଳକର ୩୦ ରୁ ଉର୍ଦ୍ଧ୍ଵ ସ୍କୁଲ ଦିନ ୧୦ରୁ କିଏ ଗୋଟାଏ ତ ଆଉ କିଏ ୨ଟା ପର୍ଯ୍ୟନ୍ତ ଖୋଲି ଛୁଟି କରିଦେଲେ। ଏପରିକି କିଏ କିଏ ସକାଳ ୭ ରୁ ୧୦ ପର୍ଯ୍ୟନ୍ତ ସ୍କୁଲ କରିଥିଲେ। ସେହିଦିନ ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ କିଛି ଶିକ୍ଷକ ଶିକ୍ଷୟତ୍ରୀ ତରବରିଆ ଭାବେ ପୁଣି ସ୍କୁଲକୁ ଫେରି ୪ଟା ପର୍ଯ୍ୟନ୍ତ ବସି ରହିଥିଲେ। ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିକିଛି ଅନେକ ସ୍କୁଲରେ। ମନୋହରପୁର ପ୍ରାଥମିକ ବିଦ୍ୟାଳୟରେ ସାଢେ ଗୋଟାଏ ବେଳେ ସ୍କୁଲ ଛୁଟି ହୋଇ ସାରିଥିବା ବେଳେ ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ସେହିପରି ଶାଳନିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିନ ଦୁଇଟା ବେଳୁ ସ୍କୁଲ ଛୁଟି କରିଦିଆ ଯାଇଥିଲା। ଦୁଇଜଣ ଶିକ୍ଷକ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସ୍କୁଲରେ ବସିଥିଲେ। ପାଖରେ ଥିବା ଅନେକ ସ୍କୁଲ ୪ଟା ପର୍ଯ୍ୟନ୍ତ ଖୋଲା ରହିଥିବା ବେଳେ ଏପରି କିଛି ସ୍କୁଲର ପ୍ରଧାନ ଶିକ୍ଷକ ମାନେ ମନଇଛା ଖୋଲିବା ଓ ବନ୍ଦ କରିବାକୁ ନେଇ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶାଳନିଆଁ ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି ଯେ ଛୁଆଙ୍କୁ ଛୁଟିକରିଦେଲେ କଣ ହେଲା ଆମେ ତ ଉପସ୍ଥିତ ଅଛୁ ବୋଲି କହିଛନ୍ତି। ସେହିପରି ମନୋହରପୁର ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ଯେ ଗାଁରେ ଏକ ଭୋଜି ଥିବାରୁ ଛୁଆଙ୍କ ସହିତ ଆମେ ସେଠାକୁ ପଳାଇ ଥିଲୁ ବୋଲି କହିଛନ୍ତି। ଏ ସମ୍ପର୍କରେ ବ୍ଲକ ସହଶିକ୍ଷା ଅଧିକାରୀ ପ୍ରମୋଦ ନାୟକ ଙ୍କୁ ପଚାରିବାରେ କିଛି ସ୍କୁଲ ନିର୍ଦେଶ ମାନୁ ନଥିବା ତାଙ୍କ ଦୃଷ୍ଟି ଗୋଚର ହୋଇଛି। ଏନେଇ ବିଇଓ ଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।